ଆମେରିକା ବିଶ୍ୱବିଦ୍ୟାଳୟରେ କମୁଛି ଭାରତୀୟଙ୍କ ସଂଖ୍ୟା, ଭିସାକୁ ନେଇ ଅନିଶ୍ଚିତତା ଜାରି

NEWS7
goru-gadi-jabat

ନୂଆଦିଲ୍ଲୀ ୨୮/୦୨: ୨୦୨୫ ଅଗଷ୍ଟରେ ଆମେରିକା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ନାମଲେଖାରେ ୪୫% ହ୍ରାସ ଘଟିଛି । ଏଯାବତ୍ ଏହା ବଡ଼ ହ୍ରାସ । ଗ୍ରାଜୁଏଟ୍ ମ୍ୟାନେଜ୍ମେଣ୍ଟ ଆଡ୍ମିଶନ୍ କାଉନ୍ସିଲ୍(ଜିଏମ୍ଏସି)ର ଏକ ନୂଆ ଶ୍ୱେତପତ୍ରରୁ ଏହା ଜଣାପଡ଼ିଛି । ଡଲାର ତୁଳନାରେ ଟଙ୍କା ଅତି ମାତ୍ରାରେ ଦୁର୍ବଳ ହେବା ଫଳରେ ଆମେରିକାରେ ପାଠ ପଢ଼ିବା ହୋଇଛି ବ୍ୟୟବହୁଳ । ଏହି ଖର୍ଚ୍ଚକୁ ବହନ କରିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ପାଲଟିଛି । ଖାଲି ସେତିକି ନୁହେଁ ।

ଭିସାକୁ ନେଇ ଅନିଶ୍ଚିତତା ମଧ୍ୟ ଏକ ପ୍ରମୁଖ କାରଣ, ଯେଉଁଥିପାଇଁ ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । ରିପୋର୍ଟ ଅନୁସାରେ, ବିଦେଶରେ ପାଠପଢ଼ା ପାଇଁ ବର୍ଷ ବର୍ଷ ଧରି ଚାହିଦାରେ ରହି ଆସିଥିବା ଉତ୍ତର-ଆମେରିକୀୟ ଷ୍ଟଡି କରିଡର ଏହାର ଚମକ ହରାଇଛି । ଜଟିଳ ଭିସା ନୀତି, ମୁଦ୍ରା ଚାପ ଏବଂ ଖର୍ଚ୍ଚ ବୃଦ୍ଧି ଆଦି କାରଣ ଯୋଗୁ ଏବେ ବିଦେଶୀ ଛାତ୍ରଛାତ୍ରୀମାନେ ଏସିଆ ଏବଂ ମହାଦେଶୀୟ ୟୁରୋପ ଆଡ଼କୁ ମୁହାଁଉଛନ୍ତି ।

ଜଏମ୍ଏସିର ୨୦୨୫ ଆପ୍ଲିକେଶନ୍ ଟ୍ରେଣ୍ଡ୍ ସର୍ଭେ ଅନୁସାରେ ବ୍ରିଟେନକୁ ଛାଡ଼ି ସମଗ୍ର ୟୁରୋପରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆବେଦନ ସଂଖ୍ୟା ବୃଦ୍ଧି ପାଇଛି । କାନାଡା, ବ୍ରିଟେନ ଏବଂ ଆମେରିକାରେ ଆବେଦନ ସଂଖ୍ୟା ଖସିଛି । ୩୬୧ ବିଜ୍ନେସ ସ୍କୁଲ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଏସିଆ-ପାସିଫିକ୍ ରିଜିୟନରେ ୫୪% ଷ୍ଟଡି ପ୍ରୋଗ୍ରାମରେ ପୂର୍ବବର୍ଷ ତୁଳନାରେ ବିଦେଶୀ ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ, ଆମେରିକାରେ ଦୁଇ ତୃତୀୟାଂଶ ପ୍ରୋଗ୍ରାମରେ ନାମଲେଖା ହ୍ରାସ ପାଇଛି ।

ଆମେରିକା ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ନାମଲେଖା ହ୍ରାସ ପାଇବାର ଏକ ବଡ଼ କାରଣ ହେଉଛି ଭିସା ଅନିଶ୍ଚିତତା । ସେଠାରେ ପାଖାପାଖି ୯୦% ପ୍ରୋଗ୍ରାମରେ ଭାରତୀୟ ଛାତ୍ରଛାତ୍ରୀମାନେ ଜମା ପୈଠ କରିଥିଲେ କିନ୍ତୁ ସିଟ୍ ପାଇବାରେ ବିଫଳ ହୋଇଛନ୍ତି । ଏହାର କାରଣ ହେଉଛି ଭିସା ପାଇବାରେ ବିଳମ୍ବତା କିମ୍ବା ଭିସା ଖାରଜ ହେବା ଅବା ଏକାଧିକ ଜମା ପାଇଁ ଚାପ ପଡ଼ିବା ।

ଆମେରିକାରେ ପଢ଼ିବା ପାଇଁ ଅଣ-ଆମେରିକୀୟ ପ୍ରାର୍ଥୀମାନଙ୍କ ପସନ୍ଦ ୨୦୧୯ରେ ୫୭% ଥିବାବେଳେ ୨୦୨୫ରେ ୪୨%କୁ ହ୍ରାସ ପାଇଛି । ପଶ୍ଚିମ ୟୁରୋପରେ ଏହା ୬୩%ରେ ସ୍ଥିର ରହିଛି । ସେହିଭଳି ୨୦୨୫ରେ ପୂର୍ବ ୟୁରୋପ ଏବଂ ଏସିଆରେ ଆପ୍ଲିକେଶନ ସଂଖ୍ୟା ବୃଦ୍ଧି ପାଇଛି । ଅର୍ଥାତ୍ ଏବେ ଆମେରିକା ବଦଳରେ ଏସିଆ ଏବଂ ୟୁରୋପ ଛାତ୍ରଛାତ୍ରୀଙ୍କ ପସନ୍ଦ ପାଲଟିଛି ।

also read...

​​​​​​​ସ୍ୱାମୀ ରୋଜଗାର ମାତ୍ର ୩୨୫ ଟଙ୍କା, ସ୍ତ୍ରୀଙ୍କୁ ୧୦ ହଜାର ଟଙ୍କା ଭରଣପୋଷଣ ଦେବାକୁ କହିଲେ ସୁପ୍ରିମକୋର୍ଟ