News7 Logo

ଦେଶର ୪୭% ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା: ADR ରିପୋର୍ଟ

NEWS7
neta

ନୂଆଦିଲ୍ଲୀ: ସାରା ଦେଶରେ ପ୍ରାୟ ଅଧା ଅର୍ଥାତ୍ ପାଖପାଖି ୪୭ ପ୍ରତିଶତ ମନ୍ତ୍ରୀ ନିଜ ବିରୋଧରେ ଅପରାଧିକ ମାମଲାର ସାମନା କରୁଛନ୍ତି । ଏଥିରେ ହତ୍ୟା, ଅପହରଣ ଓ ମହିଳାଙ୍କ ବିରୋଧରେ ଅପରାଧ ପରି ସଙ୍ଗୀନ ମାମଲା ମଧ୍ୟ ରହିଛି । ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର)ର ସଦ୍ୟତମ ରିପୋର୍ଟରେ ଏହି ଖୁଲାସା ହୋଇଛି ।

ଏଡିଆର ପକ୍ଷରୁ ୨୭ ରାଜ୍ୟର ବିଧାନସଭା, ତିନି କେନ୍ଦ୍ରଶାସିତ ପ୍ରଦେଶ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋଟ ୬୪୩ ମନ୍ତ୍ରୀଙ୍କ ସତ୍ୟପାଠର ଅଧ୍ୟୟନ କରାଯାଇଛି । ଏଥିରୁ ୩୦୨ (୪୭ ପ୍ରତିଶତ) ଅପରାଧିକ ମାମଲାର ଅଭିଯୁକ୍ତ ଅଛନ୍ତି । ୧୭୪ ମନ୍ତ୍ରୀ ହତ୍ୟା, ଅପହରଣ ପରି ସଙ୍ଗୀନ ଅପରାଧର ସାମନା କରୁଛନ୍ତି ।

କେଉଁ ଦଳର କେତେ ଜଣ ମନ୍ତ୍ରୀ ଦାଗୀ

ବିଜେପି-୩୩୬ ମନ୍ତ୍ରୀଙ୍କ ମଧ୍ୟରୁ ୧୩୬ (୪୦ ପ୍ରତିଶତ)ଙ୍କ ବିରୋଧରେ ଅପରାଧିକ କେସ୍, ୮୮ (୨୬ ପ୍ରତିଶତ)ଙ୍କ ବିରୋଧରେ ସଙ୍ଗୀନ ମାମଲା ରହିଛି ।

କଂଗ୍ରେସ-୬୧ ମନ୍ତ୍ରୀଙ୍କ ମଧ୍ୟରୁ ୪୫ (୭୪ ପ୍ରତିଶତ) ଜଣଙ୍କ ବିରୋଧରେ ଅପରାଧିକ ମାମଲା, ୧୮ (୩୦ ପ୍ରତିଶତ) ଜଣଙ୍କ ଉପରେ ସଙ୍ଗୀନ କେସ୍ ।

ଡିଏମ୍‌କେ-୩୧ ମନ୍ତ୍ରୀଙ୍କ ମଧ୍ୟରୁ ୨୭ (୮୭ ପ୍ରତିଶତ) ଜଣ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା, ୧୪ (୪୫ ପ୍ରତିଶତ) ଜଣଙ୍କ ବିରୋଧରେ ସଙ୍ଗୀନ କେସ୍ ।

ଟିଏମ୍‌ସି- ୪୦ରୁ ୧୩ (୩୩ ପ୍ରତିଶତ) ଜଣ ମନ୍ତ୍ରୀଙ୍କ ବିରୋଧରେ କେସ୍, ୮ (୨୦ ପ୍ରତିଶତ) ଜଣଙ୍କ ବିରୋଧରେ ସଙ୍ଗୀନ ମାମଲା ।

ଟିଡିପି-୨୩ରୁ ୨୨ (୯୬ ପ୍ରତିଶତ)ଜଣଙ୍କ ବିରୋଧରେ ମାମଲା, ୧୩ ଜଣଙ୍କ ନାଁରେ ସଙ୍ଗୀନ କେସ୍ ।

ଆମ୍ ଆଦମୀ ପାର୍ଟି-୧୬ରୁ ୧୧ (୬୯ ପ୍ରତିଶତ) ଜଣଙ୍କ ବିରୋଧରେ ମାମଲା, ୫ (୩୧ ପ୍ରତିଶତ) ଜଣଙ୍କ ନାଁରେ ସଙ୍ଗୀନ କେସ୍ ।

ଏଡିଆର୍ ଅନୁସାରେ, ୧୧ ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ମନ୍ତ୍ରୀ ଅପରାଧିକ ମାମଲାର ସାମନା କରୁଛନ୍ତି । ଏଥିରେ ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ବିହାର, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ତେଲଙ୍ଗାନା, ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ପୁଡୁଚେରୀ ସାମିଲ ଅଛି । ଅନ୍ୟପଟେ ହରିୟାଣା, ଜମ୍ମୁ କାଶ୍ମୀର, ନାଗାଲାଣ୍ଡ ଓ ଉତ୍ତରାଖଣ୍ଡରେ କୌଣସି ମନ୍ତ୍ରୀଙ୍କ ବିରୋଧରେ ମାମଲା ନାହିଁ ।