ନୂଆଦିଲ୍ଲୀ: ନିଜର ପ୍ରକୃତି ସୁଧାରି ପାରିଲାନି ପାକିସ୍ତାନ। ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନର ଘୋଷଣା ସତ୍ତ୍ଵେ ପାକିସ୍ତାନ ସୀମାରେ ଅସ୍ତ୍ରବିରତିର ଉଲ୍ଲଂଘନ କରିଛି। ଏହା ଉପରେ କଠୋର ଆଭିମୁଖ୍ୟ ଆପଣେଇ ଭାରତ ପାକିସ୍ତାନକୁ ସ୍ଥିତି ଠିକରେ ବୁଝିବାକୁ କହିଛି। ଏଥିସହ ତୁରନ୍ତ ପାକିସ୍ତାନର ପ୍ରତିଟି ହମଲାର ଜବାବ ଦେବାକୁ ଭାରତୀୟ ସେନାକୁ କୁହାଯାଇଛି। ବିଦେଶ ସଚିବ ବିକ୍ରମ ମିଶ୍ରି ପାକିସ୍ତାନକୁ ସ୍ପଷ୍ଟ ସନ୍ଦେଶ ଦେଇ କହିଛନ୍ତି ଯେ, ଭାରତୀୟ ସେନା ସ୍ଥିତି ଉପରେ ସଂପୂର୍ଣ୍ଣ ନଜର ରଖିଛନ୍ତି ଏବଂ ପ୍ରତିଟି ଅନୁପ୍ରବେଶକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ।
ମିଶ୍ରି କହିଛନ୍ତି, ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତିର ଉଲ୍ଲଂଘନ କରାଯାଉଛି। ସୀମାରେ ସେନାକୁ ଅନୁପ୍ରବେଶର ସାମ୍ନା କରିବାକୁ ପଡ଼ିଛି। ଆମ ସେନା ସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦିଆଯାଇଛି। ପାକିସ୍ତାନ ଏହି ସ୍ଥିତିକୁ ଠିକରେ ବୁଝିବା ଏବଂ ଏହାକୁ ବନ୍ଦ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ।
ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇଥିଲା। ଫଳରେ ଭାରତ-ପାକିସ୍ତାନ ମଧ୍ୟରେ ୮୬ ଘଣ୍ଟା ଧରି ଜାରି ସଂଘର୍ଷ ଶନିବାର ସନ୍ଧ୍ୟା ୫ଟାରେ ଶେଷ ହୋଇଥିଲା। ମାତ୍ର ଏହାର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପକ୍ଷରୁ ଗୁଳିମାଡ଼ କରାଯାଇଛି। ଆଉ ଏହାର ମୁହଁତୋଡ଼ ଜବାବ ମଧ୍ୟ ଦେଉଛନ୍ତି ଭାରତୀୟ ସେନା।
ଶନିବାର ଅସ୍ତ୍ରବିରତି ଘୋଷଣା ହୋଇଥିଲେ ହେଁ ସନ୍ଧ୍ୟା ହେଉ ହେଉ ଜମ୍ମୁର ଉଧମପୁର ଜିଲ୍ଲାରେ ପୁଣି ଥରେ ପାକିସ୍ତାନ ଡ୍ରୋନ ହମଲା କରିଛି। ଶ୍ରୀନଗରରେ ଜୋରଦାର ଧମାକା ପରେ ସାଇରନ ବାଜିବାରେ ଲାଗିଛି। ପୂରା ସହରକୁ ବ୍ଲାକଆଉଟ୍ ଘୋଷଣା କରାଯାଇଛି। ଏଲଓସିରେ ଆରଏସପୁରା, ରାଜୌରୀ ଏବଂ ପୁଞ୍ଚରେ ଗୁଳିମାଡ଼ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ଫଳରେ ଏଲଓସିରେ ପୁଣି ଉତ୍ତେଜନା ଦେଖା ଦେଇଛି। ପାକିସ୍ତାନର ପ୍ରତିଟି ଦୁଃସାହସର ମୁହଁତୋଡ଼ ଜବାବ ଦେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।