କଟକ: ସିଡିଏ ସେକ୍ଟର-୯ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଡ଼ିଆରେ ରବିବାରଠାରୁ ଆରମ୍ଭ ହୋଇଛି 'ଗୁଡବାଏ ଟେନସନ୍' ବା 'ବିଦାୟ ଦୁଶ୍ଚିନ୍ତା ' ଶିବିର। ୯ଦିନ ଧରି ଚାଲିବାକୁ ଥିବା ଏହି 'ଗୁଡବାଏ ଟେନସନ୍' ଶିବିରରେ, ଦୁଶ୍ଚିନ୍ତାରୁ ଦୁରେଇ ରହି କିଭଳି ସୁଖ, ଶାନ୍ତିରେ ଜୀବନଯାପନ କରିହେବ ସେନେଇ ପ୍ରଶିକ୍ଷଣ ଦେଉଛନ୍ତି ଜଣାଶୁଣା ଷ୍ଟ୍ରେସ ମ୍ୟାନେଜମେଣ୍ଟ ବିଶେଷଜ୍ଞ ଇନ୍ଦୋରର ବ୍ରହ୍ମାକୁମାରୀ ପୁନମ୍।
ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ ଏହି ନିଆରା ଶିବିରକୁ ମେୟର ସୁବାଷ ସିଂହ ଓ ଓଡ଼ିଶାରେ ବ୍ରହ୍ମାକୁମାରୀ ସଂସ୍ଥାର ପ୍ରାଣ ପ୍ରତିଷ୍ଠାତ୍ରୀ ରାଜଯୋଗିନୀ ବ୍ରହ୍ମାକୁମାରୀ କମଳେଶ ଦିଦି ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଛନ୍ତି। ଉଦଘାଟନୀ ଦିବସରେ ବ୍ରହ୍ମାକୁମାରୀ ପୁନମ୍ ଜୀବନରେ ଦୁଶ୍ଚିନ୍ତା, ନୈରାଶ୍ୟବୋଧ ଦୂର କରି କିଭଳି ସୁଖ, ଶାନ୍ତି ଓ ସୁସ୍ଥ ଜୀବନଯାପନ କରିହେବ, ସେଥିପାଇଁ ଉପସ୍ଥିତ ଲୋକମାନଙ୍କୁ ସାତଟି ସହଜ ସୂତ୍ର କହିଛନ୍ତି।
ବ୍ରହ୍ମାକୁମାରୀ ପୁନମଙ୍କ ସୂତ୍ର ଅନୁସାରେ ବିଛଣାରୁ ଉଠିବା ମାତ୍ରେ ନିଜର ଅନଃମନକୁ ସକାରାତ୍ମକ କଥାରେ ଭରିଦେବା। ଧ୍ୟାନ ମୁଦ୍ରାରେ ବସି ନିଜ ଉପରେ ଇଶ୍ବରଙ୍କ ଆଶୀର୍ବାଦର କିରଣ ବର୍ଷା ହେଉଥିବାର ଅନୁଭବ କରିବା, ନିଜକୁ ଈଶ୍ବରଙ୍କ ସନ୍ତାନ ଅନୁଭବ କରି ସଫଳତା ଆମର ଜନ୍ମ ସିଦ୍ଧ ଅଧିକାର ଭଳି ଅନୁଭବ କରିବା ଦରକାର। ଏହା ଦ୍ବାରା ମଣିଷର ଅନ୍ତଃମନ ସୁଖ, ଶାନ୍ତି ଓ ସଫଳତା ପାଇଁ କାମ କରିବା ଆରମ୍ଭ କରିବ ବୋଲି କହିଛନ୍ତି ବ୍ରହ୍ମାକୁମାରୀ ପୁନମ୍।
ସେକ୍ଟର -୯ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଡ଼ିଆରେ ଆରମ୍ଭ ହୋଇଥିବେ ଏହି ଶିବିର ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର ଉଦଘାଟନୀ ଅବସରରେ ଶିବିରରେ ରାଜ୍ୟର ବରିଷ୍ଠ ଡାକ୍ତର, ଆଇନଜୀବୀ ଓ ବ୍ୟବସାୟୀଙ୍କ ସହ ବିଭିନ୍ନ ବର୍ଗର ସାତ ଶହରୁ ଅଧିକ ଲୋକ ଯୋଗ ଦେଇଥିଲେ। ବ୍ରହ୍ମାକୁମାରୀ ପୁନମଙ୍କ ଅନ୍ତଃମନ ବା ସବକନସସ୍ ମାଇଣ୍ଡ ଟ୍ରେନିଂ କୌଶଳ ଅତ୍ୟନ୍ତ ବିଜ୍ଞାନ ସମ୍ମତ ବୋଲି ଯୋଗ ଦେଇଥିବା ଡାକ୍ତରମାନେ କହିବା ସହ ମେୟର ସୁବାଷ ସିଂହ କହିଛନ୍ତି ଏଭଳି ଅଭ୍ୟାସ ଜୀବନ ପରିବର୍ତ୍ତନ କରିଦେବ ବୋଲି ମତ ଦେଇଛନ୍ତି।