ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖଦେବ ସିଂହ ଢିଣ୍ଡସାଙ୍କ ପରଲୋକ, ପଞ୍ଜାବ ରାଜନୀତିରେ ବଡ଼ ନାମ

Published By : Prameya-News7 Bureau | May 28, 2025 IST

ମୋହାଲୀ ୨୮।୫: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ(ଟକସାଲୀ)ର ବରିଷ୍ଠ ନେତା  ସୁଖଦେବ ସିଂହ ଢିଣ୍ଡସାଙ୍କର ୮୯ ବର୍ଷ ବୟସରେ ବୁଧବାର ପରଲୋକ ହୋଇଛି। ଏଣୁ ପଞ୍ଜାବ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି। ସେ ମୋହାଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୁଖଦେବ ସିଂହ ପ୍ରଥମେ ଶିରୋମଣୀ ଅକାଳୀ ଦଳ (ଏସଏଡି)ରେ ଥିଲେ। ସେ ଦୀର୍ଘ ସମୟ ଧରି ଦଳର ସଂରକ୍ଷକ ରହି ଆସିଥିଲେ। 

ରାଜନୈତିକ ଜୀବନରେ ସୁଖଦେବ ସିଂହ ଢିଣ୍ଡସା ଶିରୋମଣୀ ଅକାଳୀ ଦଳ (ଟକସାଲୀ) ଗଠନ କରିଥିଲେ ଓ ପରେ ତାକୁ ଏସଏଡିରେ ବିଲୟ କରିଦେଇଥିଲେ।  ତେବେ ଗତବର୍ଷ ତାଙ୍କ ରାଜନୈତିକ ଜୀବନ ଯାତ୍ରା ସମାପ୍ତ ହୋଇଯାଇଥିଲା, ଯେତେବେଳେ ଦଳ ବିରୋଧୀ କାମ ପାଇଁ ତାଙ୍କୁ ଏସଏଡିରୁ ବାହାର କରି ଦିଆଯାଇଥିଲା। ତା ପରଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ତାଙ୍କୁ ସାଥ ଦେଇ ନଥିଲା। ସେ ବାରମ୍ବାର ଅସୁସ୍ଥ ହେଉଥିଲେ। 

ଗତବର୍ଷ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଅକାଲ ତଖାତ ସାହିବଙ୍କ ଆଦେଶରେ ଧାର୍ମିକ ସେବା କରିବା ଲାଗି ଦମଦମା ସାହିବ ପହଞ୍ଚିଥିଲେ। ସେଠାରେ ସେ ସେବାଦାର ଭାବେ ସେବା ଦେଇଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ସେତେବେଳେ ସେ ଗଣମାଧ୍ୟମ ସହ ସାକ୍ଷାତକାରରେ ଅହୁରି ଅଧିକ ସେବା କରିବା ପାଇଁ ଚାହୁଁଥିବା କହିଥିଲେ, ହେଲେ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହୁଥିବାରୁ ସେ ଚିନ୍ତା ବ୍ୟକ୍ତ କରିଥିଲେ। 

ସୁଖଦେବ ସିଂହ ଢିଣ୍ଡସା ଅଟଳବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରୀୟ କ୍ରିଡା, ରସାୟନ ଓ ଫର୍ଟିଲାଇଜର ମନ୍ତ୍ରୀ ଥିଲେ। ୯ ଏପ୍ରିଲ ୧୯୩୬ରେ ଜନ୍ମିତ ଢିଣ୍ଡସା ୧୯୭୨ ମସିହାରେ ପ୍ରଥମ ଥର ସ୍ୱାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୦ ଓ ୧୯୯୦ ମସିହାରେ ସେ ଦୁଇଥର ସଙ୍ଗରୁରରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏହା ଛଡା ସେ ୧୯୯୮ରୁ ୨୦୦୪ ଓ ପରେ ୨୦୧୦ରୁ ୨୦୨୨ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ମଧ୍ୟ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.