‘ଏଥର ମଣିମା ଦିଅ ହେ ଛୁଟି...’: ଦିନେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ, ସତ ହୋଇଛି, ଜୀବନ ଆୟୁଷ ସରିଯାଇଛି

NEWS7
gacha-mule-chalichi-pathapada

ଭୁବନେଶ୍ୱର: ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୫୪ ବର୍ଷ ବୟସରେ ଆଖି ବୁଜିଛନ୍ତି ଅଭିଜିତ୍ । ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ହରାଇଥିଲା ଓଡ଼ିଶା । ଆଜି ଅଭିଜିତଙ୍କୁ ହରାଇ ଭାଙ୍ଗିପଡିଛି ଓଡ଼ିଆ ସଙ୍ଗୀତ ଜଗତ ।

ଅଗଷ୍ଟ ୩୧ ତାରିଖରେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମାରେ ଥିଲେ । ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା । ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଥିଲା । ଗତବର୍ଷ ଅକ୍ଟୋବର ୨୩ରେ ଅଭିଜିତ୍ଙ୍କର ବ୍ରେନ୍ ଏମଆରଆଇ କରାଯାଇଥିଲା ।

ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସିତ ହେଉଥିଲେ । କିଛିଦିନ ହେବ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା । ଯାହାକୁ ଖଣ୍ଡନ ଏମ୍ସ ଖଣ୍ଡନ କରିଥିଲା କିନ୍ତୁ ଆଜି ସତ ସତିକା ଦାଦାଙ୍କର ଦେହାନ୍ତ ହୋଇଛି ।

''ମାନନୀୟ ଜଗନ୍ନାଥ, ଆହେ ମାନ୍ୟବର ମଞ୍ଜୁର କରହେ ଛୁଟି ଦରଖାସ୍ତ ମୋର । ଜଞ୍ଜାଳ ଜାଲରେ ହେଲିଣି ଘାଣ୍ଟି, ଏଥର ମଣିମା ଦିଅ ହେ ଛୁଟି...ଥକା ନେବି ସ୍ୱର୍ଗଦ୍ୱାରେ ଏହି ଦୟା କର... '' ଏ ଗୀତ ଆଜି ସତ ହୋଇଛି ଜୀବନ ଆୟୁଷ ସରିଯାଇଛି । ତାଙ୍କ ଛୁଟି ମଞ୍ଜୁର ହୋଇଛି । ଦୀର୍ଘ ଦିନ ଧରି ଜୀବନ ଯୁଦ୍ଧରେ ଲଢେଇ କରି ହାରି ଯାଇଛନ୍ତି ଦାଦା । ଆଉ ନାହାନ୍ତି ଏ ଗୀତର ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶ ଅଭିଜିତ୍ ମଜୁମଦାର । ବର୍ଷ ଆରମ୍ଭରୁ ଏକ ଦୁଃଖଦ ଖବର ଆସିଛି ।

'କାଶିଆ କପିଳା’ ସିନେମାରୁ ସଂଗୀତ ଯାତ୍ରା ଆରମ୍ଭ- ଅଭିଜତ୍ ମଜୁମଦାର କ୍ୟାସେଟରେ ସଙ୍ଗୀତ ଦେଇ ଓଡ଼ିଆ ସଙ୍ଗୀତଜଗତରେ ପ୍ରବେଶ କରିଥିଲେ । ୨୦୦୦ ମସିହାରେ ‘କାଶିଆ କପିଳା’ସିନେମା ଜରିଆରେ ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିତ୍ । ସେ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ ଊର୍ଧ୍ବ ଆଲବମ୍ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ‘ମାଧବ ହେ ମାଧବ’, ‘ଟ୍ବିଙ୍କଲ୍ ଟ୍ବିଙ୍କ୍ଲ ଲିଟିଲ୍ ଷ୍ଟାର୍’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଡ ମାର୍କା’ ପରି ଗୀତ ରହିଛି । ତାଙ୍କର ଅନେକ ଆଇଟମ୍ ଗୀତ ରହିଛି । ଯାହା ସଂଗୀତପ୍ରେମୀଙ୍କ ମୁହଁରେ ରହିଛି ।

‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’ ଗୀତରେ ସେ ନିଜେ କଣ୍ଠଦାନ କରିଛନ୍ତି। ଅଭିଜିତ୍ଙ୍କ ‘ରାତି ସାରା ବାର୍ ଲାଇଟ୍ ଦୁକୁ ଦୁକ’ ଗୀତ ତାଙ୍କ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା । ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେ ଆଜି ନାହାନ୍ତି ସତ ହେଲେ ତାଙ୍କ ସ୍ୱର ଓ ଭେଟି ଦେଇଥିବା ସଙ୍ଗୀତ ଦର୍ଶକଙ୍କ ହୃଦୟରେ ରହିବ ।