ଭୁବନେଶ୍ୱର ୧୪।୦୫ : ଚିନ୍ତାରେ ଚାଷ ସ୍ଥିତି। ସପ୍ତାହକ ଭିତରେ ଅନେକ ଅଞ୍ଚଳ ଯେମିତି ଶୁଖିଯାଇଛି। ଟାଏଁ ଟାଏଁ ଖରା, କାଁ ଭାଁ ବର୍ଷା। ଜମିରେ ପାଣି ନାହିଁ। ଏବେ ବି ୧୧ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ସ୍ଥିତି ରହିଛି । ଗତ ସପ୍ତାହକ ଭିତରେ ଆଉ ୭ ଜିଲ୍ଲା ବି ଶୁଖିବାକୁ ବସିଲାଣି। ଯଦି ଏବେ ଭଲ ବର୍ଷା ନ ହେବ, ଚାଷୀ ମୁଣ୍ଡରେ ଚଡ଼କ ପଡ଼ିବ।
ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ, ବର୍ତ୍ତମାନର ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହା ପ୍ରଭାବରେ ୧୬ ଯାଏ ବର୍ଷା ଲାଗି ରହିବ। ପୁଣି ୨୨/୨୩ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଅଛି। ଏହି ଡବଲ୍ ଲଘୁଚାପ ଭରସାରେ ରହିଛନ୍ତି ଚାଷୀ। ଭଲ ବର୍ଷା ହେଲେ ନିଅଣ୍ଟିଆ ସ୍ଥିତି ଦୂର ହେବା ସହ ଚାଷ ଆଗକୁ ବଢ଼ିବ ।
ଜୁନ୍ ପହିଲାରୁ ଏଯାବତ୍ ସ୍ଥିତି ଦେଖିଲେ, ରାଜ୍ୟର ୧୧ ଜିଲ୍ଲାରେ ବର୍ଷା କମ୍ ଅଛି। ପୁରୀରେ ୪୦%, ଗଜପତିରେ ୩୯%, ରାୟଗଡ଼ାରେ ୩୫%, କଳାହାଣ୍ଡିରେ ୩୬%, ବଲାଙ୍ଗୀରରେ ୨୮%, ନବରଙ୍ଗପୁରରେ ୨୫%, ନୂଆପଡ଼ାରେ ୨୨%, ଗଞ୍ଜାମରେ ୨୮%, ଖୋର୍ଦ୍ଧାରେ ୨୭%, ଯାଜପୁରରେ ୨୩%, ନୟାଗଡ଼ରେ ୨୦% ବର୍ଷା ନିଅଣ୍ଟିଆ ଅଛି। ସ୍ୱାଭାବିକଠାରୁ ୨୦% ବର୍ଷା କମିଲେ ଏହାକୁ ନିଅଣ୍ଟିଆ କୁହାଯାଏ। ଏବେ କଟକରେ ସ୍ୱାଭାବିକଠାରୁ ୧୮% କମ୍ ଥିବାବେଳେ କନ୍ଧମାଳରେ ୧୨%, ଭଦ୍ରକରେ ୧୩%, ବାଲେଶ୍ୱରରେ ୧୧%, ଜଗତସିଂହପୁରରେ ୧୦%, ଢେଙ୍କାନାଳରେ ୧୨% କମ୍ ହୋଇଛି ବର୍ଷା । ସଙ୍ଗୀନ ଚିତ୍ର ମିଳିଛି ଏଇ ସପ୍ତାହରେ। ଅଗଷ୍ଟ ୭ରୁ ୧୩ ତାରିଖ ଭିତରେ ରାଜ୍ୟରେ ହାରାହାରି ୪୦ ମିଲିମିଟର ବର୍ଷା ହୋଇଛି। ଏହା ସ୍ୱାଭାବିକଠାରୁ ୫୨% କମ୍।
ସାରା ଓଡ଼ିଶାରେ ଏଇ ସପ୍ତାହରେ ବର୍ଷା କମ୍ ହୋଇଛି। ୧୧ଟି ଜିଲ୍ଲାରେ ବର୍ଷା ପରିମାଣ ୬୩%ରୁ ୮୪% ପର୍ଯ୍ୟନ୍ତ ନିଅଣ୍ଟିଆ ରହିଛି। ଭଦ୍ରକରେ ୮୪%, କଟକରେ ୮୩%, ସମ୍ବଲପୁରରେ ୭୯%, କଳାହାଣ୍ଡିରେ ୭୫% ବର୍ଷା କମ୍ ହୋଇଛି । ଏଥିରୁ ଅନୁମାନ କରାଯାଇପାରେ, ସ୍ଥିତି କେତେ ସଙ୍ଗୀନ ହେଲାଣି । ଲଘୁଚାପ ସତ୍ତେ୍ୱ ବୁଧବାର ସନ୍ଧ୍ୟା ଭିତରେ କୋରାପୁଟରେ ୨୪ ମିଲିମିଟର, କଟକରେ ୨୧, ଢେଙ୍କାନାଳରେ ୨୧ ମିମି ବର୍ଷା ହୋଇଥିବାବେଳେ ବାକି ସବୁଠି ଅସରାଏ ଲେଖାଏଁ ବର୍ଷା ହୋଇଛି। ଯଦିଓ ରାତିରେ ବର୍ଷା ବଢ଼ିବା ସମ୍ଭାବନା ଅଛି ।
କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉପରକୁ ଗତି କରି ୧୬ରେ ଓଡ଼ିଶା ଉପକୂଳ ଓ ୧୯ରେ ପଶ୍ଚିମ ଓଡ଼ିଶା ଅତିକ୍ରମ କରି ଛତିଶଗଡ଼ ଦେଇ ମଧ୍ୟପ୍ରଦେଶକୁ ଯିବ। ୧୪ରୁ ୧୯ ଯାଏଁ ରାଜ୍ୟରେ ଏହା ବର୍ଷା କରାଇବ । ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ୬ ଦିନ ଧରି ସ୍ପଳ୍ପରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୭ରୁ ୧୯ ଉପକୂଳ, ବଲାଙ୍ଗୀର, ସମ୍ବଲପୁରରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି। ୨୨ କିମ୍ବା ୨୩ ତାରିଖବେଳକୁ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ହୋଇପାରେ । ଏହା ୨୬ ଯାଏ ଓଡ଼ିଶା ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ରହିବ । ଦକ୍ଷିଣ ଓଡ଼ିଶା ସମେତ ସାରା ରାଜ୍ୟରେ ଏହା ବର୍ଷା କରାଇବ। ଅଗଷ୍ଟରେ ନିଅଣ୍ଟିଆ ସ୍ଥିତି ଦୂର ହୋଇଯିବା ସମ୍ଭାବନା ରହିଛି । କେବଳ ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା କମିପାରେ। ଅଗଷ୍ଟ ୧୫ରେ ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ଜୟପୁରରେ ସକାଳ ବେଳା ପାଗ ଶୁଖିଲା ରହିବ। ଭୁବନେଶ୍ୱରରେ ସକାଳ ୧୦ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିପାରେ। ଯଦି ବର୍ଷା ହେବ, ତାହା ହାଲୁକା ହୋଇପାରେ । ମଧ୍ୟାହ୍ନରେ ବର୍ଷାର ସମ୍ଭାବନା ଅଧିକ ।
ପାଣିପାଗ ବିଭାଗର ଆକଳନ ହେଲା, ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। କୋରାପୁଟ, ମାଲକାନଗିରିରେ ପ୍ରବଳରୁ ପ୍ରବଳତର, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଏଭଳି ବର୍ଷା ୧୭ ତାରିଖ ପର୍ଯ୍ୟନ୍ତ ରହିବ ।