ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରୁ ଗୋଟିଏ ହେଉଛି ଏମ୍ପଲୟମେଣ୍ଟ ଲିଙ୍କ୍ ଇନସେନଟିଭ ବା ରୋଜଗାର ସହ ଜଡ଼ିତ ପ୍ରୋତ୍ସାହନ ଯୋଜନା (ELI)କୁ ମଞ୍ଜୁରୀ। ସରକାର ୨୦୨୪-୨୫ରେ ବଜେଟରେ ଏହି ସ୍କିମର ଘୋଷଣା କରିଥିଲେ। ଯାହାକୁ ମଙ୍ଗଳବାର ଅର୍ଥାତ ଜୁଲାଇ ୧ରେ ମଞ୍ଜୁରୀ ମିଳିଛି। ଏହାର ଉଦ୍ଦେଶ୍ୟ ଚାକିରି ଦେଉଥିବା କମ୍ପାନି ଏବଂ ପ୍ରଥମ ଥର ଚାକିରି ଆରମ୍ଭ କରୁଥିବା ବ୍ୟକ୍ତିଙ୍କୁ ଆର୍ଥିକ ସହଯୋଗ ଦ୍ବାରା ଆନୁଷ୍ଠାନିକ ନିଯୁକ୍ତି ବଢ଼ାଇବା।
ଏହି ରୋଜଗାର ଯୋଜନାର ଅର୍ଥ ହେଉଛି ସରକାର ସେହି କମ୍ପାନି ଏବଂ ବ୍ୟବସାୟଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବେ ଯାହା ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବେ। ଏହା ଏକ ପ୍ରକାର ପୁରସ୍କାର (ପ୍ରୋତ୍ସାହନ)। ଏହା କମ୍ପାନିଗୁଡ଼ିକୁ ନୂଆ ଲୋକଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କୁ ଦକ୍ଷ କରିବା ପାଇଁ ଉତ୍ସାହିତ କରିବ। ଯୋଜନା ବିଶେଷ ଭାବରେ ଯୁବପିଢ଼ି, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ଏବଂ ଉତ୍ପାଦନ, ସେବା ଏବଂ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ଦେବ। ଯୋଜନା ୨୦୨୫ ଅଗଷ୍ଟ ୧ରୁ ୨୦୨୭ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ଦୁଇ ବର୍ଷ ମଧ୍ୟରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଯୋଜନା ରଖାଯାଇଛି।