ଲିଡ୍ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲିଡ୍ସର ହେଣ୍ଡିଗ୍ଲେ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକ ମୋଡ଼ ଆଡ଼କୁ ଗତି କରୁଛି। ମୁକାବିଲାରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୪୭୧ ରନ କରିଥିବା ବେଳେ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ୪୬୫ ରନ କରିଛି। ଭାରତ ଚତୁର୍ଥ ଦିନର ମଧ୍ୟାହ୍ଣ ଭୋଜନ ବିରତି ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୫୩ ରନ କରିଛି। ମୋଟାମୋଟି ପ୍ରଥମ ଟେଷ୍ଟରେ ବର୍ତ୍ତମାନ ଯାଏ ଭାରତର ସ୍ଥିତି ଭଲ ରହିଛି। ତେବେ ଭାରତ ଏହି ମ୍ୟାଚ୍କୁ ନିଜ ହାତ ମୁଠାରେ ରଖି ପାରିଥାନ୍ତା ଯଦି ଫିଲ୍ଡର ୬ଟି କ୍ୟାଚ୍ ହାତଛଡ଼ା କରି ନ ଥାନ୍ତେ।
ଏଥିରୁ ଚାରୋଟି କ୍ୟାଚ୍ ଯଶପ୍ରୀତ ବୁମରାଙ୍କ ବଲ୍ରେ ଖସିଛି।ବ୍ୟାଟରଙ୍କୁ ଏହି ଜୀବନଦାନ ଭାରତୀୟ ଦଳକୁ ଭାରି ପଡ଼ିଛି। ଆଉ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୬ ରନ ପଛୁଆ ରହିଛି। ଏମିତି ନିମ୍ନମାନର ଫିଲ୍ଡିଂକୁ ନେଇ ଭାରତୀୟ ଖେଳାଳିଙ୍କ ଉପରେ ପ୍ରଶ୍ନ ଉଠିଛି। କିନ୍ତୁ ଯଶପ୍ରୀତ ବୁମରା ନିଜ ଦଳର ଖେଳାଳିଙ୍କ ପ୍ରତି କୌଣସି ଅଭିଯୋଗ କରି ନାହାନ୍ତି। ବୁମରାଙ୍କ ମତରେ ଦଳରେ ଏମିତି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ନୂଆ ନୂଆ ଏହି ଫର୍ମାଟ୍ ଖେଳୁଛନ୍ତି। ଏଥିପାଇଁ ସେମାନଙ୍କୁ ସମାଲୋଚନା କରିବା ଉଚିତ୍ ହେବନି।
ବୁମରା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କିଛି ସମୟ ନିଶ୍ଚୟ ଖରାପ ଲାଗିବ। ମାତ୍ର ଆପଣ ବସି କି କାନ୍ଦି ପାରିବେ ନାହିଁ। ଏଥିପାଇଁ ମୁଁ ଉଦ୍ୟମ କରିଥାଏ ଯେ, ମୁଁ ଏହାକୁ ଶୀଘ୍ର ଭୁଲି ଯାଏ। ଆମର ଅନେକ ଖେଳାଳିଙ୍କୁ ଟିକେ ସମୟ ମିଳିବା ଉଚିତ୍। କେବେ କେବେ ବଲ୍କୁ ଦେଖିବା ମୁସ୍କିଲ ହୋଇଥାଏ। କେହି ବି ଜାଣିଶୁଣି କ୍ୟାଚ୍ ଛାଡ଼ି ନ ଥାନ୍ତି। ସବୁ ଖେଳାଳି ପରିଶ୍ରମ କରୁଛନ୍ତି। ଏଥିପାଇଁ ମୁଁ କୌଣସି ହଙ୍ଗାମା କରିବାକୁ ଚାହୁଁନି। ମୁଁ ଜଣାଇବାକୁ ଚାହେଁ ନାହିଁ ଯେ ମୁଁ କ୍ରୋଧିତ ଅଛି କିମ୍ବା ବକ୍ସକୁ ଗୋଇଠା ମାରୁଛି। ଯଦି ମୁଁ କ୍ରୋଧିତ ହେବି ଏହା ଫିଲ୍ଡରଙ୍କ ଉପରେ ଅତିରିକ୍ତ ଚାପ ପକାଇଥାଏ। ଯଦି କ୍ୟାଚ୍ ଆଗ ଧରା ଯାଇଥାନ୍ତା ତେବେ ଦଳର ସ୍ଥିତି ଆହୁରି ଭଲ ରହିଥାନ୍ତା। ହେଲେ ଖେଳାଳି ଏହି ଅନୁଭବରୁ ଶିଖିବେ ବୋଲି ବୁମରା କହିଛନ୍ତି।
ଲିଡ୍ସ ଟେଷ୍ଟରେ ବୁମରା ଇଂଲଣ୍ଡର ପ୍ରଥମ ଇନିଂସରେ ୫ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଏହା ବିଦେଶ ମାଟିରେ ବୁମରାଙ୍କ ଟେଷ୍ଟ କ୍ରିକେଟରେ ୧୨ମ ଥର ୫ ଓ୍ଵିକେଟ୍ ସଫଳତା। ଏବେ ବୁମରା ବିଦେଶୀ ମାଟିରେ ଟେଷ୍ଟରେ ସର୍ବାଧିକ ଥର ୫ କିମ୍ବା ତଦୁର୍ଦ୍ଧ୍ଵ ଓ୍ଵିକେଟ୍ ନେବାରେ କପିଲ ଦେବଙ୍କ ସହ ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଅଛନ୍ତି।