ବ୍ରହ୍ମପୁର: ପ୍ଲଟ ବିକ୍ରି ନାଁରେ ଠକେଇ କରି ଗିରଫ ହେଲେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ନିର୍ବାହୀ ଯନ୍ତ୍ରୀ । ଗିରଫ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ପି. ଶ୍ୟାମବାବୁ ପାତ୍ର । ବ୍ରହ୍ମପୁର ଟାଉନ ଥାନା ଓ ଗୋସାଣୀନୂଆଗାଁ ଥାନା ଅଂଚଳର ଦୁଇଜଣଙ୍କ ଠାରୁ ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିବା ନେଇ ଏସ. ପି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ମହାନଗର ନିଗମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିସାରିଥିବା ପି ଶ୍ୟାମବାବୁ ୨୦୧୯ ଡିସେମ୍ବର ୩୧ରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ତେବେ ଜଣେ ସରକାରୀ କର୍ମଚାରୀ ହୋଇଥିଲେ ପ୍ଲଟିଂ ଏବଂ ଜମି ବ୍ୟବସାୟ ପାଇଁ ସେ ସହରରେ ବେଶ୍ ଜଣାଶୁଣା ଥିଲେ।
ଏହି କ୍ରମରେ ୨୦୧୬ ମାର୍ଚ୍ଚ ୩୦ରେ ସେ ଅଭିଯୋଗକାରୀ ସୁମନ୍ତ କୁମାର ସାହୁ ଏବଂ ତାଙ୍କ ପତ୍ନୀ ରଶ୍ମିତା ସାହୁଙ୍କୁ କୁକୁଡ଼ାଖଣ୍ଡି ତହସିଲ ଅନ୍ତର୍ଗତ ମୌଜା-ଲୋଚପଡ଼ାରେ ୦.୫୯୦ ଡେସିମିଲର ଜମି ବିକିଥିଲେ। ଏଥିପାଇଁ ୭୧ ଲକ୍ଷ ଟଙ୍କାରେ ଚୁକ୍ତି ହୋଇଥିଲା। ଅଗ୍ରୀମ ବାବଦକୁ ରଶ୍ମିତା ସାହୁ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ମୋଟ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।
ହେଲେ ପି. ଶ୍ୟାମବାବୁ ତାଙ୍କୁ ଜମି ବିକ୍ରୟ କଲେ ନାହିଁ କି’ ନେଇଥିବା ଅଗ୍ରୀମ ଫେରାଇଲେ ନାହିଁ। ଏମିତିରେ ଯେତେବେଳେ ଉକ୍ତ ଦମ୍ପତ୍ତି ତାଙ୍କୁ ଟଙ୍କା ଫେରାଇବାକୁ କହିବାରୁ ସେ, ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ମଧ୍ୟ ଦେଇଥିଲେ। ଯାହାକୁ ନେଇ ପୋଲିସର ଦ୍ବାରସ୍ତ ହୋଇଥିଲେ ଦମ୍ପତ୍ତି। ଅବଶ୍ୟ ଏହା ପରେ ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଜଣକ ୨୦୨୧ରେ ୧୫ ଲକ୍ଷ ଟଙ୍କା ଫେରାଇଥିଲେ। ମାତ୍ର ବାକି ୧୦ ଲକ୍ଷ ଟଙ୍କା ଆଉ ଫେରାଇନଥିଲେ । ତେଣୁ ଦମ୍ପତ୍ତି ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଥିଲେ। ଏହାପରେ ଏତଲା କ୍ରମେ ତଦନ୍ତ କରିଥିଲା ପୋଲିସ।
ସେହିଭଳି ଗୋସାଣୀନୁଆଗାଁ ଥାନାରେ ମଧ୍ୟ ତାଙ୍କ ବିରୋଧରେ ଏକ ମାଲା ରୁଜୁ ହୋଇଥିବା ଜଣାପଡ଼ିଛି। ବ୍ରହ୍ମପୁରରେ ରହୁଥିବା ଜଣେ ଅଷ୍ଟ୍ରେଲୀୟ ଏନଆରଆଇ ସନ୍ତୋଷ କୁମାର ମୁନିଙ୍କୁ ମଧ୍ୟ ୨୫ ଲକ୍ଷ ଟଙ୍କା ଠକିଛନ୍ତି। ଏମିତିରେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ପ୍ରମାଣିତ ହେବା ପରେ, ଭୁବନେଶ୍ୱରରୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି।