ମାଲକାନଗିରି ୨୬।୦୫ : ସାରାଦେଶରେ ଚାଲିଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ । ଏହିକ୍ରମରେ ମାଲକାନଗିରିରେ ବି ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ଅନୁପ୍ରବେଶକାରୀ ଆଶଙ୍କାରେ ୪ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ମାଲକାନଗିରି ଜିଲ୍ଲା ଏମ୍ଭି-୪ ଗାଁର ଏକ ଘରେ କିଛି ଅଜଣା ଲୋକ ବେଶ୍ କିଛି ମାସ ଧରି ରହୁଥିଲେ । ଅନେକ ଅସାମାଜିକ କାର୍ଯ୍ୟ ଲିପ୍ତ ରହୁଥିବା ବେଳେ ସମସ୍ତେ ଭାରତୀୟ ନାଗରିକ ହୋଇନଥିବା ଗାଁ ଲୋକ ସନ୍ଦେହ କରିଥିଲେ । ଏପିରିକି ଗାଁ ଲୋକମାନେ ସେମାନଙ୍କ ପରିଚୟ ମାଗିଥିଲେ । କିନ୍ତୁ ସେମାନେ ନିଜର ବୟାନକୁ ବାରମ୍ବାର ବଦଳାଇଥିଲେ। ଶେଷରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ମାଲକାନଗିରି ଆଦର୍ଶ ଥାନା ପୋଲିସ ରବିବାର ରାତିରେ ଏମ୍ଭି-୪ ଗାଁରେ ପହଞ୍ଚି ସେହି ଯୁବକମାନଙ୍କୁ ପଚରାଉଚରା କରିଥିଲେ । ହେଲେ କିଛି ସନ୍ତୋଷଜନକ ଉତ୍ତର ନମିଳିବାରୁ ସମସ୍ତଙ୍କୁ ଥାନାରେ ଆଣି ଅଟକ ରଖିଛି । ତଦନ୍ତ ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।