ଗୁଗଲ CEO ସୁନ୍ଦ ପିଚାଇଙ୍କ କମିଛି ଆୟ, ବଢିଛି ସୁରକ୍ଷା ଖର୍ଚ୍ଚ

Published By : Prameya-News7 Bureau | May 03, 2025 IST

ନୂଆଦିଲ୍ଲୀ ୩।୫: ଟେକ୍ କମ୍ପାନୀ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ୍ ତାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ୨୦୨୪ ବାର୍ଷିକ ଆୟ ଘୋଷଣା କରିଛି। ଏଥିରେ ତାଙ୍କ ମୋଟ ଆୟ ହ୍ରାସ ହୋଇଥିବା ବେଳେ ସୁରକ୍ଷା ବାବଦ ବ୍ୟୟ ବଢିଥିବା ଜଣାପଡିଛି। ଆଲଫାବେଟର ୨୦୨୫ ପ୍ରକ୍ସି ଷ୍ଟେଟମେଣ୍ଟ ଅନୁସାରେ ସୁନ୍ଦର ପିଚାଇଙ୍କୁ ୨୦୨୪ରେ ମୋଟ ୧୦.୭୨ ମିଲିୟନ ଡଲାର (୮୯କୋଟି ଟଙ୍କା) ବେତନ ମିଳିଛି। ଏହା ୨୦୨୨ରେ ତାଙ୍କୁ ମିଳିଥିବା ୨୨୬ ମିଲିୟନ ଡଲାରରୁ ଅନେକ କମ ବୋଲି  କୁହାଯାଇଛି। 

ତାଙ୍କ ବାର୍ଷିକ ଆୟରେ ଏପରି ହ୍ରାସ ବିଶେଷ କରି ତ୍ରିବାର୍ଷିକ ଷ୍ଟକ୍ ଆୱାର୍ଡ ଅନୁପସ୍ଥିତି କାରଣରୁ ହୋଇଛି। ୨୦୨୨ ବେତନରେ ତାଙ୍କୁ ତ୍ରିବାର୍ଷିକ ଷ୍ଟକ୍ ଆୱାର୍ଡ ମଧ୍ୟ ମିଳିଥିଲା। ସୁନ୍ଦର ପିଚାଇଙ୍କ ବେସିକ ସାଲାରୀ ୨ ମିଲିୟନ ଡଲାର (ପାଖାପାଖି ୧୬କୋଟି ଟଙ୍କା) ହୋଇଥିବା ବେଳେ ମୂଳ ପ୍ୟାକେଜର ଏକ ବୃହତ୍ତ ଅଂଶ ଷ୍ଟକ ଆୱାର୍ଡ ଓ ଅନ୍ୟ ସୂତ୍ରରୁ ମିଳିଥାଏ। ତେବେ ସେ ତାଙ୍କ ସୁରକ୍ଷା ବାବଦକୁ ୮.୨୭ ମିଲିୟନ ଡଲାର ଅର୍ଥାତ ୬୯ କୋଟି ଟଙ୍କା ବ୍ୟୟ କରିଛନ୍ତି। 

ଆଲଫାବେଟ୍ ରିପୋର୍ଟ ମୁତାବକ ପିଚାଇଙ୍କ ଲାଗି ଏହି ସୁରକ୍ଷା ବ୍ୟବସ୍ଥାରେ ଘରର ସୁରକ୍ଷା, କନସଲ୍ଟେସନ ଫି, କାର ଓ ଡ୍ରାଇଭର ସେବା ଏବଂ ତାଙ୍କର ସବୁ ଯାତ୍ରା କାଳର ପର୍ସନାଲ ସିକ୍ୟୁରିଟି ବାବଦ ବ୍ୟୟ ମଧ୍ୟ ସାମିଲ ରହିଛି। କମ୍ପାନୀର କହିବା କଥା ହେଉଛି ସୁନ୍ଦର ପିଚାଇ ଭୂମିକାକୁ ନଜରରେ ରଖି ଏହି ବ୍ୟୟ ବ୍ୟବସାୟୀକ ରିସ୍କିକୁ କମ କରିବା ଲାଗି ଜରୁରି ଓ ଏହାକୁ କୌଣସି ବ୍ୟକ୍ତିଗତ ଲାଭ ମନେ କରାଯାଏନା। 

ରିପୋର୍ଟରେ ଏହା ବି କୁହାଯାଇଛି ଯେ ପିଚାଇ ୨୦୨୪ରେ ଖୁବ୍ ଅଧିକ ଯାତ୍ରା କରିଛନ୍ତି। ଏଣୁ ତାଙ୍କ ସୁରକ୍ଷା ଆବଶ୍ୟକତା ବୃଦ୍ଧି ହୋଇଥିଲା। ଏଣୁ କମ୍ପାନୀଙ୍କୁ ତାଙ୍କ ସୁରକ୍ଷା ନିମନ୍ତେ ଅଧିକ ବ୍ୟୟ କରିବାକୁ ପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.