ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ : ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କଲେ ବିରୋଧୀ ଦଳ ନେତା

Published By : Prameya-News7 Bureau | July 05, 2025 IST

ବ୍ରହ୍ମପୁର ୫।୭: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ବିଦେଶରେ କାର୍ଯ୍ୟରତ ପି. ଭେଙ୍କଟ ରମଣ ନାମକ ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ଅପହରଣ ଘଟଣା, ଅପହରଣ ହୋଇଥିବା ଯୁବକଙ୍କୁ ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ‘ଏକ୍ସ’ ଯୋଗେ ଅନୁରୋଧ କଲେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ମୁମ୍ବାଇର ବ୍ଲୁ-ଷ୍ଟାର୍ କମ୍ପାନୀ ତରଫରୁ ପଶ୍ଚିମ ଆଫ୍ରିକାର ମାଲିରେ ଥିବା ଏକ ସିମେଣ୍ଟ କାରଖାନା କାର୍ଯ୍ୟ କରୁଥିଲେ ପି. ଭେଙ୍କଟ ରମଣ ।ହିଞ୍ଜିଳି ଥାନାରେ ପି. ଭେଙ୍କଟ ରମଣଙ୍କ ମା’ ଅଭିଯୋଗ କରିଛନ୍ତି ।

ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଯୁବକ, ଗତ ୩୦ତାରିଖରେ ଶେଷଥର କଥା ହୋଇଥିଲେ ପରିବାର

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ଭେଙ୍କଟ ରମଣ ଏକ କନସଲଟାଣ୍ଟ କମ୍ପାନୀ ଦ୍ଵାରା ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ଏକ ସିମେଣ୍ଟ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିଲେ । ଗତ ୩୦ ତାରିଖ ଦିନ ପରିବାର ଲୋକେ ତାଙ୍କ ପୁଅ ସହ ଶେଷଥର କଥା ହୋଇଥିଲେ l ତା ପରେ ପରିବାର ଲୋକଙ୍କର ତାଙ୍କ ସହ ଆଉ ଯୋଗାଯୋଗ ହୋଇନଥିଲା l ଜୁଲାଇ ୩ ତାରିଖରେ କମ୍ପାନୀ ପକ୍ଷରୁ ପରିବାକୁ ଲୋକଙ୍କୁ କୁହାଯାଇଥିଲା ପୋଲିସ ତାଙ୍କ ପୁଅକୁ ଅଟକ ରଖିଛି । 

ପରେ ପରିବାର ଲୋକ ଜାତୀୟ ଗଣମଧ୍ୟମରୁ ଖବର ପାଇଥିଲେ କିଛି ଆତଙ୍କବାଦୀ ସଂଗଠନ ଡ଼ାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରିବା ସହ ୩ ଭାରତୀୟଙ୍କୁ ଅପହରଣ କରିନେଇଛନ୍ତି l ସେଥିରେ ତାଙ୍କ ପୁଅ ଭେଙ୍କଟ ରମଣ ମଧ୍ୟ ରହିଥିବା ସେମାନେ ଜାଣିବାକୁ ପାଇଥିଲେ l ଏହାପରେ ପରିବାର ଲୋକ ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ l ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳଙ୍କୁ ଯୋଗାଯୋଗ ମଧ୍ୟ କରିଥିଲେ l ଏମିତିକି ଘଟଣା ବିଷୟରେ ଜାଣିବା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅପହରଣ ନେଇ କୌଣସି ସୂଚନା ମିଳିପାରିନାହିଁ । ଫଳରେ ଭୟରେ ପରିବାର ଲୋକ ଚିନ୍ତାଗ୍ରସ୍ତ ରହିଛନ୍ତି l ପୁଅକୁ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି l 



You Can Read:

ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା : ଭାବବିହ୍ବଳ ପରିବେଶରେ ଆରମ୍ଭ ହେଲା ରଥ ଟଣା


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.