ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଭୋଟିଂ ଉପରେ ରହିବ ହିଟୱେଭ୍ ପ୍ରଭାବ, ଜାଣନ୍ତୁ ଶୁକ୍ରବାର କେମିତି ରହିବ ପାଗ

Published By : Prameya-News7 Bureau | April 25, 2024 IST

ନୂଆଦିଲ୍ଲୀ ୨୫।୪: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ୮୮ ଆସନରେ ଶୁକ୍ରବାର ଭୋଟିଂ ହେବ। ପୂର୍ବରୁ ଏହି ପର୍ଯ୍ୟାୟରେ ୮୯ଟି ଆସନରେ ଭୋଟଗ୍ରହଣ ହେବାର ଥିଲା। ତେବେ ମଧ୍ୟପ୍ରଦେଶର ବୈତୁଲ ଆସନରେ ବିଏସପି ପ୍ରାର୍ଥୀଙ୍କ ପରଲୋକ ପରେ ଏହି ଆସନରେ ମେ ୭ରେ ନିର୍ବାଚନ ହେବ। ଏପ୍ରିଲ ୧୯ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନ କାଳରେ ହିଟ୍ ୱେଭ ଓ ଭୀଷଣ ଗରମର ପ୍ରଭାବ ଦେଖାଯାଇଥିଲା। ଯାହା ଏବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବ ବୋଲି ଆଶଙ୍କା କରାଗଲାଣି। 

ପ୍ରଥମ ପର୍ଯ୍ୟାୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ କମ ସଂଖ୍ୟାରେ ମତଦାତା ଭୋଟ ଦେବାକୁ ବୁଥ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ। ଏଣୁ ୬୪ ପ୍ରତିଶତ ଭୋଟିଂ ହୋଇଥିଲା। ତେବେ ୨୦୧୯ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ୭୦ ପ୍ରତିଶତ ଭୋଟିଂ ହୋଇଥିଲା। ଏଣୁ ଏଥର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଉପରେ ହିଟୱେଭର  ପ୍ରଭାବ ପଡିବାର ପୂର୍ବାନୁମାନ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ହିଟ ୱେଭ୍ ଆଲର୍ଟ ଜାରି କରିଛନ୍ତି। 

ଆଇଏମଡି ପକ୍ଷରୁ ଗୁରୁବାର ଜାରି ସତର୍କତା ଅନୁସାରେ ଆଗାମୀ ୫ ଦିନରେ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ଶୁକ୍ରବାର ହିଟୱେଭରୁ ସିଭିୟର ହିଟ୍‌ୱେଭ୍ ହୋଇପାରେ। ଆଗାମୀ ୩ ଦିନ ପାଇଁ ବେଙ୍ଗଲରେ ରେଡ ଆଲର୍ଟ ଜାରି ହୋଇଛି। ବିହାରରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି ରହିଛି। ସେହିପରି କର୍ଣ୍ଣାଟକର କିଛି ଅଞ୍ଚଳରେ ଅରେଞ୍ଜ ଆଲର୍ଟ ଜାରି ରହିବ। କେରଳରେ ଏହି ପର୍ଯ୍ୟାୟରେ ୨୦ଟି ଲୋକସଭା ଆସନ ପାଇଁ ଭୋଟ ହେବ। 

ପଶ୍ଚିମ ୟୁପିରେ ଶୁକ୍ରବାର ହିଟ୍ ୱେଭ ପୂର୍ବାନୁମାନ କରାଯାଇଛି। ପୂର୍ବ ଉତ୍ତରପ୍ରଦେଶରେ ଲୁ ବୋହିବାର ଆଶଙ୍କା ରହିଛି। ଅନ୍ୟପଟେ ଇଣ୍ଟେରିୟର କର୍ଣ୍ଣାଟକରେ ଆଗାମୀ ୪-୫ ଦିନ ହିଟୱେଭ ଭଳି ପରିସ୍ଥିତି ରହିବ। ସେହିପରି କେରଳର ପାଗ ମଧ୍ୟ ହିଟ୍ ଓ ହ୍ୟୁମିଡ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.