ନୂଆଦିଲ୍ଲୀ ୧୮/୦୩: ମୁମ୍ୱାଇ ଇଣ୍ଡିଆନ୍ସର କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା । ଗତ ବର୍ଷ, ରୋହିତ ଶର୍ମାଙ୍କୁ ରିପ୍ଲେସ କରି ହାର୍ଦ୍ଦିକଙ୍କୁ କମାଣ୍ଡ ଧରାଇଥିଲା ଦଳ । ମୁମ୍ବାଇ ଇଣ୍ଡିଆନ୍ସ (MI)ର ଅଧିନାୟକ ନିଯୁକ୍ତ ପରେ ସବୁଠି ଦେଖିବାକୁ ମିଳିଥିଲା ପ୍ରତିବାଦର ସ୍ୱର । ଏମିତିକି ଫ୍ୟାନ୍ସ MI ଜର୍ସି ପୋଡିବାକୁ ବି ପଛାଇନଥିଲେ । ହେଲେ ସବୁ ବାଦ ବିବାଦ ଭିତରେ ଆଇପିଏଲ୍ ସରିଥିଲା । କିନ୍ତୁ ଟି-୨୦ ବିଶ୍ୱକପ୍ ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଥିଲେ ପାଣ୍ଡ୍ୟା ।
ଚାମ୍ପିଅନ୍ସ ଟ୍ରଫିରେ ଭାରତ ବିଶ୍ୱ ବିଜେତା ହେବାରେ ହିରୋ ସାଜିଥିଲେ ହାର୍ଦ୍ଦିକ । ସେବେଠୁ ତରଳିଥିଲା ପ୍ରଶଂସକଙ୍କ ହୃଦୟ । ଧୀରେ ଧୀରେ ହାର୍ଦ୍ଦିକଙ୍କୁ ଲୋକେ ପସନ୍ଦ କରିଥିଲେ । କେବଳ ଟି-୨୦ ବିଶ୍ୱକପ୍ ନୁହେଁ ହାର୍ଦ୍ଦିକ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ସାଜିଥିଲେ ବିଜୟର ସୂତ୍ରଧର । ବିଜୟରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏଥିରୁ ସ୍ପଷ୍ଟ ଯେ, ଆଇପିଏଲ-୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକଙ୍କଠୁ ସେମିତି ଭଲପାଇବା ପାଇବେ ।
ଆଇପିଏଲ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି । ଯଦିଓ ବ୍ୟାନ୍ ଲାଗିବା କାରଣରୁ ପାଣ୍ଡ୍ୟା ଆଇପିଏଲ୍ର ପ୍ରଥମ ମ୍ୟାଚ୍ ଖେଳିବାରୁ ବାସନ୍ଦ ରହିବେ । ତଥାପି ମୁହଁ ଖୋଲିଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର । ସେ କହିଛନ୍ତି ଗତ କିଛି ମାସ ମଧ୍ୟରେ ସମୟର ଚକ ତାଙ୍କ ପାଇଁ ସମ୍ପୂର୍ଣ୍ଣ ୩୬୦ ଡିଗ୍ରୀ ଘୂରିଛି । କିନ୍ତୁ ଅନେକ ବାଧାବିଘ୍ନ ପରେ ବି ମାନିନଥିଲେ ହାର୍ । ସବୁ ପରିସ୍ଥିତିକୁ ସାମ୍ନା କରି ପଡ଼ିଆରେ ସେ ଛିଡା ହୋଇ ରହିଥିଲେ । ଏହି ୩୧ ବର୍ଷୀୟ ଖେଳାଳି ଏତେ ଆତ୍ମବିଶ୍ୱାସୀ ଥିଲେ ଯେ ସେ ପୂର୍ଣ୍ଣ ସମର୍ପଣର ସହିତ ଜାରି ରଖିଥିଲେ ନିଜର ଚେଷ୍ଟା ।
also read...
ଦିଲ୍ଲୀ କ୍ୟାପିଟାଲ୍ସ ନୂଆ କ୍ୟାପଟେନ୍ଙ୍କୁ ନେଇ ରାହୁଲଙ୍କ ରିଆକ୍ସନ, ଲେଖିଲେ ଏମିତି...
ହାର୍ଦ୍ଦିକ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲର ପରବର୍ତ୍ତୀ ସିଜିନ ପୂର୍ବରୁ ସାକ୍ଷାତକାର ଦେଇଥିଲେ । କହିଥିଲେ 'ମୁଁ କେବେ ହାର ମାନିନାହିଁ । ମୋ କ୍ୟାରିୟରରେ ଏପରି ସମୟ ଆସିଥିଲା, ଯେତେବେଳେ ମୋର ଧ୍ୟାନ ବିଜୟ ଅପେକ୍ଷା ଖେଳରେ ଅଧିକ ଫୋକସ ଥିଲା । ସେ କହିଥିଲେ, 'ମୁଁ ଅନୁଭବ କଲି ଯେ କ୍ରିକେଟ୍ ସବୁବେଳେ ମୋର ପ୍ରକୃତ ବନ୍ଧୁ ହୋଇ ରହିବ। ମୁଁ ନିଜେ ନିଜକୁ ଦୃଢ ସମର୍ଥନ କଲି ଏବଂ ମୋର କଠିନ ପରିଶ୍ରମର ଫଳ ପାଇଲି । ଯାହାକି ମୁଁ କଳ୍ପନା ଠାରୁ ଅପେକ୍ଷାକୃତ ଅଧିକ ଥିଲା ।
ହାର୍ଦ୍ଦିକ କହିଥିଲେ, 'ଏହି ଛଅ ମାସ ମଧ୍ୟରେ, ଆମେ ବିଶ୍ୱକପ୍ ଜିତିଥିଲୁ । ଆଉ ଦେଶକୁ ଫେରିବା ପରେ ମୋତେ ଯେଉଁ ଭଲପାଇବା ଓ ସମର୍ଥନ ମିଳିଛି ସେଥିରେ ମୁଁ ଅଭିଭୂତ ହୋଇଗଲି । ମୋ ପାଇଁ ସମୟର ଚକ ସମ୍ପୂର୍ଣ୍ଣ ୩୬୦ ଡିଗ୍ରୀ ଘୂରି ଯାଇଥିଲା। ସେ କହିଲେ, ଏମିତି ହେବ ବୋଲି ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି । କିନ୍ତୁ କୁହାଯାଏ, ଭାଗ୍ୟର ନିଜସ୍ୱ ଯୋଜନା ଥିଲା । ମୋ କ୍ଷେତ୍ରରେ, ଅଢ଼େଇ ମାସ ମଧ୍ୟରେ ସବୁକିଛି ବଦଳିଗଲା।'