‘ଇଣ୍ଡିଆନ୍ ଆଇଡଲ୍-୩’ ଓ୍ବିନର ପ୍ରଶାନ୍ତ ତମାଙ୍ଗଙ୍କ ପରଲୋକ, ଦୃଦଘାତରେ ଗଲା ଜୀବନ

NEWS7
health-benefits-of-eating-jalebi

ନୂଆଦିଲ୍ଲୀ: ଇଣ୍ଡିଆନ୍ ଆଇଡଲ୍ 3ର ବିଜେତା ପ୍ରଶାନ୍ତ ତମାଙ୍ଗଙ୍କର ରବିବାର ଦିନ 43 ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁକୁ ନେଇ ସିନେ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଦିଲ୍ଲୀର ଜନକପୁରୀରେ ତାଙ୍କ ଘରେ ପ୍ରଶାନ୍ତ ତମାଙ୍ଗଙ୍କୁ ହୃଦଘାତ ଆସିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହୃଦଘାତ ପରେ ତାଙ୍କୁ ଦ୍ୱାରକାର ଏକ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

ଅରୁଣାଚଳ ପ୍ରଦେଶରେ ଏକ କାର୍ଯ୍ୟକ୍ରମ ସାରିବା ପରେ ଦିଲ୍ଲୀ ଫେରି ଆସିଥିଲେ। ହୃଦଘାତ ପୂର୍ବରୁ ତାଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ନଥିଲା। ପ୍ରଶାନ୍ତଙ୍କ ଜନ୍ମ ଜାନୁଆରୀ ୪, ୧୯୮୩ ରେ ହୋଇଥିଲା। ସେ କମ୍ ବୟସରେ ତାଙ୍କ ପିତାଙ୍କୁ ହରାଇଥିଲେ। ପରିବାର ପ୍ରତିପୋଷଣ ପାଇଁ ସେ କୋଲକାତା ପୋଲିସରେ କନଷ୍ଟେବଳ ଭାବରେ କାମ କରିଥିଲେ। ସେଠାରେ ସେ ପୋଲିସ ଅର୍କେଷ୍ଟ୍ରାରେ ଗୀତ ଗାଇଥିଲେ।

୨୦୦୭ ମସିହାରେ ପ୍ରଶାନ୍ତ ଇଣ୍ଡିଆନ୍ ଆଇଡଲ୍ ୩ ପାଇଁ ଅଡିସନ୍ ଦେଇଥିଲେ। ଏହି ଅଡିସନ୍ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେ ଶୋ’ ଜିତିଥିଲେ ଏବଂ ଘରେ ଘରେ ପରିଚିତ ହୋଇଯାଇଥିଲେ। ଇଣ୍ଡିଆନ୍ ଆଇଡଲ୍ ଜିତିବା ପରେ, ତମାଙ୍ଗ ତାଙ୍କର ଆଲବମ୍ "ଧନ୍ୟମ୍" ପ୍ରକାଶ କରିଥିଲେ ଏବଂ ଦେଶ ଓ ବିଦେଶରେ ଅନେକ ଶୋ’ରେ ପ୍ରଦର୍ଶନ କରିଥିଲେ। ତା’ପରେ ସେ ନିଜକୁ ଜଣେ ପ୍ଲେବ୍ୟାକ୍ ସିଙ୍ଗର ଭାବରେ ପ୍ରତିଷ୍ଠିତ କରାଇଥିଲେ ।

ପ୍ରଶାନ୍ତ ତମାଙ୍ଗ ଅଭିନୟରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି । ସେ ୨୦୧୦ ର ନେପାଳୀ ହିଟ୍ ଫିଲ୍ମ ଗୋର୍ଖା ପଲଟନରେ ଡେବ୍ୟୁ କରିଥିଲେ। ସେ ଅଙ୍ଗାଲୋ ଯୋ ମାୟା କୋ, କିନା ମାୟା ମା, ନିଶାନୀ, ପରଦେଶୀ ଭଳି ଫିଲ୍ମରେ ଅଭିନୟ କରିଥିଲେ। ସେ ପାତାଲ ଲୋକ୍-2 ରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କର ଅଭିନୟକୁ ଲୋକେ ଖୁବ ପସନ୍ଦ କରିଥିଲେ । ସେ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ବ୍ୟାଟେଲ ଅଫ୍ ଗାଲୱାନରେ ବି ଅଭନୟ କରିଛନ୍ତି ।