ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମାସିଙ୍ଘେଙ୍କୁ ଗିରଫ କରାଯାଇଛି । ଦୁର୍ନୀତି ମାମଲାରେ ଲିପ୍ତ ଥିବା ଅଭିଯୋହରେ ଏହି ଗିରଫଦାରୀ ହୋଇଥିବା ସ୍ଥାନୀୟ ମିଡିଆ ରିପୋର୍ଟରେ ଦାବି କରାଯାଇଛି । ସୂଚନା ଅନୁସାରେ ଶୁକ୍ରବାର କୋଲମ୍ୱୋରେ କ୍ରିମିନଲ୍ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ (ସିଆଇଡି) ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରିଛି । ଏକ ପୁରୁଣା ଦୁର୍ନୀତି ସହ ଜଡ଼ିତ ମାମଲାରେ ନିଜ ବୟାନ ରଖିବା ପାଇଁ ରନିଲ ବିକ୍ରମାସିଙ୍ଘେ ଆଜି ସିଆଇଡି ଅଫିସ୍ ପହଞ୍ଚିବା ପରେତାଙ୍କୁ ସେଠାରେ ଗିରଫ କରାଯାଇଛି ।
ରିପୋର୍ଟ ଅନୁସାରେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗ ରହିଛି । ବିକ୍ରମାସିଙ୍ଘେ ୨୦୨୩ରେ ତାଙ୍କ ସ୍ତ୍ରୀଙ୍କ ଏକ ସମାରୋହରେ ଯୋଗ ଦେବା ପାଇଁ ବ୍ରିଟିଶ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିଲେ । ତଦନ୍ତକାରୀ ଏଜେନ୍ସି ଆଜି ତାଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଡାକିଥିଲା । ସୂଚନା ଅନୁସାରେ ୨୦୨୩ରେ ବିକ୍ରମାସିଙ୍ଘେ ହାଭାନାରେ ଜି୭୭ ସମ୍ମିଳନୀରେ ଯୋଗ ଦେଇ ଫେରିବା ବେଳେ ଲଣ୍ଡନରେ ରହଣି କରିଥିଲେ । ସେଠାରେ ସେ ନିଜ ପତ୍ନୀ ମୈତ୍ରୀଙ୍କ ସହ ୱଲଭରହାମ୍ପଟନ୍ ବିଶ୍ୱବିଦ୍ୟାଳୟର ଏକ ସମାରୋହରେ ଯୋଗ ଦେଇଥିଲେ।
ପୂର୍ବତନ ରାଷ୍ଟ୍ରପତି ଦାବି କରିଛନ୍ତି ଯେ ଏହି ଗସ୍ତ ପାଇଁ ସମସ୍ତ ଖର୍ଚ୍ଚ ତାଙ୍କ ସ୍ତ୍ରୀ ବହନ କରିଥିଲେ । ଏହି ଗସ୍ତ ପାଇଁ ସରକାରୀ ଟଙ୍କା ଖର୍ଚ୍ଚ ହୋଇନଥିଲା । କିନ୍ତୁ ତଦନ୍ତକାରୀ ଏଜେନ୍ସି କହିବା କଥା ଯେ ପୂର୍ବତନ ରାଷ୍ଟ୍ରପତି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଅର୍ଥ ବ୍ୟବହାର କରିଥିଲେ । ଏପରି କି ତାଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀ ଖର୍ଚ୍ଚ ମଧ୍ୟରେ ମଧ୍ୟ ସରକାରୀ ରାଜକୋଷରୁ ବହନ କରାଯାଇଥିଲା ।
୨୦୨୨ରେ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଂକଟ ସମୟରେ ଗୋଟାବାୟା ରାଜପକ୍ଷେ ଲୋକଙ୍କ ଚାପ ପରେ କ୍ଷମତାଚ୍ୟୁତ ହୋଇଥିଲେ । ଏହାପରେ ରନିଲ ବିକ୍ରମାସିଙ୍ଘେ ଦାୟିତ୍ୱ ସମ୍ଭାଳିଥିଲେ ଏବଂ ଦେଶର ଅର୍ଥନୀତିକୁ ସମ୍ଭାଳିବା ପାଇଁ ଆଇଏମ୍ଏଫ୍ରୁ ୨.୯ ବିଲିୟନ ଡଲାରର ଋଣ ପାଇବାରେ ସକ୍ଷମ ହୋଇଥିଲେ । ୨୦୨୪ ସେପ୍ଟେମ୍ୱରରେ ହୋଇଥିବା ନିର୍ବାଚନରେ ବିକ୍ରମାସିଙ୍ଘେ ବାମପନ୍ଥୀ ନେତା ଏକେ ଦିଶାନାୟକେଙ୍କୁ ପରାଜିତ ହୋଇଥିଲେ ।