ଭୁବନେଶ୍ୱର ୨୩।୦୮ : ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ପାଶ୍ୱର୍ବର୍ତ୍ତୀ ବାଂଲାଦେଶ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେପଟେ ରାଜ୍ୟର ପଶ୍ଚିମ ଓଡ଼ିଶା ସମେତ ବହୁ ସ୍ଥାନରେ ଲଗାଣ ବର୍ଷା ଯୋଗୁ ମହୀନଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିଛି ।
ଶନିବାର ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୪, ୨୫ରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ଭାରି ବର୍ଷା ଆଶଙ୍କା ଅଛି । ୨୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ । ୨୫ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।
ଶୁକ୍ରବାର ସକାଳରୁ ସନ୍ଧ୍ୟା ଭିତରେ ରାଜ୍ୟରେ ବହୁ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ହୀରାକୁଦରେ ୪୨.୨, ରାଉରକେଲାରେ ୪୦, ବୌଦ୍ଧରେ ୩୪, ସମ୍ବଲପୁରରେ ୩୧.୭, ଝାରସୁଗୁଡ଼ାରେ ୩୧.୬, ବରଗଡ଼ରେ ୨୬.୮, ଭବାନୀପାଟଣାରେ ୨୫.୨, ତାଳଚେରରେ ୧୮.୬, ସୋନପୁରରେ ୧୫.୨, ଅନୁଗୁଳରେ ୧୨, ଟିଟିଲାଗଡ଼ରେ ୧୧.୨ ଓ ଦାରିଙ୍ଗିବାଡ଼ିରେ ୧୦ ମିମି ରେକର୍ଡ ହୋଇଛି ।
ଉପରମୁଣ୍ଡରେ ବର୍ଷା ଯୋଗୁ ମହାନଦୀ ଫୁଲୁଛି । ହୀରାକୁଦ ଡ୍ୟାମ ଜଳସ୍ତର ବଢୁଥିବାରୁ ଶନିବାର ଜଳ ନିଷ୍କାସନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ହୀରାକୁଦର ଜଳସ୍ତର ଏବେ ୬୧୮.୩୯ ମିଟର ରହିଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୩୫ହଜାର କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଛି । ସେହିଭଳି ରେଙ୍ଗାଲି ଡ୍ୟାମ୍ ଜଳସ୍ତର ବି ବଢ଼ିଛି । ବୈତରଣୀ ନଦୀରେ ଆଖୁଆପଦାଠାରେ ୧୬.୮୭ ମିଟର ଉଚ୍ଚତାର ଜଳ ପ୍ରବାହିତ ହେଉଛି । ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବି ବଢୁଛି ।