LIVE TV

GST ହାର ହ୍ରାସ ହେଲେ ଦାମ ସେହି ପୁରୁଣା, ତେବେ କାହାକୁ ମିଳୁଛି ଲାଭ?

NEWS7
gfx

ନୂଆଦିଲ୍ଲୀ ୨୭।୯:  କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ନିକଟରେ ଜିଏସଟି ସଂଶୋଧନ କରିଛନ୍ତି, ଯାହାଦ୍ୱାରା ଦୈନନ୍ଦିନ ଉପଯୋଗରେ ଆସୁଥିବା ସାମଗ୍ରୀ ଶସ୍ତା ହୋଇ ପାରିବ। ହେଲେ ବାସ୍ତବତା କିଛି ଅନ୍ୟ କଥା କହୁଛି। ଦୋକାନୀ ଓ ଅନଲାଇନ ଷ୍ଟୋରମାନେ ସାମଗ୍ରୀ ଉପରେ ଏବେବି ପୁରୁଣା ହାରରେ ଜିଏସଟି ଆଦାୟ କରୁଛନ୍ତି, ଏଣୁ ଖାଉଟିଙ୍କୁ ସରକାରଙ୍କ ଜିଏସଟି ସଂଶୋଧନର ଲାଭ ମିଳି ପାରୁ ନାହିଁ।

ଏହି ପ୍ରସଙ୍ଗକୁ ନେଇ ଏବେ ଉପଭୋକ୍ତା ଚିନ୍ତିତ ହୋଇପଡିଛନ୍ତି ଓ ଏ ନେଇ ଲଗାତାର ଅଭିଯୋଗ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଟୋଲ ଫ୍ରି ନମ୍ବର, ହ୍ୱାଟସଆପ ଓ ଆଇଏନଜିଆରଏମ ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିବାର ସୁବିଧା ଆରମ୍ଭ କରିଛନ୍ତି। ଏଥି ପାଇଁ ଯେଉଁ ଟୋଲ ଫ୍ରି ନମ୍ବରଟି ଦିଆଯାଇଛି ତାହା ହେଉଛି ୧୯୧୫, ସେହିପରି ହ୍ୱାଟଆପ ନମ୍ବରଟି ହେଉଛି ୮୮୦୦୦୦୧୯୧୫  ଏହା ଛଡା ଇଣ୍ଟିଗ୍ରେଟେଡ ଗ୍ରିଭାନ୍ସ ରିଡ୍ରେସାଲ ସିଷ୍ଟମ (ଆଇଏନଜିଆରଏଏମ) ପୋର୍ଟାଲରେ ମଧ୍ୟ ଅଭିଯୋଗ ଗ୍ରହଣ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗ୍ରୁପ ଅଫ ମିନିଷ୍ଟର୍ସ (ଜିଓଏମ)ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଗୁଡସ ଆଣ୍ଡ ସର୍ଭିସ ଟ୍ୟାକ୍ସକୁ ନେଇ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଜିଏସଟି ସ୍ଲାବ ଆଉ ପୂର୍ବ ଭଳି ୪ଥାକିଆ ନାହିଁ। ଏବେ ଜିଏସଟି ୫ ଓ ୧୮% ସୀମିତ ହୋଇଯାଇଛି। ଫଳରେ ୯୯% ସାମଗ୍ରୀର ମୂଲ୍ୟ ଶସ୍ତା ହୋଇଯାଇଛି। ଜିଏସଟି ହ୍ରାସ ସତ୍ତ୍ୱେ ଯଦି ଦୋକାନୀ ଆପଣଙ୍କଠାରୁ ଅଧିକ ଅସୁଲ କରୁଛନ୍ତି ତେବେ ଆପଣ ନିରବ ରହନ୍ତୁ ନାହିଁ ଏ ନେଇ ଅଭିଯୋଗ କରନ୍ତୁ। ଏହା ଉପଭୋକ୍ତାଙ୍କ ହକ୍ ଓ ଦାୟିତ୍ୱ ମଧ୍ୟ।

ଏ ନେଇ ଗ୍ରାହକଙ୍କଠାରୁ ନିୟମିତ ମିଳୁଥିବା ଅଭିଯୋଗ ଉପରେ ସରକାର ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଏସଟି ଟିମ୍ ଲଗାତାର ମାର୍କେଟ ବୁଲି ବୁଲି ସର୍ଭେ କରୁଛନ୍ତି। ଏଥି ପାଇଁ ଜିଏସଟିର ଅଲଗା ଅଲଗା ଟିମ୍ କାମ କରୁଛନ୍ତି। ଏହା ସତ୍ୱେ ମଧ୍ୟ ଅଭିଯୋଗ ସଂଖ୍ୟା ବଢି ବଢି ଚାଲିଛି। ଏଣୁ କେନ୍ଦ୍ରୀୟ ଅପ୍ରତକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଏହା ସ୍ପଷ୍ଟ କରିଛନ୍ତି ଯେ ଯେ କୌଣସି ଗ୍ରାହକ ଚାହିଁଲେ ନ୍ୟାସନାଲ କଞ୍ଜ୍ୟୁମର ହେଲପ ଲାଇନ ନମ୍ବରରେ କଲ କରି ନିଜର ଅଭିଯୋଗ ରୁଜୁ କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୨ ତାରିଖରୁ ଦେଶରେ କେବଳ ୨ଟି ଜିଏସଟି ସ୍ଲାବ କାର୍ଯ୍ୟକାରୀ ହେଉଛି ଏଥିରେ ଯଦି କୌଣସି ଦୋକାନୀ ଅଥବା ଅନଲାଇନ ଷ୍ଟୋର ଗ୍ରାହକଙ୍କ ଠାରୁ ଅନ୍ୟ ସ୍ଲାବରେ ଜିଏସଟି ଶୁଳ୍କ ଅସୁଲ କରୁଥାନ୍ତି ତେବେ ଏହା ବେଆଇନ ଓ ଏହା ବିରୋଧରେ ତୁରନ୍ତ ଅଭିଯୋଗ କରନ୍ତୁ।