ଭୁବନେଶ୍ୱର ୧୧।୦୫ : ଏଥର ସଅଳ ଆସିପାରେ ମୌସୁମୀ । ହେଲେ ଏବେ ପାଇଁ ପ୍ରଚଣ୍ଡ ତାତି ଓ ଭୀଷଣ ଗୁଳୁଗୁଳିରୁ ତ୍ରାହି ମିଳିବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୧ ତାରିଖ(ରବିବାର) ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମଲହରୀ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ପ୍ରବଳ ତାତି ଓ ଗୁଳୁଗୁଳି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଓ ନବରଙ୍ଗପୁରର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଇଛି ।
ସେହିପରି ୧୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । କିଛି ସ୍ଥାନରେ ପବନର ଝଟ୍କା ୪୦ରୁ ୫୦ କିମି ଛୁଇଁପାରେ । ପଶ୍ଚିମ ଓଡ଼ିଶାର ଏକାଧିକ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ନାକେଦମ କରିବ । ୧୩ରୁ ୧୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଗରମ ଜାରି ରହିବ । ୧୫ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି । ୧୫ ଓ ୧୬ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଶନିବାର ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରୀ ରହିଥିଲା । ହୀରାକୁଦରେ ୪୧.୭, ଝାରସୁଗୁଡ଼ାରେ ୪୧.୬, ଟିଟିଲାଗଡ଼ରେ ୪୧.୫, ବଲାଙ୍ଗୀରରେ ୪୧.୨, ବୌଦ୍ଧରେ ୪୧, ଖୋର୍ଦ୍ଧାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।