ଭୋଗରାଇ ୨୭।୭: ଗାଁକୁ ପଶୁଛି ସୁବର୍ଣ୍ଣରେଖା ନଦୀର ପଞ୍ଚମ ବନ୍ୟା ପାଣି । ଲୋକ ଛାନିଆ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲାଣି ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତ । ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ହନ୍ତସନ୍ତ । ସୁବର୍ଣ୍ଣରେଖା ବନ୍ୟା ପାଣି ପଶିବା ନେଇ ଏବେ ୫୦ଟି ପଞ୍ଚାୟତର ଲୋକ ଚିନ୍ତାରେ ।
ଚଳିତ ବର୍ଷ ପ୍ରଥମ ବନ୍ୟା ପାଣି ଗାଁ ମୁଣ୍ଡରୁ ନକୁମୁଣୁ ପୁଣି ବନ୍ୟା ପାଣି ପ୍ରବଳ ସ୍ରୋତରେ ମାଡିବା ଆରମ୍ଭ ହେଲାଣି । ଏବେ ସୁଦ୍ଧା ପ୍ରାୟ ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତକୁ ପାଣି ପ୍ରବେଶ କରି ସାରିଲାଣି । ବିଶେଷ କରି କୁମ୍ଭୀରଗଡ଼ି କୁଲ୍ହା, ଖୋଳାବାଡ଼ିଆ, ପନ୍ତେଇ କୁସୁଡ଼ା, ଗବଗାଁ ଦାରୁହା, ମନୁନଗର, ଆରୁହାବର୍ତି, ଦହମୁଣ୍ଡା ବଡ଼ମନ୍ଦାରୁଣି ଆଦି ଗାଁ ବନ୍ୟା ପାଣିରେ ପ୍ରଭାବିତ ହୋଇ ଲୋକ ଘର ଛାଡିବା ଆରମ୍ଭ କଲେଣି । ବାଲିଆପାଳ-ଭୋଗରାଇ ରସଲପୁର ମୁଖ୍ୟ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।
ଏ ପର୍ଯ୍ୟନ୍ତ ପ୍ରଶାସନ ତରଫରୁ କୌଣସି ସୁବିଧା ସୁଯୋଗ ପହଞ୍ଚି ନଥିବା ବେଳେ ଲୋକେ ହାତ ତିଆରି ଡଙ୍ଗାରେ ନିଜ ନିଜର ଜିନିଷ ପତ୍ର ଉପରକୁ ଆଣୁଛନ୍ତି । ଭୋଗରାଇ ବ୍ଲକରେ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ କେମିତି ଖାଇବା ପିଇବା କରିବେ ତାକୁ ନେଇ ଚିନ୍ତାରେ ଥିବା ବେଳେ ଏ ପର୍ଯ୍ୟନ୍ତ ପାନୀୟ ଜଳ ମଧ୍ୟ ପହଞ୍ଚାଇ ପାରିନି ପ୍ରଶାସନ । ଆଜି ବି ଭାମ୍ୟମାଣ ଗାଡି ଯୋଗ ଲୋକଙ୍କୁ ସତର୍କ କରାଉଛି ପ୍ରଶାସନ ।
You Can Read: