ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଗିରଫ କରିବ କି ଆମେରିକା ? ଚର୍ଚ୍ଚା ବଢ଼ାଇଲା ଟ୍ରମ୍ପଙ୍କ ଜବାବ

NEWS7
forest-department-turned-into-kabadikhana-in-jajpur

ନୂଆଦିଲ୍ଲୀ: ଆମେରିକା ଏବଂ ରୁଷ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାଁ ଧରୁନାହିଁ । ଆମେରିକା ଏହି ବିବାଦକୁ ଶେଷ କରିବାକୁ ନିରନ୍ତର ଚେଷ୍ଟା କରୁଛି। ନିକଟରେ ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏହି ସମୟରେ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପଚରାଯାଇଥିଲା ଯେ, ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କରିବା ପାଇଁ ଏକ ମିଶନ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି କି ?

ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ଏକ ବିବାଦୀୟ ବୟାନ ପରେ ଗଣମାଧ୍ୟମ ଦ୍ୱାରା ଏହି ପ୍ରଶ୍ନ ପଚରାଯାଇଥିଲା। ସେ କହିଥିଲେ ଯେ, ଆମେରିକା ଏକଛତ୍ରବାଦୀଙ୍କ ସହିତ କିପରି ମୁକାବିଲା କରିବାକୁ ହୁଏ ତାହା ଜାଣେ। ପରବର୍ତ୍ତୀ ପଦକ୍ଷେପ କ'ଣ ନେବାକୁ ହେବ ତାହା ମଧ୍ୟ ଆମେରିକାକୁ ଜଣାଅଛି । ଜେଲେନସ୍କିଙ୍କ ଏହି ମନ୍ତବ୍ୟ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଉଦ୍ଦେଶ୍ୟରେ ଥିଲା।

ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଗିରଫ କରିବେ କି ପ୍ରଶ୍ନର ସିଧା ଜବାବ ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି, ‘ମୁଁ ଭାବୁନାହିଁ ଯେ, ପୁଟିନଙ୍କୁ ଗିରଫ କରିବା ଆବଶ୍ୟକ । ମୋର ତାଙ୍କ (ପୁଟିନ) ସହ ଭଲ ସଂପର୍କ ରହିଛି । ମୁଁ ବହୁତ ନିରାଶ । ମୁଁ ୮ଟି ଯୁଦ୍ଧ ବନ୍ଦ କରିଛି । ମୁଁ ଭାବିଥିଲି ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ସହଜ ହେବ । ଗତ ମାସରେ ସେମାନେ ୩୧୦୦ ଲୋକଙ୍କୁ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ରୁଷ ସୈନିକ ।ରୁଷର ଅର୍ଥନୀତି ନିମ୍ନଗାମୀ ହୋଇଛି ।’

ସୂଚନାଯୋଗ୍ୟ, ଜାନୁଆରୀ ୩ରେ ଆମେରିକା ଭେନେଜୁଏଲାରେ ଆକ୍ରମଣ କରି ଦେଶର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା । ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଆମେରିକାରେ ଡ୍ରଗ୍ସ ମାମଲା ଚାଲିଛି। ଏହାରି ମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ସରକାର ଆମେରିକା ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି । ଆମେରିକାର ଆକ୍ରମଣରେ ଭେନେଜୁଏଲାର ୧୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ସମାନ ସଂଖ୍ୟକ ଲୋକ ଆହତ ହୋଇଛନ୍ତି ।