ବିଧାୟକ ମେଧା ସମ୍ମାନ-୨୦୨୫ର ଶୁଭାରମ୍ଭ, ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ପୁରସ୍କାର ରାଶି ଘୋଷଣା

NEWS7
five-fast-track-special-courts-for-women-to-be-established-in-odisha

ଭଦ୍ରକ: ବିଧାୟକ ମେଧା ସମ୍ମାନ-୨୦୨୫ର ଶୁଭାରମ୍ଭ କଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଓ ଉତ୍ସାହିତ ବାତାବରଣ ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ୱାରା ବିଧାୟକ ମେଧା ସମ୍ମାନ-୨୦୨୫ ର ଶୁଭାରମ୍ଭ କରାଯାଇଛି ।

ଧାମନଗର ଏନଏସି କଲ୍ୟାଣ ମଣ୍ଡପ ନିକଟରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରାୟ ୪୦୦ରୁ ଅଧିକ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ସମାରୋହରେ ମନ୍ତ୍ରୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ସିଡିଓ ଶୁଭେନ୍ଦ୍ର ସାମଲ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଏବଂ NCERTର ମୁଖ୍ୟ ଅଞ୍ଜନା ଆରୋରା ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ବିକାଶର ରୋଡମ୍ୟାପ୍ ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୪ଟି ସ୍ୱତନ୍ତ୍ର ଅଧିବେଶନ ମାଧ୍ୟମରେ ପ୍ରଧାନଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବିଆରସିସି, ସିଆରସିସି ଓ ପ୍ରତିଷ୍ଠିତ ଶିକ୍ଷା ବିଶେଷଜ୍ଞମାନେ ନେତୃତ୍ୱ ନେବା, ନାମଲେଖା ବୃଦ୍ଧି କରିବା, ବିଦ୍ୟାଳୟରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ କରିବା ଏବଂ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇ ସେମାନଙ୍କୁ ସଫଳତାର ଶୀର୍ଷକୁ ନେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଲିମ ଦେଇଥିଲେ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ରାଶି ବାବଦରେ ଜଣ ପିଛା ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।

ବାର୍ଷିକ ବୋର୍ଡ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ, ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା କୃତୀ ଛାତ୍ରଛାତ୍ରୀ, ସୁରଭି କାର୍ଯ୍ୟକ୍ରମରେ ରାଜ୍ୟସ୍ତରକୁ ମନୋନୀତ ଛାତ୍ରଛାତ୍ରୀ, ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ କ୍ରୀଡ଼ା ପ୍ରତିଯୋଗିତାରେ ଜିଲ୍ଲାର ପ୍ରତିନିଧିତ୍ୱ କରିଥିବା ଛାତ୍ରଛାତ୍ରୀଙ୍କୁ 5 ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।

ନିର୍ବାଚନ ମଣ୍ଡଳୀରେ ସର୍ବାଧିକ A1 ଗ୍ରେଡ୍ ପାଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ୧୦ ହଜାର , ସ୍କୁଲରେ ଡ୍ରପ୍ ଆଉଟ୍ ହ୍ରାସ କରିବାରେ ସଫଳ ହୋଇଥିବା ପ୍ରଧାନଶିକ୍ଷକଙ୍କୁ ୧୦ ହଜାର , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଶିକ୍ଷକଙ୍କୁ ଅତିରିକ୍ତ 10 ହଜାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ତେବେ ନାମଲେଖା କ୍ଷେତ୍ରରେ ୧୫ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ବୃଦ୍ଧି କରିଥିବା ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସ୍କୁଲର ବିକାଶ ପାଇଁ ବିଧାୟକ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।