୯୩ ବର୍ଷରେ ପ୍ରଥମ ଥର, ପ୍ରଥମ ଭାରତୀୟ ବ୍ୟାଟର ଭାବେ ଇତିହାସ ରଚିଲେ ପନ୍ତ

Published By : Prameya-News7 Bureau | June 23, 2025 IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ନୂଆ ଇତିହାସ ରଚିଛନ୍ତି ଋଷଭ ପନ୍ତ। ସେ ଟେଷ୍ଟ ଇତିହାସରେ ପ୍ରଥମ ଭାରତୀୟ ଓ୍ଵିକେଟ୍ କିପର ଭାବେ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ଟେଷ୍ଟ ଫର୍ମାଟ୍‌ରେ ଭାରତୀୟ ଓ୍ଵିକେଟ୍ କିପର ଭାବେ ସର୍ବାଧିକ ଶତକ ଅର୍ଜନ କରିବାର ରେକର୍ଡ ନିଜ ନାମରେ କରିଥିଲେ। ପନ୍ତ ପ୍ରଥମ ଇନିଂସରେ ୧୩୪ ରନ କରିଥିବା ବେଳେ ଦ୍ଵିତୀୟ ଇନିଂସରେ ୧୧୮ ରନର ଇନିଂସ ଖେଳିଛନ୍ତି। 

ଭାରତୀୟ ଦଳ ନିଜର ପ୍ରଥମ ଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ ୧୯୩୨ରେ ଖେଳିଥିଲା। ତେବେ ଏ ପର୍ଯ୍ୟନ୍ତ ୯୩ ବର୍ଷର ଭାରତୀୟ ଟେଷ୍ଟ କ୍ରିକେଟ୍ ଇତିହାସରେ କୌଣସି ବି ଓ୍ଵିକେଟ୍ କିପର ବ୍ୟାଟର ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରି ପାରି ନ ଥିଲେ। ଏବେ ଋଷଭ ପନ୍ତ ଶତକ ଅର୍ଜନ କରି ପ୍ରଥମ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଇତିହାସ ରଚିଛନ୍ତି। 

Also read: ‘କାନ୍ଦିଲେ କିଛି ହେବ ନାହିଁ...’, ଲିଡ୍ସ ଟେଷ୍ଟରେ ଭାରତୀୟ ଦଳର ନିମ୍ନମାନର ପ୍ରଦର୍ଶନ ଉପରେ ମୁହଁ ଖୋଲିଲେ ବୁମରା

ଦୁନିଆରେ ପ୍ରଥମ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଜିମ୍ବାଓ୍ଵେର ଆଣ୍ଡି ଫ୍ଲାଓ୍ଵାର ଏହି କୀର୍ତ୍ତିମାନ ରଚିଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରି ଇତିହାସ ରଚିଥିଲେ। ପନ୍ତଙ୍କ ଏହି ସଫଳତା ଏଥିପାଇଁ ଖାସ ରହିଛି କାରଣ ସେ ବିଦେଶ ମାଟିରେ ଇଂଲଣ୍ଡ ବିପକ୍ଷରେ ହାସଲ  କରିଛନ୍ତି। 

ଉଭୟ ଇନିଂସରେ ଶତକ ଅର୍ଜନ କରିବାରେ ଋଷଭ ପନ୍ତ ସପ୍ତମ ଭାରତୀୟ ବ୍ୟାଟର ହୋଇଛନ୍ତି। ସୁନୀଲ ଗାଭାସ୍କର ଏହି ସଫଳତା ତିନି ଥର ହାସଲ କରିଛନ୍ତି। ରାହୁଲ ଦ୍ରାବିଡ଼ ୨ ଥର, ବିଜୟ ହଜାରେ, ରୋହିତ ଶର୍ମା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ ଥରୁଟିଏ ଏହି ଉପଲବ୍ଧି ହାସଲ କରିଛନ୍ତି। ଏବେ ଏହି ତାଲିକାରେ ଋଷଭ ପନ୍ତଙ୍କ ନାଁ ଯୋଡ଼ି ହୋଇ ଯାଇଛି। 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.