ଭୁବନେଶ୍ଵର: ସାତ ଦଫା ଦାବିରେ ଆନ୍ଦୋଳନ କରୁଥିବା ଡ୍ରାଇଭର ସଂଘର ଧର୍ମଘଟ ବୁଧବାର ଦ୍ଵିତୀୟ ଦିନରେ ପହଞ୍ଚିଛି। ଫଳରେ ପରିବହନ ସେବା ପ୍ରଭାବିତ ହୋଇଛି। ଗତକାଲି ରାଜ୍ୟ ସରକାର ଓ ଡ୍ରାଇଭର ସଂଘ ମଧ୍ୟରେ ଆଲୋଚନାରେ କୌଣସି ନିର୍ଯାସ ବାହାରି ପାରିନି। ବୁଧବାର ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗରେ ଡ୍ରାଇଭର ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ବଡ଼ ସୂଚନା ଦେଇଛନ୍ତି। ସରକାର ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ସେ କହିଛନ୍ତି।
ମେଣ୍ଡୁଲି କହିଛନ୍ତି, ଖଣି ଅଞ୍ଚଳରେ ୭୦ ପ୍ରତିଶତ ସ୍ଥାନୀୟ ଡ୍ରାଇଭରଙ୍କୁ ଅଗ୍ରାଧିକାର ଦିଆଯାଉ। ଆମ ଦାବି ସରକାର ଗ୍ରହଣ କରନ୍ତୁ। ଯଦି ସରକାର କହୁଛନ୍ତି ଦାବି ଗ୍ରହଣ ହୋଇଛି ତେବେ ଆମକୁ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ। ଆମେ ଆନ୍ଦୋଳନରୁ ଓହରିଯିବୁ। ନଚେତ୍ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି। ଯଦି ଏମିତି ଆନ୍ଦୋଳନ ଆଗକୁ ଜାରି ରହେ ତେବେ ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲ୍ ମିଳିବା ମୁସ୍କିଲ ହୋଇ ପଡ଼ିବ। କାରଣ ତେଲ ଟ୍ୟାଙ୍କର ଚଲାଉଥିବା ଡ୍ରାଇଭରମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
Also read: ଝାରପଡ଼ା ଜେଲ୍ରୁ ବାହାରିଲେ ଜଗନ୍ନାଥ ପ୍ରଧାନ, ଭବ୍ୟ ସ୍ଵାଗତ କଲେ ଦଳୀୟ କର୍ମୀ ଓ ନେତା
ଗତକାଲି ଓଡ଼ିଶା ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଖାରବେଳ ଭବନରେ ପରିବହନ କମିସନର ଓ ସଚିବଙ୍କ ସହିତ ଅଢ଼େଇ ଘଣ୍ଟା ଧରି ଆଲୋଚନା ହୋଇଥିଲା । ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସହିତ ମଧ୍ୟ ୪ ଘଣ୍ଟା ଧରି ଆଲୋଚନା ହେଲା, କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ ।
ଡ୍ରାଇଭର ସଙ୍ଘ ସହ ବୈଠକ ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ । ଗତକାଲି ଦିନ ତମାମ ରାଜ୍ୟବ୍ୟାପୀ ଅଲ ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଥିଲା । ଫଳରେ ବସ୍, ଅଟୋ କିଛି ଗଡ଼ିନଥିଲା । ହଜାର ହଜାର ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ହଇରାଣ ହୋଇଥିଲେ । ଲାଗୁଥିଲା, ସରକାରଙ୍କ ସହ ଆଲୋଚନା ପରେ ବାହାରିବ ସମାଧାନର ବାଟ, କିନ୍ତୁ ପରିବହନ ମନ୍ତ୍ରୀଙ୍କ ସହ ୪ ଘଣ୍ଟା ଆଲୋଚନା ସତ୍ତ୍ବେ କୌଣସି ସମାଧାନର ବାଟ ବାହାରି ପାରିନାହିଁ । ୭ ଦଫା ଦାବି ନେଇ ଡ୍ରାଇଭର ଆନ୍ଦୋଳନକୁ ଓହ୍ଲାଇଛନ୍ତି ।