‘କର୍ତ୍ତବ୍ୟରେ ଅବହେଳା କରିନଥିଲେ ଗୋଧ୍ରା ଘଟଣା ରୋକାଯାଇପାରିଥାନ୍ତା’: GRP କର୍ମଚାରୀଙ୍କ ପୁନଃଚାକିରି ଆବେଦନକୁ ଖାରଜ କଲେ ଗୁଜୁରାଟ ହାଇକୋର୍ଟ

Published By : Prameya-News7 Bureau | May 03, 2025 IST

News7

ନୂଆଦିଲ୍ଲୀ: କର୍ତ୍ତବ୍ୟରେ ଅବହେଳା କରିନଥିଲେ ଗୋଧ୍ରା ଘଟଣାକୁ ରୋକାଯାଇପାରିଥାନ୍ତା। ୯ ଜଣ ରେଳବାଇ ପୋଲିସ(GRP) କର୍ମଚାରୀଙ୍କ ବହିଷ୍କାର ନିଷ୍ପତ୍ତିକୁ କାଏମ ରଖି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ଗୁଜୁରାଟ ହାଇକୋର୍ଟ। ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ପରେ ନିଆଯାଇଥିବା ଆକ୍ସନ ଉପରେ ଆବେଦନକାରୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। 

୨୦୦୨ ମସିହା ଫେବୃଆରୀ ୨୭ ତାରିଖରେ ସାବରମତୀ ଏକ୍ସପ୍ରେସରେ ଉତ୍ତ୍ୟକ୍ତ ଜନତାଙ୍କ ଦ୍ୱାରା ନିଆଁ ଲଗାଇ ଦିଆଯାଇଥିବା ଦିନ ସେମାନଙ୍କୁ ଡ୍ୟୁଟି କରିବାର ଥିଲା, କିନ୍ତୁ ଟ୍ରେନ ବିଳମ୍ବ ହେବାରୁ ସେମାନେ ଫେରି ଆସିଥିଲେ।

୨୪ ଏପ୍ରିଲରେ ତାଙ୍କ ଆଦେଶରେ ଜଷ୍ଟିସ୍ ବୈଭବୀ ନାନାବତୀ କହିଛନ୍ତି ଯେ, ଯଦି ନିୟୋଜିତ ଥିବା ପୋଲିସମାନେ ଅନ୍ୟ ଏକ ଟ୍ରେନ୍ ଧରି ଅହମ୍ମଦାବାଦ ଫେରିବା ପରିବର୍ତ୍ତେ ନିଜ କର୍ତ୍ତବ୍ୟ ଅନୁଯାୟୀ ସାବରମତୀ ଏକ୍ସପ୍ରେସରେ ଚଢ଼ିଥାନ୍ତେ, ତେବେ ଗୋଧ୍ରା ଷ୍ଟେସନ୍ ନିକଟରେ ଟ୍ରେନ୍‌ରେ ନିଆଁ ଲଗାଇବା ଘଟଣାକୁ ରୋକାଯାଇପାରିଥାନ୍ତା।

ଏହି ପୋଲିସ କର୍ମଚାରୀମାନଙ୍କୁ ପୁନଃ ଚାକିରି ପାଇଁ ଆବେଦନକୁ ଖାରଜ କରି ବିଚାରପତି କହିଛନ୍ତି ଯେ, ଆବେଦନକାରୀମାନେ ରେଜିଷ୍ଟରରେ ଫେକ୍‌ ଏଣ୍ଟ୍ରି କରିଥିଲେ। ଶାନ୍ତି ଏକ୍ସପ୍ରେସରେ ଅହମ୍ମଦାବାଦ ଫେରି ଆସିଥିଲେ। ଯଦି ଆବେଦନକାରୀ ସାବରମତୀ ଏକ୍ସପ୍ରେସରେ ଯାତ୍ରା କରି ଅହମ୍ମଦାବାଦ ପହଞ୍ଚିଥାନ୍ତେ, ତେବେ ଗୋଧ୍ରାରେ ଘଟିଥିବା ଘଟଣାକୁ ରୋକାଯାଇପାରିଥାନ୍ତା। ଆବେଦନକାରୀମାନେ ସେମାନଙ୍କ କର୍ତ୍ତବ୍ୟ ପ୍ରତି ଅବହେଳା ଏବଂ ଅସାବଧାନତା ପ୍ରଦର୍ଶନ କରିଥିଲେ।

୨୭ ଫେବୃଆରୀ ୨୦୦୨ ସକାଳ ପ୍ରାୟ ୭:୪୦ ସମୟରେ ଗୋଧ୍ରା ଷ୍ଟେସନ ନିକଟରେ ଏକ ଉତ୍ତ୍ୟକ୍ତ ଜନତା S6 କୋଚରେ ନିଆଁ ଲଗାଇ ଦେବା ଫଳରେ ସାବରମତୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଅତି କମରେ ୫୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ଫେରୁଥିବା ସ୍ୱେଚ୍ଛାସେବୀ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.