ଅପରେସନାଲ ସଂକଟ ମଧ୍ୟରେ ଯାତ୍ରୀଙ୍କୁ କ୍ଷମା ଯାଚନା କଲା Indigo, ରିଫଣ୍ଡର ଦେଲା ଆଶ୍ୱାସନା

NEWS7
former-governor-mark-carney-will-be-new-pm-of-canada-in-place-of-justin-trudeau

ନୂଆଦିଲ୍ଲୀ ୫।୧୨: ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋ ଉଡାଣ ରଦ୍ଦ ହେବା ଓ ପରିଚାଳନା ସଂକଟ ମଧ୍ୟରେ ଯାତ୍ରୀଙ୍କୁ ଔପଚାରିକ କ୍ଷମାଯାଚନା କରିଛି। ଏୟାର ଲାଇନ୍ସ କହିଛି ଯେ ସ୍ଥିତିକୁ ଶୀଘ୍ରାତିଶୀଘ୍ର ସ୍ୱଭାବିକ କରିବାକୁ ସବୁ ପ୍ରକାର ସମ୍ଭବ ପଦକ୍ଷେପ ନିଆଯାଉଛି। ଏ ନେଇ ଏୟାରଲାଇନ୍ସ ଏକ ବୟାନ ଜାରି କରିଥିବା ବେଳେ ଏଥିରେ ଯାତ୍ରୀଙ୍କୁ ସେମାନଙ୍କ ପଇସା ମୂଳ ମାଧ୍ୟମରେ ରିଫଣ୍ଡ କରିବାର ପ୍ରତିଶ୍ରୁତି ଦେଇଛି। ସେହିପରି ୫ ଡିସେମ୍ବରରୁ ୧୫ ଡିସେମ୍ବର ୨୦୨୫ ମଧ୍ୟରେ ଯାତ୍ରା କରିବାକୁ ଥିବା ବୁକିଂ ଉପରେ କ୍ୟାନସେଲେସନ ରିସିଡ୍ୟୁଲ ଶୁଳ୍କ ସମ୍ପୂର୍ଣ୍ଣ କ୍ଷମା କରାଯିବ ବୋଲି କହିଛି।

ଇଣ୍ଡିଗୋ ସ୍ୱୀକାର କରିଛି ଯେ ଗତ ଦିନରେ ସେମାନଙ୍କ ପରିଚାଳନା ଗୁରୁତର ରୂପେ ପ୍ରଭାବିତ ହୋଇଛି। ଏଣୁ ବହୁ ସଂଖ୍ୟାରେ ଯାତ୍ରୀଙ୍କ ଉଡାଣ ରଦ୍ଦ ହୋଇଛି ଓ ସେମାନଙ୍କ ଲୋକେ ବହୁ ସମୟ ପର୍ଯ୍ୟନ୍ତ ଏୟାରପୋର୍ଟରେ ଫଶି ରହିଥିଲେ। ତେବେ ସମସ୍ୟାର ରାତାରାତ ସମାଧାନ ହେବ ନାହିଁ। ହେଲେ ସଞ୍ଚାଳନ ସ୍ୱଭାବିକ କରିବା ପାଇଁ ଆମେ ପୁରା କ୍ଷମତାର ସହ କାମ କରୁଛୁ। ଏଣୁ ଆମେ ଆମର ପ୍ରତ୍ୟେକ ଗ୍ରାହକଙ୍କୁ ହୃଦୟରୁ କ୍ଷମାଯାଚନା କରୁଛୁ। ତେବେ ଯାତ୍ରୀଙ୍କୁ ଯେପରି ଅସୁବିଧା ନ ହୁଏ ସେଥି ପାଇଁ ଇଣ୍ଡିଗୋ ପକ୍ଷରୁ ବିଭିନ୍ନ ସହରରେ ହୋଟେଲ ଓ ଭୂ-ପୃଷ୍ଠ ପରିବହନ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।

ସେହିପରି ଏୟାରପୋର୍ଟରେ ବିମାନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଭୋଜନ ଓ ସ୍ନାକ୍ସ ଉପଲବ୍ଧ କରାଯାଉଥିବାର ଇଣ୍ଡିଗୋ କହିଛି। ଇଣ୍ଡିଗୋ କହିଛି ଯେ ୫ ଡିସେମ୍ବର ଶୁକ୍ରବାର ସବୁଠୁ ଅଧିକ ସଂଖ୍ୟକ ବିମାନ ବାତିଲ ହୋଇପାରେ। କାରଣ ଆମେ ଆମର ସିଷ୍ଟମ ଓ ସିଡ୍ୟୁଲକୁ ରିବୁଟ କରୁଛୁ। ସଞ୍ଚାଳନକୁ ସୁଚାରୁ କରିବା ପାଇଁ ଅଳ୍ପକାଳୀକ ଓ ଯୋଜନାବଦ୍ଧ କ୍ୟାନସେଲେସନ କରୁଥିବା ଇଣ୍ଡିଗୋ ଦାବି କରିଛି। ଏହା ଦ୍ୱାରା କାଲିଠୁ ସ୍ଥିତିରେ ସୁଧାର ଆସି ପାରିବ ବୋଲି ଆକଳନ କରାଯାଉଛି। ଇଣ୍ଡିଗୋ ଆଶ୍ୱସ୍ତ କରିଛି ଯେ ମନ୍ତ୍ରାଳୟ ଓ ଡିଜିସିଏଙ୍କ ସହିତ ସମନ୍ୱୟ ରଖି ପରିଚାଳନା ସ୍ୱଭାବିକ କରିବାକୁ ଉଦ୍ୟମ ଜାରି ରଖିଛୁ।