ଶ୍ରୀମନ୍ଦିର ଧନୁ ସଂକ୍ରାନ୍ତି ଓ ପହିଲିଭୋଗ ନୀତି, ବଡ଼ଦେଉଳରୁ ମହାଲକ୍ଷ୍ମୀ ଗଲେ ବାପ ଘର

NEWS7
goru-gadi-jabat

ପୁରୀ ,୧୬/୧୨: ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି । କାହିଁ କେଉଁ ଅନାଦି କାଳରୁ ଏହା ପାଳିତ ହୋଇ ଆସୁଛି। ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ। ଏହି ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସମୟ ହେଉଛି ପ୍ରଖର ଶୀତର ସମୟ। ଏହି ସମୟରେ ମଣିଷ ମାନେ ଅଳସୁଆ ହୋଇ ଡେରିରେ ଶଯ୍ୟା ତ୍ୟାଗ କରିବା ସ୍ଵାଭାବିକ କଥା। କିନ୍ତୁ ଆମ ଦେଉଳ ପରମ୍ପରାରେ ଏହା ବିପରୀତ ହୋଇଥାଏ। ଏହି ମାସଯାକ ମହାପ୍ରଭୁଙ୍କ ନୀତିକାନ୍ତି ସୂର୍ଯ୍ୟୋଦୟ ବହୁ ପୁର୍ବରୁ ପାଳିତ ହୁଏ।

ଯେଉଁ ସମୟରେ ଲୋକେ ଶଯ୍ୟାରୁ ଉଠିବାକୁ ଇଛା ହେଉନଥାଏ ସେହି ସମୟରେ ମହାପ୍ରଭୁଙ୍କ ସ୍ନାହାନ ଅବକାଶ ଆଦି ନୀତି ଅନୁଷ୍ଠିତ ହୋଇ ବାଳ ଭୋଗ ଲାଗି ହୋଇ ସାରିଥାଏ। ଏହି ପହିଲି ଭୋଗ ନୀତି ଆମକୁ ଶିଖାଇ ଥାଏ ଶୀତଦିନରେ ଅଳସ ନ ହୋଇ କର୍ମଠ ହେବାକୁ। ଏମିତିରେ ବି ଏହି ସମୟ ଶସ୍ୟ ଅମଳର ସମୟ। କର୍ମ ପରାୟଣ ହୋଇ ଏହି ମାସରେ ଶସ୍ୟ ଅମଳ କାର୍ଯ୍ୟରେ ଲାଗିବାକୁ ଏହି ନୀତିକାନ୍ତି ଆମକୁ ଶିଖେଇ ଥାଏ। ଗୋଟିଏ ମାସର ଶସ୍ୟ ଅମଳ ବର୍ଷକ ପର୍ଯ୍ୟନ୍ତ ଆହାର ଯୋଗାଇଥାଏ।

​​​​​​​

ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳର ଗୋପଳବଲ୍ଲଭ ଭୋଗ ନୀତି ସହିତ ‘ପହିଲିଭୋଗ’ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ରାତ୍ର ଦୁଇ ଘଡି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ତତ୍ପରେ, ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ । ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ ।

ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି- ‘ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଣ୍ଟେଇ ପ୍ରଭୃତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି ।

ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଂଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ । ଲୋକବିଶ୍ୱାସରେ ମା’ ଲଷ୍ମୀ ଏହି ମାସଟି ନିଜର ବାପଘରେ କାଟନ୍ତି । ପୌଷ ମାସରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘର ମାନଙ୍କରେ ରହିଛି । ତେଣୁ ମା’ ବ୍ୟଗ୍ର ହୋଇ ନିଜ ପୁଅ ଝିଅଙ୍କୁ ଶୀତରେ ସକାଳଟାରୁ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି । ଏହି ପହିଲି ଭୋଗ ବଢା ଭାତର ସ୍ମୃତିକୁ ମନେ ପକାଇଦିଏ ।