କୋରାପୁଟ: ଲଗାଣ ବର୍ଷାରେ ଧୋଇଗଲା ସଦରମହକୁମା ଠାରେ ଥିବା ଜବାନ ନଦୀର ଡାଇଭର୍ସନ ରାସ୍ତା। ଲଗାଣ ବର୍ଷା ଯୋଗୁଁ ଦଶମନ୍ତପୁର ବ୍ଳକ ସଦରମହକୁମା ଠାରେ ଥିବା ଜବାନ ନଦୀରେ ଜଳସ୍ତର ବଢ଼ିଥିଲା। ନୂଆ ବ୍ରିଜ ନିର୍ମାଣ ଚାଲିଥିବା ବେଳେ ଅସ୍ଥାୟୀ ଡାଇଭର୍ସନ ରାସ୍ତା ନିର୍ମାଣ କରା ଯାଇଥିଲା। ବୁଧବାର ଅସ୍ଥାୟୀ ଡାଇଭର୍ସନ ଉପରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେବାରୁ ଧୋଇ ହେଇଗଲା ଅସ୍ଥାୟୀ ରାସ୍ତା। ଫଳରେ ଦଶମନ୍ତପୁରବାସୀଙ୍କ ସହ ଦୈନିକ ବଜାର ଏବଂ ବ୍ଳକ କାର୍ଯ୍ୟାଳୟ ସହ ଯୋଗାଯୋଗ ବିଛିନ୍ନ ହୋଇଛି। ଖାଲି ସେତିକି ନୁହେଁ ଡାଇଭର୍ସନ ଧୋଇ ଯିବାରୁ ପାଖାପାଖି ୫ ପଞ୍ଚାୟତ ସହ ଯୋଗାଯୋଗ ବିଛିନ୍ନ ହୋଇଛି। ଫଳରେ ସ୍ଵାସ୍ଥ୍ୟ, ଶିକ୍ଷା ପ୍ରଭାବିତ ହେବା ଆଶଙ୍କା ରହିଛି। ଯଥାଶୀଘ୍ର ପ୍ରଶାସନ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି।
ସେପଟେ ଲଗାଣ ବର୍ଷା ଯୋଗୁ କୋରାପୁଟ୍ ଜୟପୁର ରେଳଧାରଣାର ଜରଟି ଓ ମାଲିଗୁଡା ଷ୍ଟେସନ ମଝିରେ ଧସିଲା ମାଟି ଅତଡ଼ା। ଫଳରେ ରାଉରକେଲା ଏକ୍ସପ୍ରେସ୍ ମାଳିଗୁଡା ଷ୍ଟେସନରେ ଅଟକି ରହିଛି। ସେଥିପାଇଁ ପଛରେ ଆସୁଥିବା ହିରାଖଣ୍ଡ କେକେ ରେଳପଥରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋରାପୁଟରେ ରେସ୍କ୍ୟୁ ଟିମ୍। ଯଥାଶୀଘ୍ର ସ୍ଥିତି ସ୍ୱାଭାବିକ କରିବାକୁ ପ୍ରାୟାସ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି।