LIVE TV

୭୫ ଜୁଆ ଆଡ୍ଡାରେ ପୋଲିସର ରେଡ୍, ବିପୁଳ ପରିମାଣର ଟଙ୍କା ଜବତ

NEWS7
jua

ଛତ୍ରପୁର ୦୬।୧୦ : ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ୭୫ଟି ଜୁଆ ଆଡ୍ଡାରେ ଚଢାଉ କରାଯିବା ସହ ୧୩ ଲକ୍ଷ ୫୯ ହଜାର ୫୧୦ ଟଙ୍କା ଜବତ ହୋଇଛି । ଏହାସହ ୧୫୪ଟି ମୋବାଇଲ ଫୋନ, ୩୩ଟି ମଟର ସାଇକେଲ ସହ ୪୭୦ ଜଣ ଜୁଆଡିକୁ ଗିରଫ କରିଛି ପୋଲିସ । ବେଆଇନ ବାଣ କାରବାର ନେଇ ୩୪ ମାମଲା ସହ ୫୨ ଲକ୍ଷ ୫୨ ହଜାର ଟଙ୍କାର ବାଣ ଜବତ  ।

ଆଗକୁ ପାର୍ବଣ ଋତୁ । ତାପୂର୍ବରୁ ଗଞ୍ଜାମ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭର । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଓ ବେଆଇନ ବାଣ କାରବାର ଉପରେ ନଜର ରଖିବାକୁ ଗଞ୍ଜାମ ଏସ୍‌ପି ସମସ୍ତ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବେଆଇନ ବାଣ କାରବାର ଓ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି । ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୫ ମଧ୍ୟରେ ପ୍ରାୟ ୭୫ଟି ଜୁଆ ଆଡ୍ଡା ଉପରେ ଚଢାଉ ହୋଇଛି । ଯେଉଁଥିରେ ୧୩ ଲକ୍ଷ ୫୯ ହଜାର ୫୧୦ ଟଙ୍କା, ୧୫୪ଟି ମୋବାଇଲ, ୩୩ଟି ମଟର ସାଇକେଲ ସହ ୪୭୦ ଜଣ ଜୁଆଡ୍ଡିଙ୍କୁ ଗିରଫ କରିଛି ପୋଲିସ । ତେବେ ଭଞ୍ଜନଗର ପୋଲିସ ସର୍ବାଧିକ ୧୪ଟି ମାମଲା ରୁଜୁ କରିବା ସହ ୯୪ ଜଣଙ୍କୁ ଗିରଫ ସହ ୩ ଲକ୍ଷ ୨୨ ହଜାର ୫୭୦ ଟଙ୍କା ଜବତ କରିଛି ।

ସେହିପରି ବେଆଇନ ବାଣ କାରବାରରେ ୩୪ଟି ମାମଲା ରୁଜୁ ହେବା ସହ ସେମାନଙ୍କୁ ଆଇନ ଅନୁସାରେ ନୋଟିସ ଦିଆଯାଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ମୋଟ ୫୨ ଲକ୍ଷ ୫୨ ହଜାର ଟଙ୍କାର ବାଣ ଜବତ କରାଯାଇଛି । ଯାହାକୁ ପରବର୍ତ୍ତୀ ସମୟରେ ନଷ୍ଟ କରିଦେଇଛି ପୋଲିସ । ଖାଲି ଛତ୍ରପୁର ପୋଲିସ ୩ଟି ମାମଲା ରୁଜୁ କରିବା ସହ ୩୦ ଲକ୍ଷ ଟଙ୍କାର ବାଣ ଜବତ କରିଛି, ଆସିକା ପୋଲିସ ୫ଟି ମାମଲା ରୁଜୁ କରି ୭ ଲକ୍ଷ ଟଙ୍କାର ବାଣ ଜବତ, ଭଞ୍ଜନଗର ପୋଲିସ ୩ଟି ମାମଲା ସହ ୫.୫୬ ଲକ୍ଷ, ବେଲଗୁଣ୍ଠା ୩ଟି ମାମଲା ସହ ୨.୯୦ ଲକ୍ଷ ଟଙ୍କାର ବାଣ ଜବତ ହୋଇଛି। ଆଗାମୀ ଦିନରେ ଏହି ଚଢାଉ ଜାରି ରହିବ ବୋଲି ଗଞ୍ଜାମ ଏସ୍‌ପି ସୂଚନା ଦେଇଛନ୍ତି ।