ଗାଜିଆବାଦର ନଟୱରଲାଲ୍; ନକଲି ଦୂତାବାସ ହର୍ଷବର୍ଦ୍ଧନଙ୍କ କାରନାମା, ଭିସା ଏବଂ ଚାକିରି ନାଁରେ ଲୋକଙ୍କୁ ଠକୁଥିଲେ

Published By : Prameya-News7 Bureau | July 27, 2025 IST

ନୂଆଦିଲ୍ଲୀ : ନଟୱରଲାଲଙ୍କ ମୃତ୍ୟୁକୁ ବହୁ ବର୍ଷ ବିତିଗଲାଣି । କିନ୍ତୁ ତାଙ୍କ ଅନୁଗାମୀଙ୍କ ଅଭାବ ନାହିଁ। ସମାଜରେ  ବଢ଼ି ଚାଲିଛି ଠକଙ୍କ ସଂଖ୍ୟା  ଯାହାଙ୍କ କାରନାମା ଆଶ୍ଚର୍ଯ୍ୟ କଲାଭଳି। ଦିଲ୍ଲୀ ନିକଟସ୍ଥ ଗାଜିଆବାଦ ସହରରୁ ମଧ୍ୟ ସେମିତି ଏକ ବଡ଼ ଠକର କାହାଣୀ ଆସିଛି ସାମ୍ନାକୁ। ଦିଲ୍ଲୀରେ ପାଖାପାଖି ୧୫୦ ରୁ ଅଧିକ ଦେଶର ଦୂତାବାସ କିମ୍ବା ଉଚ୍ଚାୟୋଗ ଅଛି। କିନ୍ତୁ ଆଉ ଜଣେ ନଟୱରଲାଲ ଗାଜିଆବାଦରେ ଗୋଟିଏ ନୁହେଁ ବରଂ  ଚାରି ଚାରୋଟି ଦୂତାବାସ ଖୋଲିଥିଲେ। ସେହି ନାଁରେ ଲୋକଙ୍କୁ ଠକୁ ଥିଲେ, ଲୁଟୁ ଥିଲେ। ହର୍ଷବର୍ଦ୍ଧନ ଜୈନ ନାମକ ବ୍ୟବସାୟୀ।  ଗାଜିଆବାଦର କଭି ନଗର ଅଞ୍ଚଳରେ ଥିବା ତାଙ୍କ ବିଳାଶପୂର୍ଣ୍ଣ ଘରେ ଏକ ନକଲି ଦୂତାବାସ ଚଳାଉଥିଲେ। ସେ ନିଜକୁ ୪ଟି ଦେଶର ରାଷ୍ଟ୍ରଦୂତ କହୁଥିଲେ। ୟୁପି ଏସଟିଏଫ ଦ୍ୱାରା ଚଢାଉ ସମୟରେ ଏହି ରାକେଟର  ହୋଇଛି  ପର୍ଦ୍ଦାଫାସ। 

ନକଲି ସାମଗ୍ରୀ... ନକଲି ଅଧିକାରୀଙ୍କ କଥା ତ ଶୁଣିଥିବେ। ଏବେ ଗାଜିଆବାଦରେ ନକଲି ଦୂତାବାସର ହୋଇଛି ପର୍ଦ୍ଦାଫାସ। ଗାଜିଆବାଦର କବିନଗରରେ ଏକ ଭଡ଼ା ଘରେ ଓ୍ବେଷ୍ଟ ଆର୍କଟିକା ଦୂତାବାସ ଚଳାଉଥିଲେ ହର୍ଷବର୍ଦ୍ଧନ ଜୈନ। ସେ ନିଜକୁ ଓ୍ବେଷ୍ଟ ଆର୍କଟିକା, ସବୋର୍ଗା, ପୋଲଭିଆ ଓ ଲଣ୍ଡୋନିଆ ଭଳି ଦେଶର ରାଷ୍ଟ୍ରଦୂତ କହୁଥିଲେ। ଏହାସହ ଲୋକଙ୍କୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସହ ନିଜ ଫଟୋସପ ଫଟୋ ଦେଖାଉଥିଲେ। କମ୍ପାନୀ ଓ ଲୋକଙ୍କୁ ବିଦେଶରେ କାମ ଦେବାର ଲୋଭ ଦେଖାଇ ଦଲାଲି କରୁଥିଲେ ହର୍ଷବର୍ଦ୍ଧନ। କେବଳ ସେତିକି ନୁହେଁ ସେଲ କମ୍ପାନୀ ମାଧ୍ୟମରେ ହଓ୍ବାଲା ରାକେଟ୍ ବି ଚଳାଉଥିଲେ। ୨୦୧୧ରେ ତାଙ୍କ ନିକଟରୁ ଅବୈଧ ସାଟେଲାଇଟ୍ ଫୋନ୍ ଜବତ କରାଯାଇଥିଲା। ଏନେଇ କବିନଗର ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।

ଯଦିଓ ହର୍ଷବର୍ଦ୍ଧନ ଜୈନ ଠକେଇରେ ଜଡିତ, କିନ୍ତୁ ସେ ଏକ ସମ୍ଭ୍ରାନ୍ତ ପରିବାରର। ତାଙ୍କ ବାପା ଜେଡି ଜୈନ ଜଣେ ଜଣାଶୁଣା ଶିଳ୍ପପତି ଥିଲେ। ଗାଜିଆବାଦରେ ତାଙ୍କର ଥିଲା ଜୈନ ରୋଲିଂ ମିଲ୍ । ଜୈନ ପରିବାରର ରାଜସ୍ଥାନ ସମେତ ଅନେକ ରାଜ୍ୟରେ ମାର୍ବଲ ଏବଂ ଖଣି ବ୍ୟବସାୟ ମଧ୍ୟ ଥିଲା। ହର୍ଷବର୍ଦ୍ଧନ ଜୈନ ଲଣ୍ଡନର କଲେଜ ଅଫ୍ ଆପ୍ଲାଏଡ୍ ସାଇନ୍ସରୁ ଏମବିଏ କରିଛନ୍ତି। ଏହା ବ୍ୟତୀତ ସେ ଗାଜିଆବାଦର ITS କଲେଜରୁ MBA ମଧ୍ୟ କରିଥିଲେ। କିନ୍ତୁ ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିଥିଲା। 2000 ମସିହାରେ ସେ ଗାଜିଆବାଦରେ ବିବାଦୀୟ ଧାର୍ମିକ ନେତା ଚନ୍ଦ୍ରସ୍ୱାମୀଙ୍କୁ ଭେଟିଥିଲେ। ଚନ୍ଦ୍ରସ୍ୱାମୀ ହର୍ଷବର୍ଦ୍ଧନଙ୍କୁ ଲଣ୍ଡନ ପଠାଇଥିଲେ, ସେଠାରେ ଚନ୍ଦ୍ରାସ୍ବାମୀ ନିଜ କଳାଟଙ୍କା ଲୁଚାଇବାକୁ ହର୍ଷବର୍ଦ୍ଧନଙ୍କ ମାଧ୍ୟମରେ ଅନେକ କମ୍ପାନୀ ଆରମ୍ଭ କରିଥିଲେ। ଲଣ୍ଡନରେ ହିଁ ହର୍ଷବର୍ଦ୍ଧନ ଜଣାଶୁଣା ଆର୍ମସ ଡିଲର ଅଦନାନ ଖଗୋସିଙ୍କ ସହ ସାକ୍ଷାତ ହୋଇଥିଲା। ପରେ ତାଙ୍କ ସହ କାମ କରିଥିଲେ ହର୍ଷବର୍ଦ୍ଧନ। ଏହାଛଡା ଦୁବାଇରେ ମଧ୍ୟ ଅନେକ କମ୍ପାନୀ ଚଳାଇଥିଲେ । ଆଉ ସେବେଠୁ ସେ  ଦଲାଲି କାମ ମଧ୍ୟ ଆରମ୍ଭ କରିଥିଲେ। ଏବେ ଧରା ପଡ଼ିବା ପରେ ଖୋଳୁଛି ନକଲି ଦୂତାବାସ ଗୁମର। 

ନକଲି ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନଙ୍କଠାରୁ ପୋଲିସ ଡିପ୍ଲୋମାଟିକ ନମ୍ବର ପ୍ଲେଟ୍ ଥିବା ୪ଟି ଗାଡ଼ି, ମାଇକ୍ରୋନେସନ ଦେଶଙ୍କର ୧୨ଟି ଡିପ୍ଲୋମାଟିକ ପାସପୋର୍ଟ, ବିଦେଶ ମନ୍ତ୍ରାଳୟର ମୋହର ଥିବା ନକଲି ଦସ୍ତାବେଜ, ଦୁଇଟି ଫର୍ଜି ପ୍ୟାନକାର୍ଡ, ବିଭିନ୍ନ ଦେଶ ଓ କମ୍ପାନୀଙ୍କ ୩୪ଟି ମୋହର, ୨ଟି ଫର୍ଜି ପ୍ରେସ କାର୍ଡ ଜବତ କରିଛି। ସେହିପରି ୪୪ ଲକ୍ଷ ୭୦ ହଜାର ଟଙ୍କା ନଗଦ ସହ ବିଭିନ୍ନ ଦେଶର ବିଦେଶୀ ମୁଦ୍ରା ମଧ୍ୟ ମିଳିଛି। ବିଭିନ୍ନ କମ୍ପାନୀର ଦସ୍ତାବେଜ ସହ ୧୮ଟି ଡିପ୍ଲୋମାଟିକ ନମ୍ବର ପ୍ଲେଟ୍ ମଧ୍ୟ ଜବତ କରାଯାଇଛି।


୨୦୧୭ ମସିହାରୁ ଗାଜିଆବାଦରେ ନକଲି ଦୂତାବାସ ଚଳାଇ ଆସୁଛନ୍ତି ହର୍ଷବର୍ଦ୍ଧନ। ଅନେକ ସମୟରେ ସେ ଦୂତାବାସ ବାହାରେ ଚାରିଟି ଇଭେଣ୍ଟ, ସାମୁହିକ ଭୋଜି ବା ଭଣ୍ଡାରାର ଆୟୋଜନ କରୁଥିଲେ।  ବଡ଼ କଥା ହେଉଛି ତାଙ୍କ କେଳେଙ୍କାରୀ ବିଷୟରେ କେହି ଜାଣି ପାରିଲେନି କେହି। ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ। ତା ଛଡ଼ା  ହର୍ଷବର୍ଦ୍ଧନଙ୍କ ଠକେଇ ନେଟଓ୍ବର୍କରେ ଆଉ କିଏ କିଏ ସାମିଲ ? ସେ କେତେ ଲୋକଙ୍କୁ ଠକିଛନ୍ତି? ସେନେଇ ଚାଲିଛି ଖୋଳତାଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.