ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ଦୁଃଖଦ ଘଟଣା ଘଟିଛି। ରାଜ୍ୟରେ ନିର୍ମଳ ଜିଲ୍ଲାର ବସାରା ଦେଇ ପ୍ରବାହିତ ଗୋଦାବରୀ ନଦୀରେ ବୁଡି ଯିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ରବିବାର ଏହି ସୂଚନା ଦେଇଛି। ବସାରା ଥାନାରେ ସବ ଇନ୍ସପେକ୍ଟର କହିଛନ୍ତି, ଗୋଦାବରୀ ନଦୀରେ ବୁଡ଼ି ଯିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ତେବେ ପୂରା ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ଏସଆଇ କହିଛନ୍ତି।
ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କୁ ପଚରା ଉଚୁରା କରି ଏହାର ସନ୍ଧାନ କରାଯାଉଛି ଯେ, ଏତେ ବଡ ଘଟଣା କେମିତି ଘଟିଲା। ଏହି ଘଟଣା ପରେ ବସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଗୋଟିଏ ପରିବାରର ୫ ଜଣ ନଦୀରେ ବୁଡି ମୃତ୍ୟୁ ଘଟିବା ଖବରକୁ ଲୋକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ପୋଲିସ ସବୁ ଦିଗରୁ ଘଟଣାର ତଦନ୍ତ କରୁଛି। ଘଟଣା ପଛରେ କାହାର ହାତ ଅଛି କି ନାହିଁ ସେ ଦିଗରେ ବି ପୋଲିସ ଯାଞ୍ଚ କରୁଛି।
ଅନ୍ୟ ଏକ ଘଟଣାରେ ରବିବାର ମହାରାଷ୍ଟ୍ରର ପୁଣେ ତଲେଗାଓଁର କୁଣ୍ଡମାଳରେ ଥିବା ଇନ୍ଦ୍ରାୟଣୀ ନଦୀ ଉପରେ ଥିବା ଏକ ପୋଲ ଭୁଶୁଡ଼ିଯିବାରୁ ୨୫ରୁ ୩୦ ଲୋକ ଭାସି ଯାଇଛନ୍ତି । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୫ ରୁ୬ ଜଣଙ୍କୁ ଉଦ୍ଧାର କରିଥିବାବେଳେ, ୬ ଜଣକ ମୃତଦେହ ମିଳିଥିବା ଜଣାପଡ଼ିଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। ଏମାନେ ସମସ୍ତେ ନଦୀରେ ବନ୍ୟାଜଳ ଦେଖିବାକୁ ପୋଲ ଉପରେ ଛିଡ଼ା ହୋଇଥିଲେ।