ମାଲକାନଗିରି ୨୭।୭: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୪ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ SLR ଓ INSAS ଭଳି ୫ଟି ଅଟୋମେଟିକ ବନ୍ଧୁକ ଜବତ ହୋଇଛି । ଏହାସହ ରକେଟ ବୋମା, ଗ୍ରେନେଡ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । STF ଏବଂ DRG ଜବାନଙ୍କ ଅପରେସନ ବେଳେ ସୁରକ୍ଷା ବାହିନୀକୁ ଏହି ସଫଳତା ମିଳିଥିବା ନେଇ ବିଜାପୁର ଏସ୍ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ।
ସେପଟେ ମାଓବାଦୀଙ୍କ ସହିଦ ସପ୍ତାହ ପୂର୍ବରୁ ନକ୍ସଲ ସହିଦ ସ୍ତମ୍ଭକୁ ଧ୍ୱଂସ କଲେ ସୁରକ୍ଷା ବାହିନୀ । ଦନ୍ତେୱାଡା ଜିଲ୍ଲାରେ CRPFର ୧୯୫ ବାଟାଲିୟନର ଜବାନ ଓ ଡିଆରଜି ବାହିନୀ ପକ୍ଷରୁ ମିଳିତ ଭାବେ ମାଲେଭାହିର ଥାନା ଅନ୍ତର୍ଗତ କହଚେନାର ଅଞ୍ଚଳରେ ଅପରେସନ ପାଇଁ ବାହାରି ଥିଲେ । ମାଲେଭାହି, ପୁଷ୍ପାଳ ଓ କାହେନାର ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର ଅପରେସନ ଚାଲିଥିବା ବେଳେ କାହେନାର ଗ୍ରାମ ନିକଟରେ ନକ୍ସଲ ମାନଙ୍କ ଦ୍ୱାରା ନିର୍ମିତ ମୋଟ ତିନୋଟି ସହିଦ ସ୍ତମ୍ଭ ଚିହ୍ନଟ କରାଯାଇଥିଲା । ଯାହା ମଧ୍ୟରୁ ଦୁଇଟି କାଠରେ ତିଆରି ହୋଇଥିବା ବେଳେ ଗୋଟିଏ ସିମେଣ୍ଟ କଂକ୍ରିଟ୍ ରେ ତିଆରି ହୋଇଥିଲା । ସୁରକ୍ଷାବାହିନୀ ତିନୋଟି ସହିଦ ସ୍ତମ୍ଭକୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି । ମାଓବାଦୀଙ୍କ ଏହି ସହିତ ସ୍ତମ୍ଭ ନିହତ ମାଓନେତା ଆନନ୍ଦ ଓରଫ ସୁଦର୍ଶନ କର୍ତ୍ତାମ୍, ପିଏଲଜିଏ ଡେପୁଟି କମାଣ୍ଡର ରାମସୁ କୋରମ୍ ଓରଫ ଜୟମାନ ଏବଂ ମହିଳା ମାଓବାଦୀ ସନିତାଙ୍କ ନାମରେ ନିର୍ମିତ ହୋଇଥିଲା ।
ମାଓ ସଂଗଠନ ପ୍ରତିବର୍ଷ ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରନ୍ତି । ଯେଉଁଥିରେ ସେମାନେ ନିହତ ନକ୍ସଲ ପନ୍ଥିଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରି ବ୍ୟାନର ପୋଷ୍ଟର ଲଗାନ୍ତି । ସହିଦ ସପ୍ତାହ ସମୟରେ ଲାଲ୍ ବାହିନୀ ପ୍ରଚାର ମାଧ୍ୟମରେ ଗ୍ରାମବାସୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ଯେଉଁଥି ପାଇଁ ସୁରକ୍ଷା ବାହିନୀ ତତ୍ପର ହୋଇ ସତର୍କତାର ସହ ନକ୍ସଲ ପନ୍ଥିଙ୍କ ସହିଦ ସ୍ତମ୍ଭକୁ ଭାଙ୍ଗି ଦେଇଛନ୍ତି ।
You Can Read:
ହାର୍ଡକୋର ମାଓ ଦମ୍ପତିଙ୍କ ଆତ୍ମସମର୍ପଣ, ଭୟଭୀତ ହୋଇ ସଂଗଠନ ଛାଡିଥିବା ସ୍ବୀକାର କଲେ