ଆତଙ୍କବାଦ ବିରୋଧୀ ଲଢ଼େଇରେ ସମର୍ଥନ ଜଣାଇଲା ଜର୍ମାନୀ: କହିଲା, ନିଜକୁ ରକ୍ଷା କରିବାର ଅଧିକାର ଭାରତର ଅଛି

Published By : Prameya-News7 Bureau | May 23, 2025 IST

indiatoday

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଜଣାଇଲା ଜର୍ମାନୀ। ଆତଙ୍କବାଦ ବିରୁଦ୍ଧରେ ନିଜକୁ ରକ୍ଷା କରିବାର ଅଧିକାର ଭାରତର ଅଛି ବୋଲି କହିଲେ ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲ। ଶୁକ୍ରବାର ବର୍ଲିନରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ଜର୍ମାନ ପ୍ରତିପକ୍ଷ। ଏଥିସହିତ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ବି ନିନ୍ଦା କରିଛନ୍ତି। 

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନର ବୁଝାମଣା ବଜାୟ ରଖିବାର ଗୁରୁତ୍ୱ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଏବଂ ଦ୍ୱିପାକ୍ଷିକ ଭାବରେ ବିବାଦର ସମାଧାନ ପାଇଁ ଏକ ସ୍ଥିର ଆଲୋଚନା ପାଇଁ ସେ ଆହ୍ୱାନ କରିଥିଲେ।

ଉଭୟ ପାର୍ଶ୍ୱରେ ସାମରିକ ଆକ୍ରମଣ ପରେ, ନିଶ୍ଚିତ ଭାବରେ ଭାରତକୁ ଆତଙ୍କବାଦ ବିରୁଦ୍ଧରେ ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ବର୍ତ୍ତମାନ ଯୁଦ୍ଧବିରାମ ଲାଗୁ ହେବାକୁ ଆମେ ବହୁତ ପ୍ରଶଂସା କରୁଛୁ ବୋଲି ୱାଡେଫୁଲ କହିଛନ୍ତି। 

ୟୁରୋପର ତ୍ରି-ରାଷ୍ଟୀୟ ଭ୍ରମଣରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବର୍ତ୍ତମାନ ଜର୍ମାନୀରେ ଅଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ ଆତଙ୍କବାଦ ଉପରେ ଭାରତର ଦୃଢ଼ ଆଭିମୁଖ୍ୟକୁ ଦୋହରାଇଛନ୍ତି। ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ରଖିଛି। ଭାରତ କେବେବି ପରମାଣୁ ବ୍ଲାକମେଲ୍ ଆଗରେ ହାର ମାନିବ ନାହିଁ ବୋଲି ସେ କହିଛନ୍ତି। 

କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ମଧ୍ୟ ଭାରତର ସ୍ଥିତି ସମ୍ପର୍କରେ ଜର୍ମାନୀର ସମର୍ଥନକୁ ସ୍ୱାଗତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ "ଆତଙ୍କବାଦ ବିରୁଦ୍ଧରେ ପ୍ରତ୍ୟେକ ରାଷ୍ଟ୍ରର ନିଜକୁ ରକ୍ଷା କରିବାର ଅଧିକାର ଅଛି ବୋଲି ଜର୍ମାନୀର ବିଚାରଧାରାକୁ ଆମେ ଗୁରୁତ୍ୱ ଦେଉଛୁ।" 

ସୂଚନା ଥାଉକି, ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହେବା ପରେ ଭାରତ ପାକିସ୍ତାନ ବିରୁଦ୍ଧରେ କୂଟନୈତିକ ଲଢ଼େଇ ଆରମ୍ଭ କରିଥିଲା। ଏହି କ୍ରମରେ ଭାରତ ସରକାର ୭ ପ୍ରତିନିଧି ଦଳ ଗଠନ କରିଥିଲେ। ଯେଉଁମାନେ ବିଭିନ୍ନ ଦେଶ ଯାଇ ପାକିସ୍ତାନର ଆତଙ୍କବାଦୀକୁ ପ୍ରୋତ୍ସାହନ ବିଷୟରେ ଅବଗତ କରାଉଛନ୍ତି। ଏବଂ ବିଦେଶରୁ ସମର୍ଥନ ହାସଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏପଟେ ପ୍ରଧାନମନ୍ତ୍ରୀ ଏକ ନୂଆ ନୀତି ଘୋଷଣା କରିଚନ୍ତି। ଭାରତ ମାଟିରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ଭାରତ ବିରୁଦ୍ଧରେ ଯୁଦ୍ଧ ବୋଲି ଧରିନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.