ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ଲିଖିତ ବିରଳ ଚିଠି, ବିକ୍ରି ହେଲା ୫.୯ କୋଟି ଟଙ୍କାରେ

Published By : Prameya-News7 Bureau | June 29, 2025 IST

Business Standard

ନୂଆଦିଲ୍ଲୀ: ପାଞ୍ଚ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହେଲା ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ଲିଖିତ ୩୫ଟି ହାତଲେଖା ଚିଠି। ଏକ ନିଲାମୀରେ ଏହି ଚିଠି ସହ ୧୪ଟି ଲଫାଫା ସମୁଦାୟ ୫. ୯ କୋଟି ଟଙ୍କାରେ ବିକ୍ରି ହୋଇଛି। 

ଗତ ଜୁନ୍ ୨୬-୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା ‘ଅଷ୍ଟଗୁରୁଙ୍କ ନିଲାମୀ - "ସଂଗ୍ରହକଙ୍କ ପସନ୍ଦ" ଶୀର୍ଷକ ନିଲାମୀ । ନିଲାମ ହୋଇଥିବା ଏହି ଚିଠିଗୁଡ଼ିକୁ ନୋବେଲ ପୁରସ୍କାର ବିଜେତା ୧୯୨୭ରୁ ୧୯୩୬ ମଧ୍ୟରେ ଲେଖିଥିଲେ। ଏଗୁଡ଼ିକୁ ରବିନ୍ଦ୍ରନାଥ ଟାଗୋର ସମାଜବିଜ୍ଞାନୀ, ସଙ୍ଗୀତବିଜ୍ଞାନୀ ଏବଂ ବିଶ୍ୱସ୍ତ ଧୂର୍ଜତି ପ୍ରସାଦ ମୁଖାର୍ଜୀଙ୍କୁ ଲେଖିଥିଲେ। ଯେଉଁଥରୁ ୧୨ଟି ଚିଠିକୁ ରବିନ୍ଦ୍ରନାଥ ନିଜ ଉତ୍ତରାୟଣ ବାସଭବନ ବିଶ୍ବଭାରତୀ, ଦାର୍ଜିଲିଂର ଗ୍ଲେନ ଇଡେନ୍ ଭଳି ଭିନ୍ନ ଭିନ୍ନ ଠିକଣାରୁ ଲେଖିଥିଲେ।  

ଏନେଇ ଅଷ୍ଟଗୁରୁ ପକ୍ଷରୁ କୁହାଯାଇଛି, ଏହି ନିଲାମ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ ଏହା କୌଣସି କେବଳ ଏକ କଳାକୃତି ନୁହେଁ ବରଂ ଏକ ପାଣ୍ଡୁଲିପି-ଆଧାରିତ ଅଭିଲେଖାଗାର। ଏହା ଏପର୍ଯ୍ୟନ୍ତ ନିଲାମ ହୋଇଥିବା ରବୀନ୍ଦ୍ରନାଥଙ୍କ କୌଣସି ସାମଗ୍ରୀ ମଧ୍ୟରେ ଦ୍ୱିତୀୟ ସର୍ବୋଚ୍ଚ ମୂଲ୍ୟର ।

ଏହା ଅଷ୍ଟଗୁରୁର ମୁଖ୍ୟ ମାର୍କେଟିଂ ଅଧିକାରୀ (ସିଏମଓ) ମନୋଜ ମନସୁଖାନି କହିଛନ୍ତି, ଏହା କେବଳ ଏକ ସାହିତ୍ୟିକ କଳାକୃତି ନୁହେଁ, ଏହା ନୋବେଲ ପୁରସ୍କାର ବିଜେତାଙ୍କ ନିଜ ଶବ୍ଦରେ ନିଜର ଏକ ଆତ୍ମଜୀବନୀ।  ଚିଠିରେ ସେମାନଙ୍କର ଲେଖା, ଦାର୍ଶନିକ ଚିନ୍ତାଧାରା, ସାହିତ୍ୟକୁ ଉଜ୍ଜୀବିତ କରିବାକୁ ଉଦ୍ୟମ ଏବଂ ଦୁର୍ବଳତା ସବୁକିଛି ଖୁବ୍ ଆକର୍ଷଣୀୟ। ମନସୁଖାନି କହିଛନ୍ତି ଟାଗୋରଙ୍କ ଏହି ଚିଠିଗୁଡ଼ିକ ଖୁବ୍ ବିରଳ ଏବଂ ଖୁବ୍ ଅସାଧାରଣ।

ସେ ଆହୁରି କହିଛନ୍ତି ଟାଗୋରଙ୍କ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ର ସଂସ୍ଥାଗତ ଅଭିଲେଖାଗାରରେ ସଂରକ୍ଷିତ ଅଛି। ତେଣୁ ସାର୍ବଜନୀନ କ୍ଷେତ୍ରରେ ଏସବୁ ଦେଖିବାକୁ ବହୁତ କମ୍ । ଏହି ଚିଠିଗୁଡ଼ିକ ଏକ ବ୍ୟକ୍ତିଗତ ସଂଗ୍ରହରୁ ଆସିଛି। ଏହାର ଉତ୍ପତ୍ତିକୁ ଯତ୍ନର ସହିତ ଡକ୍ୟୁମେଣ୍ଟେସନ୍ କରାଯାଇଛି ଏବଂ ବର୍ଷ ବର୍ଷ ଧରି ଅନେକ ଚିଠି ପ୍ରମୁଖ ପତ୍ରିକା ଏବଂ ପୁସ୍ତକରେ ପ୍ରକାଶିତ ହୋଇଛି। 

ତେବେ ଏହି ଚିଠି କଲେକ୍ସନ ବ୍ୟତୀତ, ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ନିର୍ମିତ ଏକମାତ୍ର ଏବଂ ଜଣାଶୁଣା ମୂର୍ତ୍ତି, "ଦି ହାର୍ଟ" ମଧ୍ୟ ନିଲାମ ହୋଇଛି। ଟାଗୋରଙ୍କ ଭାଇ ଜ୍ୟୋତିରିନ୍ଦ୍ରନାଥଙ୍କ ପତ୍ନୀ କାଦମ୍ବରୀ ଦେବୀଙ୍କ ଉଦ୍ଦେଶ୍ୟରେ ଏହା ଉତ୍ସର୍ଗୀକୃତ ବୋଲି ବିଶ୍ୱାସ ରହିଛି। ଏହି କ୍ୱାର୍ଟଜାଇଟ୍ ଖଣ୍ଡଟି ପ୍ରାୟ ୧,୦୪,୫୨,୨୧୦ରେ ବିକ୍ରି ହୋଇଥିଲା। ଏହା ୧୮୮୩ ମସିହାରେ ନିର୍ମିତ ହୋଇଥିଲା। ସେତେବେଳେ ଟାଗୋରଙ୍କ ବୟସ ୨୨ ବର୍ଷ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.