ଇଣ୍ଡୋନେସିୟା ସୁଲାୱେସୀରେ ମିଳିଥିବା ଗୁମ୍ଫାଚିତ୍ର ମାନବତାର ସର୍ବ ପୂରାତନ କଳା : ଗବେଷଣା

NEWS7
hardcore-maoist-militias-arrested-in-koraput

ମେଲବର୍ଣ୍ଣ ୨୨।୧: ଏକ ନୂଆ ଗବେଷଣାରୁ ଜଣାପଡିଛି ଯେ ଇଣ୍ଡୋନେସିୟାର ସୁଲାୱେସୀ ଦ୍ୱୀପ ଗୁମ୍ଫାମାନଙ୍କରେ ଦେଖିବାକୁ ମିଳୁଥିବା ଗୁମ୍ଫା ଚିତ୍ର ମାନବ ଇତିହାସରେ ଏପର୍ଯ୍ୟନ୍ତର ସବୁଠୁ ପୁରାତନ ଜ୍ଞାତ ଗୁମ୍ଫା କଳା। ଏହି ଅନୁସନ୍ଧାନ ୟୁରୋପରେ ଦେଖିବାକୁ ମିଳୁଥିବା ଫ୍ରାନ୍ସ ଓ ସ୍ପେନର ପ୍ରସିଦ୍ଧ ଗୁମ୍ଫା ଚିତ୍ର ଠାରୁ ହଜାର ହଜାର ବର୍ଷ ପୁରୁଣା କଳାର ପ୍ରମାଣ ଦେଉଛି। ‘ନେଚର’ ଜର୍ଣ୍ଣାଲରେ ୨୨ ଜାନୁୟାରୀ ଗୁରୁବାର ପ୍ରକାଶିତ ଏହି ଗବେଷଣା ଆଲେଖ୍ୟରେ କୁହାଯାଇଛି ଯେ ପୂର୍ବ ଇଣ୍ଡୋନେସିୟାରେ ରହୁଥିବା ଲୋକେ ଏ ପର୍ଯ୍ୟନ୍ତ ଚିନ୍ତା କରାଯାଉଥିବା ସମୟଠାରୁ ଅନେକ ପୂର୍ବରୁ ପଥରରେ ଚିତ୍ର କରୁଥିଲେ।

ଏହି କଳାକାରମାନେ ନା କେବଳ ବିଶ୍ୱର ପ୍ରାରମ୍ଭିକ ଦିନମାନଙ୍କର କଳାକାର ଥିଲେ ବରଂ ସେହି ଜନସଂଖ୍ୟାର ଅଂଶବିଶେଷ ଥିଲେ ଯେଉଁମାନେ ପରେ ଅଷ୍ଟ୍ରେଲିୟା ଓ ପାପୁଆର ଆଦିବାସୀ ପୂର୍ବଜ ଭାବେ ବିକଶିତ ହୋଇଥିଲେ। ସୁଲାୱେସୀର ଚୁନ ପଥର ଗୁମ୍ଫା ମାନଙ୍କରେ ଲାଲ ରଙ୍ଗର ହାତ ଷ୍ଟେନସିଲ ମିଳିଛି, ଯାହାକୁ ପଥରରେ ହାତକୁ ଚାପି ରଖି ହାତ ଉପରେ ରଙ୍ଗକୁ ଫୁଙ୍କି ତିଆରି କରାଯାଇଥିଲା। ୟୁରେନିୟମ ସୁକ୍ଷ୍ମ ବିଶ୍ଲେଷଣରେ ଚିତ୍ର ତିଆରିର ସମୟ ଅନୁନ୍ୟ ୬୭,୮୦୦ ବର୍ଷ ପ୍ରାଚୀନ ବୋଲି ଜଣାପଡିଛି। ଏଣୁ ଏହା ସାରା ବିଶ୍ୱରେ ଏପର୍ଯ୍ୟନ୍ତର ସର୍ବ ପ୍ରାଚୀନ ଓ ସୁରକ୍ଷିତ ଯାଞ୍ଚ କରାଯାଇଥିବା ଗୁମ୍ଫା କଳା ବୋଲି ପ୍ରତୀତ ହୋଇଛି।

ଏହା ଆଞ୍ଚଳିକ ଚିତ୍ରରୁ ୧୫,୦୦୦ ବର୍ଷ ପୁରୁଣା ଓ ଫ୍ରାନ୍ସର ସବୁଠୁ ପୁରୁଣା ଗୁମ୍ଫା ଚିତ୍ର ଠାରୁ ୩୦,୦୦୦ ବର୍ଷ ପୁରୁଣା ବୋଲି କୁହାଯାଇଛି। ତେବେ ହାତର ଷ୍ଟେନସିଲ ଏକ ସ୍ୱତନ୍ତ୍ର କଳା ଓ ଏହି ଶୈଳୀ କେବଳ ସୁଲାୱେସୀ ଦ୍ୱୀପରେ ଦେଖିବାକୁ ମିଳେ। ଏଥିରେ ଆଙ୍ଗୁଳି ଗୁଡିକୁ ପଶୁଙ୍କ ପଞ୍ଜାଭଳି ଆକୃତି ଦିଆଯାଇଥିଲା। ଏଥିରୁ ଜଣାପଡୁଛି ଯେ ଏହି କଳାର ପ୍ରତୀକାତ୍ମକ ଅର୍ଥ ସମ୍ଭବତଃ ମାନବ ଓ ପଶୁଙ୍କ ସମ୍ବଦ୍ଧର ପ୍ରାଚୀନ ବୋଧ ସହ ସମ୍ପୃକ୍ତ ଥିଲା। ଏହା ପୂର୍ବରୁ ସୱଲାୱେସୀରେ ପକ୍ଷୀ ମୁଣ୍ଡ ଥିବା ମାନବ ଚିତ୍ର ଓ ଅନ୍ୟ ପଶୁ ସଂରଚନା ଚିତ୍ର ବି ଦେଖିବାକୁ ମିଳିଥିଲା। ଏ ଗୁଡିକ ଅନୁନ୍ୟ ୪୮,୦୦୦ ବର୍ଷ ପୁରୁଣା ଥିଲା।

ଗବେଷଣାରୁ ଏହା ବି ଜଣା ପଡିଛି ଯେ ଗୁମ୍ଫା ମାନଙ୍କରେ ଏହି ଚିତ୍ର କଳା ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ଥିଲା। ଏହା ପାଖାପାଖି ୨୦ ହଜାର ବର୍ଷ ପୂର୍ବେ ଶେଷ ହୀମ ଯୁଗ ପର୍ଯ୍ୟନ୍ତ ଜାରିଥିବାର ଅନୁମାନ କରାଯାଏ। ପରେ ପାଖାପାଖି ୪,୦୦୦ ବର୍ଷ ପୂର୍ବେ ଇଣ୍ଡୋନେସିୟାର ପ୍ରଥମ ଚାଷୀ, ଆଷ୍ଟ୍ରୋନେସିୟାନ ଭାଷାଭାଷୀ ଲୋକେ ଏଠାକୁ ଆସିଥିଲେ। ଏମାନେ ପୁରୁଣା ଚିତ୍ର କଳା ଉପରେ ନିଜର କଳ୍ପନାକୁ ଆକାର ଦେଇଥିଲେ। ଗବେଷଣାରୁ ଏହା ବି ସଂକେତ ମିଳୁଛି ଯେ ଏହି ସବୁ ଚିତ୍ର କରିଥିବା ଲୋକେ ସମ୍ଭବତଃ ସେହି ଜନସଂଖ୍ୟାର ଅଂଶବିଶେଷ ଥିଲେ ଯେଉଁମାନେ ପରେ ସମୁଦ୍ର ପାର ହୋଇ ଅଷ୍ଟ୍ରେଲିୟା ଓ ନ୍ୟୁଗିନି ପହଞ୍ଚିଥିଲେ। ଏମାନେ ଆଧୁନିକ ଅଷ୍ଟ୍ରେଲିୟଙ୍କ ପୂର୍ବଜ ଭାବେ ଜଣାଯାଆନ୍ତି।

ବିଶେଷଜ୍ଞଙ୍କ କହିବା କଥା ହେଉଛି ଏହି ଅନୁସନ୍ଧାନ ଏହା ଦର୍ଶାଉଛି ଯେ ପ୍ରାରମ୍ଭିକ ମାନବର ରଚନାତ୍ମକତା କେବଳ ୟୁରୋପ ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ଦକ୍ଷିଣ-ପୂର୍ବ ଏସିୟାରେ ପ୍ରତୀକାତ୍ମକ ବ୍ୟବହାର, କଳା ଓ ସାମାଜିକ ପରିଚୟର ଜଟିଳ ବୋଧ ପୂର୍ବରୁ ମହଜୁଦ ଥିଲା। ଏହି ସନ୍ଧାନ ମାନବ ସଂସ୍କୃତିର ଉତ୍ପତି ଓ ପ୍ରାରମ୍ଭିକ ରଚନାତ୍ମକତାର ଭୂଗୋଳକୁ ପୁନର୍ବିଚାର କରିବାର ସଂକେତ ଦେଉଛି ଓ କହୁଛି ଇଣ୍ଡୋନେସିୟା ଓ ଆଖପାଖ ଦ୍ୱୀପରେ ଆହୁରି ପ୍ରାଚୀନ କଳାର ସନ୍ଧାନ ମିଳିପାରେ।