ଭୁବନେଶ୍ୱର ୧।୭: ଭୁବନେଶ୍ୱର ମହାନଗର ନିଗମ ଅଫିସ୍ରେ ପଶି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ବିଜେପିର ଆକ୍ସନ ।ସଂପୃକ୍ତ ଅଭିଯୋଗ ଆଧାରରେ ୫ ଜଣଙ୍କୁ ନିଲମ୍ବନ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ୫ଜଣଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସମସ୍ତଙ୍କୁ ସସ୍ପେଣ୍ଡ କରାଯାଇଛି । ନିଲମ୍ବିତ ହୋଇଥିବା ୫ ଜଣ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ଅନ୍ୟମାନେ ହେଲେ ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଂଜୀବ ମିଶ୍ର ।
ସୂଚନାଯୋଗ୍ୟ ଯେ, ସୋମବାର ବିଏମ୍ସି ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିଲା । ମେୟରଙ୍କ ପ୍ରକୋଷ୍ଠକୁ ଲାଗିଥିବା ପ୍ରକୋଷ୍ଠରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ବିଏମ୍ସିର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ବି ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ । ଅଚାନକ ବିଜେପି କର୍ପୋରେଟର ଜୀବନଙ୍କ ସହ ୬ରୁ ୭ଜଣ ଦୁର୍ବୃତ୍ତ ଅଭିଯୋଗ ପ୍ରକୋଷ୍ଠକୁ ପଶିଥିଲେ । ସ୍ୱଚ୍ଛ ସୁପରଭାଇଜରଙ୍କ ଉପରେ ହୋଇଥିବା ତଦନ୍ତର ରିପୋର୍ଟ ବଦଳାଇବାକୁ ଦାବି କରିଥିଲେ । କିନ୍ତୁ ଅତିରିକ୍ତ କମିଶନର ରତ୍ନାକର ସାହୁ ଏଥିରେ ହସ୍ତକ୍ଷେପ କରିବେନି ବୋଲି କହିଥିଲେ । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହେବା ସହ ତାଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା ମାନେ ଆକ୍ରମଣ କରିଥିଲେ ।
ଅଭିଯୋଗ ପ୍ରକୋଷ୍ଠରୁ କାର୍ ଯାଏଁ ପ୍ରାୟ ୫୦ ମିଟର ଘୋଷାଡ଼ି ଘୋଷାଡ଼ି ନେଇଥିଲେ । ମଝିରେ ମୁହଁକୁ ଗୋଇଠା ଓ ବିଧା ମାରୁଥିଲେ । ଏଥିରେ ରତ୍ନାକର ସାହୁଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏକ କାର୍ରେ ପୂରାଇବା ବେଳେ ମେୟର ଓ ଅନ୍ୟ କର୍ପୋରେଟର ଧାଇଁ ଆସିବାରୁ ଆକ୍ରମଣକାରୀ ତାଙ୍କୁ ଛାଡ଼ି ପଳାଇଥିଲେ । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ପରେ ଦୁର୍ବୃତ୍ତମାନେ ମେୟର ସୁଲୋଚନା ଦାସଙ୍କୁ ଘେରି ଗାଳିଗୁଲଜ କରିଥିଲେ ।
You Can Read:
ଅତିରିକ୍ତ କମିଶନର ରତ୍ନାକର ବର୍ତ୍ତମାନ ସକ୍ରେ ଅଛନ୍ତି, ସୁରକ୍ଷା ବ୍ୟବସ୍ଥା ତର୍ଜମା କରିବୁ