ଇସ୍ରାଏଲ-ଇରାନ ଯୁଦ୍ଧ: ୧୦% ବଢ଼ିଲା ଅଶୋଧିତ ତୈଳ ଦର, ମହଙ୍ଗା ବଜାର ଆଶଙ୍କାରେ ବିଶ୍ୱ

Published By : Prameya-News7 Bureau | June 13, 2025 IST

internet

ନୂଆଦିଲ୍ଲୀ:  ଇସ୍ରାଏଲ ଜୁନ୍ ୧୨ ତାରିଖ ରାତିରେ ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ ବିଶ୍ୱରେ ତେଲ ଦର ହଠାତ୍ ବୃଦ୍ଧି ପାଇଛି। କାରବାର ଆରମ୍ଭରେ ବ୍ରେଣ୍ଟ କ୍ରୁଡ୍ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ମାସକ ମଧ୍ୟରେ ଏହା ସବୁଠାରୁ ବଡ଼ ଦିନିକିଆ ବୃଦ୍ଧି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ହଠାତ୍ ଉତ୍ତେଜନା ବୃଦ୍ଧି ପାଇବା ଫଳରେ ତୈଳ ଯୋଗାଣରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏନର୍ଜି ମାର୍କେଟରେ ଟେନସନରେ। 

ଇସ୍ରାଏଲ ଇରାନର କିଛି ପରମାଣୁ ସ୍ଥାନ ଏବଂ ବରିଷ୍ଠ ସାମରିକ କମାଣ୍ଡରମାନଙ୍କୁ ଟାର୍ଗେଟ କରିଥିବା ଜଣାପଡ଼ିଛି। ସେପଟେ ଇରାନରୁ ପ୍ରତିଶୋଧମୂଳକ ଡ୍ରୋନ ଆକ୍ରମଣ କରିଛି। ଇସ୍ରାଏଲ ସେନା ଅନୁଯାୟୀ, ଇରାନ ପ୍ରତି ଜବାବ ଦେଇ ୧୦୦ରୁ ଅଧିକ ଡ୍ରୋନ୍ ଟାର୍ଗେଟ୍ କରିଛି। 

ତେଣୁ ଅସ୍ଥିରତା ବଢ଼ୁଥିବାରୁ ଏହା ବିଶ୍ୱ ବଜାରକୁ ଦୋହଲାଇ ଦେଇଛି। ନିବେଶକଙ୍କ ଚିନ୍ତା ବଢ଼ିଥିବାରୁ ସେମାନେ ସୁନାକୁ ସୁରକ୍ଷିତ ବୋଲି ଭାବି ସେଥିରେ ନିବେଶ କରୁଛନ୍ତି। ଫଳରେ ଡିମାଣ୍ଡ ବଢିବାରୁ ସୁନା ମୂଲ୍ୟ ପ୍ରାୟ ଦୁଇ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି। 

ପଢ଼ନ୍ତୁ- ଇରାନ-ଇସ୍ରାଏଲ ଯୁଦ୍ଧ: ଭୟଙ୍କର ଭାବେ ପ୍ରଭାବିତ ହେବ ଭାରତ, ବିଶ୍ୱ ଅର୍ଥନୀତି ପାଇଁ ବିପଦ

ତୈଳ ମୂଲ୍ୟ ବୃଦ୍ଧି – ଜୁନ୍ ୧୩୨୦୨୫

୧୨:୧୫ GMT ସୁଦ୍ଧା ବ୍ରେଣ୍ଟ କ୍ରୁଡ୍ ତେଲ ୫.୨୫ ଡଲାର କିମ୍ବା ୭.୬% ବୃଦ୍ଧି ପାଇ ବ୍ୟାରେଲ ପିଛା ୭୪.୬୧ ଡଲାରରେ ପହଞ୍ଚିଛି, ଯାହା ୭୮.୫୦ ଡଲାରର ଇଣ୍ଟ୍ରାଡେ ଉଚ୍ଚସ୍ତରରେ ପହଞ୍ଚିଛି। ୨୭ ଜାନୁଆରୀ ୨୦୨୫ ପରଠାରୁ ଏହା ସର୍ବାଧିକ ସ୍ତରରେ ପହଞ୍ଚିଛି।

WTI (ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍) $୫.୫୭ କିମ୍ବା ୮.୨% ବୃଦ୍ଧି ପାଇ $୭୩.୬୧ ରେ ପହଞ୍ଚିଛି, ଯାହା $୭୭.୬୨ ର ଶୀର୍ଷରେ ପହଞ୍ଚିଛି। ଏହା ୨୧ ଜାନୁଆରୀ ୨୦୨୫ ପରେ ସର୍ବାଧିକ ସ୍ତରରେ ପହଞ୍ଚିଛି। 

୨୦୨୨ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବ୍ରେଣ୍ଟ ଏବଂ ଡବ୍ଲୁଟିଆ ଉଭୟ ପାଇଁ ଏହା ସବୁଠାରୁ ବଡ଼ ଇନଟ୍ରାଡେ ମୂଲ୍ୟବୃଦ୍ଧି ଥିଲା।

ବଜାର ପ୍ରତିକ୍ରିୟା ଏବଂ ଅର୍ଥନୈତିକ ପ୍ରଭାବ

୧. ବିଶ୍ୱସ୍ତରୀୟ ଇକ୍ୱିଟି ହ୍ରାସ ପାଇଛି, ଆମେରିକାର ଫ୍ୟୁଚର୍ସ ୧.୫% ରୁ ୧.୮% ମଧ୍ୟରେ ହ୍ରାସ ପାଇଛି।

୨. ହଇଚଇ ମଧ୍ୟରେ ନିବେଶକମାନେ ସୁରକ୍ଷିତ ସ୍ଥାନରେ ନିଜ ପାଣ୍ଠି ସ୍ଥାନାନ୍ତର କରିଛନ୍ତି। ସୁନା, ଆମେରିକୀୟ ଟ୍ରେଜେରୀ, ସ୍ୱିସ୍ ଫ୍ରାଙ୍କ ଏବଂ ଆମେରିକୀୟ ଡଲାରରେ ନିବେଶ ବଢ଼ାଇଛନ୍ତି। 

୩.ଇରାନର ସଂକୀର୍ଣ୍ଣ ଜଳପଥ ଷ୍ଟ୍ରେଟ୍ ଅଫ୍ ହରମୁଜରେ ପରିବହନ ବିପଦ ସୃଷ୍ଟି ହେବାରୁ ଜାହାଜଗୁଡ଼ିକର ଯୁଦ୍ଧ-ବିପଦ ବୀମା ପ୍ରିମିୟମ ୩୦୦% ରୁ ଅଧିକ ବୃଦ୍ଧି ପାଇଛି। ଯାହା ଫଳରେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି।

୪. ବିଶ୍ୱ ତୈଳ ବଜାରର ମୁଖ୍ୟ ଚିନ୍ତା ହେଉଛି ଯେ ଇସ୍ରାଏଲ୍-ଇରାନ ଉତ୍ତେଜନା ହର୍ମୁଜ୍ ଜଳପଥ ଯାତାୟାତରେ ବାଧା ସୃଷ୍ଟି କରିବ। ଏହି ମାର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ଯେଉଁ ପଥ ଦେଇ ପ୍ରତିଦିନ ୧୮-୨୦ ନିୟୁତ ବ୍ୟାରେଲ (କିମ୍ବା ବିଶ୍ୱ ତୈଳ ବ୍ୟବହାରର ପ୍ରାୟ ୨୦%) ଯାତାୟାତ କରେ।

ଏବେ ପ୍ରଶ୍ନ ମାଧ୍ୟମରେ ଆପଣଙ୍କ ଜିଜ୍ଞାସାର ଉତ୍ତର ଦେଉଛୁ ପଢ଼ନ୍ତୁ
କାହିଁକି ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇଛି
?

ଉ. ଇରାନ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ। ଇରାନର ଭୌଗୋଳିକ ସ୍ଥିତି ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଷ୍ଟ୍ରେଟ୍ ଅଫ୍ ହରମୁଜର ଉତ୍ତର କୂଳରେ ଅବସ୍ଥିତ। ଏହି ଜଳପଥ ଦେଇ ସାଉଦି ଆରବ, କୁୱେତ, ଇରାକ ଭଳି ଦେଶଗୁଡ଼ିକୁ ଅନ୍ୟ ଦେଶକୁ ତେଲ ରପ୍ତାନୀ କରନ୍ତି। ଯୁଦ୍ଧରେ କ୍ରୋଧିତ ହୋଇ ଯଦି ଇରାନ ଏହି ରାସ୍ତାକୁ ଅବରୋଧ କରେ, ତେବେ ବିଶ୍ୱର ୨୦% ତୈଳ ଯୋଗାଣ ବନ୍ଦ ହୋଇଯିବ। ତେଣୁ ଅଶୌଧିତ ତେଲ ଦାମ ବଢ଼ିଯାଇଛି।

ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବ କି ?

ଉ. ଯୁଦ୍ଧ କାରଣରୁ ଯଦି ଦୀର୍ଘଦିନ ଧରି ଅଶୋଧିତ ତୈଳର ଦର ଅଧିକ ରହେ, ତେବେ ତୈଳ ବିପଣନ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ପଡିବ। ଏହା ପରିବହନ, ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ମହଙ୍ଗା କରିପାରେ। ଯଦି ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ, ତେବେ ଦରଦାମ ଆହୁରି ବଢ଼ିବ।

ଅଶୋଧିତ ତେଲର ମୂଲ୍ୟ ହ୍ରାସ ଯୋଗୁଁ ଷ୍ଟକ୍ ବଜାର କାହିଁକି ନିମ୍ନଗାମୀ ହେଉଛି?

ଉ. ତୈଳ ମୂଲ୍ୟ ବୃଦ୍ଧି ପାଇବା ଅର୍ଥ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା। ଏହା ତେଲ ଆମଦାନୀ କରୁଥିବା ଦେଶଗୁଡ଼ିକର ଅର୍ଥନୀତି ଉପରେ ଖରାପ ପ୍ରଭାବ ପକାଇବ। ଆଉ ନିବେଶକମାନଙ୍କର ଭୟ ଯେ ଯଦି ତେଲ ମହଙ୍ଗା ହୁଏ, ତେବେ କମ୍ପାନୀଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବ ଏବଂ ଲାଭ ହ୍ରାସ ପାଇବ। ତେଣୁ ଏହିସବୁ କାରଣରୁ ଯୁଦ୍ଧ ପରେ ଭାରତୀୟ ଷ୍ଟକ୍ ବଜାର ୧% ରୁ ଅଧିକ ହ୍ରାସ ପାଇଛି। ସେହିପରି ଜାପାନର ନିକେଇ ୨୨୫ ସୂଚକାଙ୍କ ମଧ୍ୟ ୧.୨% ଏବଂ ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ୦.୭% ହ୍ରାସ ପାଇଥିଲା। ଆକ୍ରମଣ ସମୟରେ ୱାଲ ଷ୍ଟ୍ରିଟ୍ ବନ୍ଦ ଥିଲା, କିନ୍ତୁ ଫ୍ୟୁଚର୍ସ ଟ୍ରେଡିଂ ସୂଚାଇ ଦେଇଥିଲା ଯେ ଆମେରିକାର ବଜାର ମଧ୍ୟ ୧% ରୁ ଅଧିକ ହ୍ରାସ ପାଇଛି।

ଇରାନ ଉପରେ କାହିଁକି ଆକ୍ରମଣ କଲା ଇସ୍ରାଏଲ୍ ?

ଇସ୍ରାଏଲ କହିଛି ଯେ ଏହି ଆକ୍ରମଣ ବିପଦ ପୂର୍ବରୁ ନିଜକୁ ସୁରକ୍ଷା ଦେବାର ଉଦ୍ୟମ ଥିଲା। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଇରାନର ପରମାଣୁ ପ୍ରୋଗ୍ରାମ ଏବଂ ମିସାଇଲ୍ ପ୍ରୋଗ୍ରାମ ସେମାନଙ୍କ ପାଇଁ ଏକ ବଡ଼ ବିପଦ ଥିଲା। ସେମାନେ ଇରାନର ପରମାଣୁ ସ୍ଥଳ ଏବଂ ଅନେକ ବରିଷ୍ଠ ସାମରିକ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ନେତାନ୍ୟାହୁଙ୍କ ଅନୁସାରେ ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାରୁ ରୋକିବା ଆବଶ୍ୟକ, ନଚେତ୍ ବହୁତ ଡେରି ହୋଇଯିବ।

ଏହି ଇସ୍ରାଏଲୀ ଆକ୍ରମଣରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କମାଣ୍ଡର ହୁସେନ ସଲାମି ନିହତ ହୋଇଛନ୍ତି। ଅଲ-ଜାଜିରା ଅନୁଯାୟୀ, ଆକ୍ରମଣରେ ଦୁଇ ଜଣ ପ୍ରମୁଖ ଇରାନୀ ପରମାଣୁ ବୈଜ୍ଞାନିକ ମହମ୍ମଦ ମେହଦି ତେହରାନଚି ଏବଂ ଫରଦୁନ ଆବାସି ମଧ୍ୟ ନିହତ ହୋଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.