କୋଣାର୍କ ୧୩।୦୭ : ସମୁଦ୍ରରେ ଓଲଟିଲା ଡଙ୍ଗା । ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନୋଳିଆ ସାହି ନିକଟରେ ଭାରସାମ୍ୟ ହରାଇ ଓଲଟିଛି ମାଛ ଧରା ଡଙ୍ଗା । ଯେଉଁଥିରେ ୫ ଜଣ ମତ୍ସ୍ୟଜୀବୀଙ୍କୁ ଆହତ ହୋଇଥିଲେ । ସେମାନଙ୍କୁ ଆହତ ଅବସ୍ଥାରେ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଚନ୍ଦ୍ରଭାଗା ନୋଳିଆ ସାହିରୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଥିଲେ । ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ ପାଣିର ଲହଡ଼ ଆସି ପଥର ବନ୍ଧରେ ପିଟି ହେଉଥିଲା । ଯାହାଫଳରେ କି ଯାତ୍ରା ଆରମ୍ଭ କରିଥିବା ମାଛଧରା ଡଙ୍ଗାଟି ପଲଟି ଯାଇଥିଲା । ଡଙ୍ଗାରେ ଥିବା ୫ ଜଣ ମତ୍ସ୍ୟଜୀବୀ ଆହତ ହେବା ସହ ଲକ୍ଷାଧିକ ଟଙ୍କାର ଜାଲ, ଡଙ୍ଗା ମୋଟର ସହ ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଛି । ଏହାପରେ ଆହତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।