ମୁମ୍ୱାଇ ୦୨/୦୬: ଭାଙ୍ଗିଛି ମୁମ୍ୱାଇର ଧାରା । ବିଜୟ ଟ୍ରାକ୍କୁ ଫେରିଛି ପଞ୍ଜାବ କିଙ୍ଗସ୍ । ଦଳ ଏବେ ଫାଇନାଲରେ ଆରସିବି ସହ କରିବ ମୁକାବିଲା । ରବିବାର ଖେଳାଯାଇଥିଲା ଦ୍ୱିତୀୟ କ୍ୱାଲିଫାୟାର । ଯେଉଁଥିରେ ମୁମ୍ୱାଇକୁ ୫ ଓ୍ୱିକେଟରେ ହରାଇଛି ଟିମ୍ ଶ୍ରେୟସ । ଜୁନ୍ ୩ରେ ଖେଳାଯିବ ଫାଇନାଲ୍ ଟକ୍କର ।
ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ ମ୍ୟାଚ୍ । ତେବେ ହାରିବା ପରେ ଭାଙ୍ଗି ପଡିଥିଲେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା । ମୈଦାନରେ ଦେଖିବାକୁ ମିଳିଥିଲା ତାଙ୍କର ନିରାଶା ଭାବନା । ମ୍ୟାଚ୍ ସରିବା ପରେ ହାର୍ଦ୍ଦିକ ନିଜ କୋହ ସମ୍ଭାଳିପାରିନଥିଲେ, ଆଉ ଆଣ୍ଠୁ ମାଡି ବସି କାନ୍ଦିଥିଲେ ।
ଯାହା ଜଣାପଡୁଥିଲା କି, ସେ ସଂପୂର୍ଣ୍ଣ ରୂପେ ଭାଙ୍ଗିପଡିଥିଲେ । ତେବେ ଏହି ସମୟରେ ହାର୍ଦ୍ଦିକଙ୍କ ସାଥୀ ଖେଳାଳି ଜସ୍ପ୍ରୀତ ବୁମରା ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ଧୀରେ ଧୀରେ ଧରି ଉଠାଇଥିଲେ । ଆହୁରି ବି ପଞ୍ଜାବର ମାର୍କସ ଷ୍ଟଇନିସ୍ ହାର୍ଦ୍ଦିକଙ୍କୁ ଶାନ୍ତ୍ୱନା ଦେବାସହ ବୁଝାଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।
ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ । ରବିବାର ବିଳମ୍ବିତ ମଧ୍ୟରାତି ମୁକାବିଲାରେ ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୨୦୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି ବଳରେ ଗୋଟିଏ ଓଭର ପୁର୍ବରୁ ବିଜୟ ହାସଲ କରି ନେଇଥିଲା ଦଳ । ଶ୍ରେୟସ ୪୧ ବଲ୍ରୁ ୮୭ ରନ୍ କରିଥିଲେ । ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ରାତି ୧.୩୮ରେ ସରିଥିଲା ।