ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼, ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ଅଣନିଃଶ୍ବାସୀ ହୋଇ ଭକ୍ତ ବେହୋସ

NEWS7
guli-mada-at-dhenkanal-front-of-office

ପୁରୀ ୧୫।୩: ରବିବାର ଛୁଟିଦିନ ଥିବାରୁ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଅସମ୍ଭାଳ ଭିଡ଼। ଭିଡ଼ ଏଭଳି ହୋଇଥିଲା ଯେ ସିଂହଦ୍ଵାର ବ୍ୟାରିକେଡ଼ ପୂର୍ଣ୍ଣ ହୋଇଯିବା ପରେ ଭକ୍ତଙ୍କ ଲମ୍ବା ଲାଇନ୍ ବଡ଼ଦାଣ୍ଡର ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ଲାଗି ରହିଥିଲା। ତେବେ ବଡ଼ଦାଣ୍ଡରେ କୌଣସି ସେଡ୍ ବ୍ୟବସ୍ଥା ନଥିବାରୁ ପ୍ରଚଣ୍ଡ ଖରାରେ ସିଝିଥିଲେ ଭକ୍ତ। ଖାଲି ପାଦରେ ପିଚୁ ଉପରେ ଠିଆ ହୋଇଥିବା ଭକ୍ତଙ୍କର ପାଦ ମଧ୍ୟ ପୋଡ଼ି ଯାଇଥିଲା। ଛୋଟ ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ ମହିଳାମାନେ ପ୍ରଚଣ୍ଡ ଖରାରେ ଠିଆହୋଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ପାଇଁ ବଡଦାଣ୍ଡରେ କପଡ଼ା ସେଡ୍ ନିର୍ମାଣ ପାଇଁ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି।

ସେହିପରି ଗୁଳୁଗୁଳିରୁ ରକ୍ଷା ପାଇଁ ବ୍ୟାରିକେଡ଼ରେ ଫ୍ୟାନ୍ ବ୍ୟବସ୍ଥା ସହିତ ପାନୀୟଜଳର ବ୍ୟବସ୍ଥା ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଜଳ ସିଞ୍ଚନ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ଭକ୍ତ ମାନେ ଦାବି କରିଛନ୍ତି। ସେପଟେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ମଧ୍ୟ କେତେକ ଭକ୍ତ ଅଣନିଃଶ୍ବାସୀ ହୋଇ ବେହୋସ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ ଯଥାଶୀଘ୍ର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଭକ୍ତମାନେ ମତ ଦେଇଛନ୍ତି।

ଏ ଖବର ବି ପଢ଼ନ୍ତୁ:- ପୁରୀରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ରଥଯାତ୍ରା ପୂର୍ବ ପ୍ରସ୍ତୁତିର କଲେ ସମୀକ୍ଷା

ଦିନକୁ ଦିନ ଖରା ବୃଦ୍ଧି ପାଉଥିବା ବେଳେ ଗୁଳୁଗୁଳି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପଟେ ଶ୍ରୀମନ୍ଦିର ନାଟମଣ୍ଡପରେ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଭକ୍ତ। ଅନେକ ଭକ୍ତ ପ୍ରବଳ ଗରମ ଏବଂ ଗୁଳୁଗୁଳି ସହ୍ୟ ନକରି ପାରି ନାଟମଣ୍ଡପ ଭିତରେ ବେହୋସ୍ ହୋଇ ପଡ଼ୁଥିବା ବେଳେ ବାନ୍ତି ମଧ୍ୟ କରି ପକାଉଛନ୍ତି। ଏହାଦ୍ବାରା ଅନେକ ସମୟରେ ମହାପ୍ରଭୁଙ୍କର ନୀତିକାନ୍ତି ମଧ୍ୟ ପ୍ରଭାବିତ ହେଉଛି। ଶ୍ରୀମନ୍ଦିର ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଖରାଦିନ ପୂର୍ବରୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାରମ୍ବାର କୁହାଯାଇଥିବା ବେଳେ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ। ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନେ ପ୍ରବଳ ଗୁଳୁଗୁଳି, ଗରମରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ରବିବାର ଏବଂ ସଂକ୍ରାନ୍ତି ଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ତେବେ ଭକ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସହିତ ଜଳ ସିଞ୍ଚନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେହିପରି ନାଟମଣ୍ଡପରେ ଏସି ଲଗାଯିବା ନେଇ ଟେଣ୍ଡର ସରିଥିବାବେଳେ ଯେଉଁ ସଂସ୍ଥା ଯୋଗ୍ୟ ବିବେଚିତ ହେବେ ତାଙ୍କ ଦ୍ବାରା ଏସି ଲଗାଯିବାର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରରେ ଭକ୍ତଙ୍କ ସୁବିଧା ଓ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା ପୁରୀ ଜିଲ୍ଲାପାଳ କହିଛନ୍ତି।

ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ସାରିଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହରୁ ଭକ୍ତଙ୍କ ସୁରକ୍ଷା ପାଇଁ ବଡଦାଣ୍ଡରେ ସେଡ୍ ବ୍ୟବସ୍ଥା ସହିତ ପାନୀୟଜଳ ଓ ପଙ୍ଖା ବ୍ୟବସ୍ଥା କରିବା ପାଇଁ ଜଗନ୍ନାଥ ପ୍ରେମୀ ବାରମ୍ବାର ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ ଶ୍ରୀମନ୍ଦିର ପ୍ରଶାସନ ବଡ଼ଦାଣ୍ଡରେ ଭକ୍ତଙ୍କ ସୁରକ୍ଷା ପାଇଁ ସେଡ୍ ବ୍ୟବସ୍ଥା କରୁନଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।