ନୂଆଦିଲ୍ଲୀ ୨୧/୦୮: ଲିଭିଯିବ ୫୪ ବର୍ଷର ନିଆଁ । ବନ୍ଦ ହେବ ନର୍କର ଦ୍ବାର । ଖୁବ ଶୀଘ୍ର ତୁର୍କମେନିସ୍ତାନର 'ଦି ଗେଟ୍ ଅଫ୍ ହେଲ୍' ବନ୍ଦ ହୋଇପାରେ । ହେଲେ କେମିତି ? ଏକ ଶକ୍ତି କଂପାନୀ ନିଆଁ ଲିଭାଇବାକୁ ଆରମ୍ଭ କରିଛି ପ୍ରୟାସ । ଯାହାକୁ ନେଇ ଦେଖାଦେଇଛି ନୂଆ ଆଶା । ୧୯୭୧ ମସିହାରେ ନିଆଁ ଲାଗିବା ପରଠାରୁ କାରାକୁମ ମରୁଭୂମି ଏକ ନିଆଁ ପିଣ୍ଡୁଳା ପାଲଟିଯାଇଛି । ନିଆଁ ଲିଭାଇବାକୁ ଅନେକ ଥର ପ୍ରୟାସ ହୋଇଛି । ବାୟୁମଣ୍ଡଳରୁ ନିର୍ଗତ ମିଥେନ ଗ୍ୟାସକୁ ରୋକିବାକୁ ଚାରିପାଖରେ କୂଅ ଖୋଳିବା ଉପାୟ ମଧ୍ୟ ସଫଳ ହୋଇନି । ତେବେ ଏଥର କିଛି ନୂଆ ଘଟିପାରେ ବୋଲି ଚର୍ଚ୍ଚା ହେଉଛି ।
ଦୀର୍ଘ ୫୪ ବର୍ଷ ଧରି ଜଳୁଥିବା ନିଆଁ ପଛରେ ରହିଛି ଅନେକ କଥା । ନର୍କର ଦ୍ବାରକୁ ନେଇ ବଡ କଥାଟି ହେଲା ଏହା ଅନେକଙ୍କୁ ଆକର୍ଷିତ କରେ । ସୁନ୍ଦର ଦୃଶ୍ୟ ଭାବେ ଏହାକୁ ଦେଖିବାକୁ ଅନେକ ଭିଡ ବି ହୁଏ । ତଥାପି ଏହାର ନାଁ ଗେଟ୍ ଅଫ୍ ଦି ହେଲ୍ । ଏ ନିଆଁ କିପରି ଆସିଲା ? କିଏ ଲଗାଇଲା ? କେମିତି ଲିଭିବ ? ଏକ ଏମିତି ଜାଗା ପୃଥିବୀ ବାହାର କରୁଛି ନିଆଁ । ଗୋଟିଏ କି ୨ ବର୍ଷ ନୁହେଁ ଦୀର୍ଘ ୫୪ ବର୍ଷ ହେଲାଣି ଅନବରତ ଜଳୁଛି । ରାତି ସମୟରେ ଏହାର ଦୃଶ୍ୟ ଯେତିକି ଭୟଙ୍କର ସେତିକି ରହସ୍ୟମୟ । ଏହାକୁ ପାଖରୁ ଦେଖିଥିବା ଲୋକ କହନ୍ତି ସତରେ ତ ପୁରା ନର୍କର ଦ୍ବାର ପରି ଲାଗୁଛି । ବିଜ୍ଞାନ ପାଇଁ ଆଜି ବି ଏ ରହସ୍ୟ ଅଭେଦ୍ୟ । କିଛି ବୈଜ୍ଞାନିକ କେବଳ ଏହାକୁ ଦୁର୍ଘଟଣା ମାନନ୍ତି । କିନ୍ତୁ ଅନେକ କହନ୍ତି ଏହା ପ୍ରାକୃତିକ ରହସ୍ୟ । ଯାହା ପୃଥିବୀ ତଳେ ଲୁଚିଥିବା ଅଲଗା ଦୁନିଆର ସଂକେତ ।
ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି କେବେ ଲିଭିବ ନିଆଁ । ସତରେ ବଡ ଜଟିଳ ଏ ରହସ୍ୟ । ଗୋଟିଏ ଭୁଲ,ଗୋଟିଏ ନିଆଁ ଓ ଗୋଟିଏ ରହସ୍ୟ । ସୋଭିଏତ ସଂଘର ଉତ୍ତରରେ ଥିବା ତୁର୍କମେନିସ୍ତାନରେ ରହିଛି ବିରାଟ ଗର୍ତ୍ତ । ଯାହାକୁ କୁହାଯାଏ ନର୍କର ଦ୍ବାର ବା ଗେଟ୍ସ ଅଫ ହେଲ୍ । ତୁର୍କମେନିସ୍ତାନର ୧୭ ପ୍ରତିଶତ ଅଂଶରେ ରହିଛି କାରାକୁମ ମରୁଭୂମି । ତୁର୍କମେନିସ୍ତାନର ରାଜଧାନୀ ଅସଗାବାଦଠାରୁ ୨୬୦ କିଲୋମିଟର ଦୂର ଉତ୍ତରରେ ଥିବା କାରାକୁମ ମରୁଭୂମିରେ ଥିବା ଦରବାଜା ଗଁରେ ରହିଛି ଦରବାଜା ଗ୍ୟାସ କ୍ରେଟର । ଯାହାକୁ କୁହାଯାଏ ନର୍କକୁ ଦ୍ବାର । ଫୁଟବଲ ପଡିଆ ପରି ଦେଖାଯାଉଥିବା ଏ ଗର୍ତ୍ତର ଚଉଡା ୭୦ ମିଟର ଓ ଗଭୀର ୩୦ ମିଟର । ନିଆଁ ଜଳୁଥିବା ଗାତ ସଂପର୍କରେ କାହାଣୀ ଆରମ୍ଭ ହୁଏ ୮୦ ଦଶକ ଆରମ୍ଭରୁ ।
ସେହି ସମୟରେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସୋଭିଏତ ସଂଘ ଓ ଆମେରିକା ମଧ୍ୟରେ ଚାଲିଥିଲା ଶୀତଳ ଯୁଦ୍ଧ । ମଧ୍ୟ ପୂର୍ବର ଅଧିକାଂଶ ଦେଶ ତେଲ ଓ ଗ୍ୟାସର ସନ୍ଧାନ କରୁଥିଲେ । ଏତିକି ବେଳେ ୧୯୭୧ ମସିହାରେ ସୋଭିଏତ ସଂଘର କିଛି ଭୂବୈଜ୍ଞାନିକ ଏଠାରେ ତେଲ ଓ ଗ୍ୟାସ ସନ୍ଧାନରେ ଆସିଥିଲେ । ଖୋଜୁ ଖୋଜୁ ଗୋଟିଏ ଜାଗାରେ ନଜର ଆସିଲା ପ୍ରାକୃତିକ ଗ୍ୟାସ । ଯୋଜନା ମୁତାବକ ଆରମ୍ଭ ହୋଇଯାଇଥିଲା ଡ୍ରିଲିଂ । ହେଲେ ଅଚାନକ ଘଟିଲା ଅଘଟଣ । ଡ୍ରିଲିଂ ମେସିନ ପଶି ଜମି ଧସିଗଲା । ତା ପରେ ସୃଷ୍ଟି ହେଲା ଏକ ବିରାଟ ଗାତ । ଯାହା ଥିଲା ସମସ୍ତଙ୍କ କଳ୍ପନାର ବାହାରେ । ସବୁଠାରୁ ଚିନ୍ତାର ବିଷୟ ଥିଲା ଏହି ଗାତରୁ ପ୍ରଚୁର ପରିମାଣରେ ବାହାରୁଥିଲା ମିଥେନ ଗ୍ୟାସ । ନିଆଁକୁ ବନ୍ଦ କରିବାକୁ ଏକ ଉପାୟ ଚିନ୍ତା କଲେ ବୈଜ୍ଞାନିକ । ସମସ୍ତଙ୍କ ମନକୁ ଗୋଟିଏ କଥା ଆସିଲା ଗାତରେ ନିଆଁ ଲଗାଇ ଦେଲେ ସମସ୍ୟାର ସମାଧାନ ହୋଇଯିବ । ଅର୍ଥାତ ଧିରେ ଧିରେ ମିଥେନ ଗ୍ୟାସ ସରିଯିବ ଓ ନିଆଁ ବି ଲିଭିଯିବ । ହେଲେ ଏହି ଉପାୟ ଓଲଟା ପଡିଗଲା । ନିଆଁ ବନ୍ଦ ହେବା ତ ଦୂର କଥା ଅଧିକରୁ ଅଧିକ ଜଳିଲା । ଯାହା ଆଜି ପର୍ଯ୍ୟନ୍ତ ବି ଜଳୁଛି ।
ରାତି ସମୟରେ ଏହାର ଚମକ ଅନେକ କିଲୋମିଟର ଯାଏ ଦେଖାଯାଏ । ଗରମ ଏତେ ଭୟାନକ ହୋଇଥାଏ ଯେ ପାଖରେ ଠିଆ ହେବା ମୁସ୍କିଲ ହୋଇଯାଏ । ଯାହା ଧିରେ ଧିରେ ଲୋକଙ୍କ ପାଇଁ କୌତୁହଳର ବିଷୟ ପାଲଟିଗଲା । ଏହି ଗାତ ପାଖରେ ଏକ ଜାଗାର ନାଁ ଦରବାଜା । ସେହି ନାଁ ଅନୁସାରେ ଏହି ଜାଗାକୁ ଦରବାଜା ଗ୍ୟାସ କ୍ରେଟର କୁହାଯାଏ । ତେବେ ଏ କାହାଣୀକୁ ସତ ମାନିବାକୁ କୌଣସି ପ୍ରମାଣ କାହା ପାଖରେ ନାହିଁ । ଅନେକଙ୍କ କହିବା କଥା ଏହି ନର୍କର ଦ୍ବାର ୧୯୬୦ ମସିହାରୁ ହୋଇଛି । ୧୯୮୦ରେ ନିଆଁ ଲାଗି ଜଳିବା ଆରମ୍ଭ ହୋଇଥିଲା । ଏଠି ନିଆଁ କେମିତି ଲାଗିଲା ତାକୁ ନେଇ ମଧ୍ୟ ଠିଆ ହୋଇଛି ବିବାଦ । କିଛି ଲୋକ କହନ୍ତି ଏଠାରେ ଜାଣିଶୁଣି ନିଆଁ ଲଗାଯାଇଛି । ଆଉ କିଏ କହିଲେ ନିଆଁ ଦୁର୍ଘଟଣାବଶତଃ ।ଆଉ କାହାର ମତ ଆକାଶରୁ ବିଜୁଳି ଖସି ନିଆଁ ଲାଗିଛି ।
୨୦୧୩ରେ ପ୍ରଥମ ଥର ଜଣେ ବ୍ୟକ୍ତି ଏହି ରହସ୍ୟମୟ ଜାଗାରେ ପହଞ୍ଚିଥିଲେ । ସେ ହେଉଛନ୍ତି ଦୁନିଆର ସବୁ କଠିନ ଜାଗାକୁ ଯିବାକୁ ଇଚ୍ଛା ରଖୁଥିବା କାନାଡାର ଏକ୍ସପ୍ଲୋରର କରୋନିସ । ସେ ସେଠାରେ ବିତାଇଥିଲେ ୧୭ ମିନିଟ୍ । ସେ ତାଙ୍କର ଅନୁଭୂତି ବଖାଣି କହନ୍ତି ସେଠି ସବୁ ଲାଗୁଥିଲା ନାରଙ୍ଗୀ । ଜମି ଜାଗା ସବୁକିଛି । ଏମିତି ଲାଗୁଥିଲା ଯେମିତି ମୁଁ ମଙ୍ଗଳ ଗ୍ରହରେ ଠିଆ ହୋଇଛି । ଏହା କୌଣସି ନିଆଁ କୁଣ୍ଡରେ ଓହ୍ଲାଇବା ପରି ଥିଲା । ସେଥିପାଇଁ ସେ ଗରମ ସମ୍ଭାଳୁଥିବା ଖାସ୍ କପଡା ଆଲୁମିନିୟମ ସୁଟ୍ ପିନ୍ଧିଥିଲେ । ନିଶ୍ବାସ ନେବା ପାଇଁ ସ୍କୁବା ଗିୟର ପରି ଉପକରଣ ବ୍ୟବହାର କରିଥିଲେ । ସେହିବର୍ଷ ତୁର୍କମେନିସ୍ତାନର ରାଷ୍ଟ୍ରପତି ଏହାକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ କିନ୍ତୁ ତାହା ସମ୍ଭବ ହୋଇନଥିଲା । ତେବେ ଏହା ଏମିତି ଏକ ଦୁର୍ଘଟଣା ଯାହା ତୁର୍କମେନିସ୍ତାନକୁ ପର୍ଯ୍ୟଟନସ୍ଥଳୀରେ ବଦଳାଇଦେଇଛି । ପ୍ରତିବର୍ଷ ଦରବାଜା ଗ୍ୟାସେ କ୍ରେଟର ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଲାଗେ । ତୁର୍କମେନିସ୍ତାନ ସରକାର ଏହାକୁ ବନ୍ଦ କରିବାକୁ ଅନେକ ଥର ଚେଷ୍ଟା କରିଛନ୍ତି ହେଲେ ସଫଳ ହୋଇନାହାନ୍ତି । ଏଥରର ପ୍ରୟାସ ସଫଳ ହେବ କି ନାହିଁ ତା ଉପରେ ପୁରା ବିଶ୍ବର ନଜର ।