ଗାନ୍ଧିନଗରର ଅଦାଲଜ ଜଗନ୍ନାଥମୟ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଗଡ଼ିଲା ରଥ

Published By : Prameya-News7 Bureau | June 27, 2025 IST

ଅହମ୍ମଦାବାଦ: ଆଜି ଚାରିଆଡ଼େ ଜଗନ୍ନାଥ ମୟ। ଗାଁଠୁ ସହର ଜଗାର ଆଗମନରେ ଉତ୍ସବ ମୁଖର। ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିରରୁ ବାହାରି ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ହେଉଛି ପବିତ୍ର ଘୋଷଯାତ୍ରାରେ  ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି ରଥଯାତ୍ରା। ଦେଶରେ ଓଡ଼ିଶା ପରେ ଗୁଜରାଟରେ ବେଶ ଜାକଜମକରେ ରଥଯାତ୍ରା ପାଳିତ  ହେଉଛି। ଗୁଜରାଟ ଗାନ୍ଧିନଗରସ୍ଥିତ ଅଦାଲଜରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। 

ଅଦାଲଜ ଜଗନ୍ନାଥ ମନ୍ଦିରରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜ୍ଞାମାଳ ଆସିବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା ପରେ ବଡ଼ ଠାକୁର ବଳଭଦ୍ର, ଭଉଣୀ ସୁଭଦ୍ରା, ଏବଂ ଶେଷରେ ଟାହିଆ ସୁଶୋଭିତ ଝୁଲି ଝୁଲି ରଥ ଉପରେ ବିଜେ କରିଥିଲେ କଳାଠାକୁର । ଶ୍ରୀଜୀଉମାନେ ରଥାରୂଢ଼ ପରେ ଛେରା ପହଁରା ନୀତି ହୋଇଥିଲା । ଏହା ପରେ ରଥଟଣା ଆରମ୍ଭ  ହୋଇଥିଲା। ଶ୍ରଦ୍ଧାଳୁ ଆନନ୍ଦର ସହ ରଥ ଟାଣି ନେଇଥିଲେ। 

ମୁଖ୍ୟ ଅତିଥିଭାବେ ନିମନ୍ତ୍ରିତ ରାଜ୍ୟସଭା ସାଂସଦ ତଥା ଗୁଜରାଟ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ନରହରି ଅମିନ ଛେରାପହଁରା ନୀତି ସଂପାଦନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗାନ୍ଧିନଗର ମେୟର ମୀରାବେନ ପଟେଲ ଯୋଗ ଦେଇଥିଲେ । ସମସ୍ତ ନୀତିକାନ୍ତି ସୂଚାରୁରୂପେ ସମ୍ପନ୍ନ ହେବା ପରେ ମାଉସୀ ମା’ ମନ୍ଦିର ଅଭିମୁଖେ ଗଡ଼ିଥିଲା ରଥ । ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆଙ୍କଠାରୁ ଆରମ୍ଭ କରି ଅଣଓଡ଼ିଆ ଶ୍ରଦ୍ଧାଳୁମାନେ ରଥ  ଟାଣିଛନ୍ତି । 

ନିକଟରେ ସ୍ଥିତ ଦେବୀ ଅନ୍ନପୂର୍ଣ୍ଣା ମନ୍ଦିରକୁ ତିନି ଠାକୁର ଯାତ୍ରା କରିଥିଲେ । ସେଠାରେ ଦୁଇ ଘଣ୍ଟା ବିଶ୍ରାମ ପରେ ପୁଣିଥରେ ଜଗନ୍ନାଥ ମନ୍ଦିରକୁ ଚର୍ତୁଦ୍ଧାମୂର୍ତ୍ତି ଫେରିଥିଲେ । ଉଭୟ ଜଗନ୍ନାଥ ମନ୍ଦିର ଏବଂ ଅନ୍ନପୂର୍ଣ୍ଣା ଦେବୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଅନ୍ୟପକ୍ଷେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛା ସେବୀ ଏବଂ ପୋଲିସ ଫୋର୍ସ ମୁତୟନ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.