ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ବିଜେପି ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ଏନେଇ ଔପଚାରିକ ଘୋଷଣା କରିଛନ୍ତି । ରାଧାକ୍ରିଷ୍ଣନ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତି ଓ ସାମାଜିକ ଜୀବନରେ ସକ୍ରିୟ ଅଛନ୍ତି । ତାମିଲାନାଡ଼ୁ ରାଜନୀତିରେ ତାଙ୍କୁ ସମ୍ମାନିତ ବ୍ୟକ୍ତିତ୍ୱ ରୂପେ ଦେଖାଯାଏ ।
ସିପି ରାଧାକ୍ରଷ୍ଣନଙ୍କ ଜନ୍ମ ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡ଼ୁର ତିରୁପୁର ଜିଲ୍ଲାରେ ହୋଇଥିଲା । ସେ ବିଜ୍ନେସ୍ ଆଡମିନିଷ୍ଟ୍ରେସନରେ ସ୍ନାତକ ହାସଲ କରିଥିଲେ । ତାଙ୍କର ରାଜନୈତିକ ଯାତ୍ରା ଆରଏସ୍ଏସ୍ରୁ ଆରମ୍ଭ ହୋଇଥିଲା । ୧୯୭୪ରେ ସେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀ ସମିତିର ସଦସ୍ୟ ହୋଇଥିଲେ ।
୧୯୯୬ରେ ବିଜେପି ତାଙ୍କୁ ତାମିଲନାଡ଼ୁରେ ପାର୍ଟିର ସମ୍ପାଦକ ନିଯୁକ୍ତ କରିଥିଲା । ଏହା ପରେ ୧୯୯୮ରେ କୋଏମ୍ୱଟୁରରୁ ପ୍ରଥମ ଥର ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ । ୧୯୯୯ ପୁଣି ଥରେ ବିଜୟର ପତାକା ଉଡାଇଥିଲେ । ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ତାଙ୍କୁ ସଂସଦରେ ଟେକ୍ସଟାଇଲ୍ ପାଇଁ ସ୍ଥାୟୀ ସମିତିର ଅଧ୍ୟକ୍ଷ କରାଯାଇଥିଲା । ପରେ ପିଏସୟୁ ସମିତି, ଆର୍ଥିକ ପରାମର୍ଶ ସମିତି ଓ ସେୟାର ବଜାର ଦୁର୍ନୀତିର ଯାଞ୍ଚ ପାଇଁ ବିଶେଷ ସମିତିର ସଦସ୍ୟ ରହିଥିଲେ । ୨୦୦୪ରେ ସେ ଜାତିସଂଘ ମହାସଭାକୁ ବିଜେପି ସଂସଦୀୟ ଦଳର ସଦସ୍ୟ ଭାବେ ସମ୍ୱୋଧନ କରିଥିଲେ । ଏହା ସହ ତାଇୱାନ ଗସ୍ତ କରିଥିବା ପ୍ରଥମ ସଂସଦୀୟ ପ୍ରତିନିଧିମଣ୍ଡଳର ସଦସ୍ୟ ମଧ୍ୟ ଥିଲେ ।
ଏହା ପରେ ସେ ୨୦୦୪ରୁ ୨୦୦୭ ଯାଏ ବିଜେପି ତାମିଲନାଡ଼ୁର ପ୍ରଦେଶ ଅଧ୍ୟକ୍ଷ ରହିଥିଲେ । ଏହି ଅବଧିରେ ୧୯୦୦୦ କିଲୋମିଟର ଲମ୍ୱା ରଥଯାତ୍ରା ବାହାର କରିଥିଲେ, ଯାହା ୯୩ ଦିନ ଯାଏ ଚାଲିଥିଲା । ଏହି ଯାତ୍ରାରେ ସେ ନଦୀ ସଂଯୋଗୀକରଣ, ଆତଙ୍କବାଦ ଶେଷ କରିବା, ସମାନ ନାଗରିକ ସଂହିତା ଲାଗୁ କରିବା, ସାମାଜିକ ସଂସ୍କାର ଓ ମାଦକ ପଦାର୍ଥ ବନ୍ଦ ପ୍ରସଙ୍ଗକୁ ଜୋର କରି ଉଠାଇଥିଲେ । ରାଜନୀତି ପଣ୍ଡିତଙ୍କ ମତରେ ଏହା ତାଙ୍କୁ ନୂଆ ରାଜନୈତିକ ପ୍ରତିଷ୍ଠା ଦେଇଥିଲା । ୨୦୧୬ରୁ ୨୦୨୦ ଯାଏ ସେ କୋଚିନ ସ୍ଥିତ କୋୟର ବୋର୍ଡର ଅଧ୍ୟକ୍ଷ ରହିଥିଲେ । ତାଙ୍କ ନେତୃତ୍ୱରେ କୋୟର ରପ୍ତାନୀ ୨୫୩୨ କୋଟି ଟଙ୍କାର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା । ୨୦୨୦ରୁ ୨୦୨୨ ଯାଏ ସେ ବିଜେପିର ସର୍ବଭାରତୀୟ ପ୍ରଭାରୀ ରହିଥିଲେ ଓ ତାଙ୍କୁ କେରଳ ଦାୟିତ୍ୱ ଦିଆଯାଇଥିଲା ।
୨୦୨୩ ଫେବ୍ରୁଆରୀ ୧୮ରେ ସିପି ରାଧାକ୍ରଷ୍ଣନଙ୍କୁ ଝାଡଖଣ୍ଡର ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା । ସେଠାରେ ଦାୟିତ୍ୱ ଗ୍ରହଣର କେବଳ ୪ ମାସ ଭିତରେ ରାଜ୍ୟର ସମସ୍ତ ୨୪ ଜିଲ୍ଲା ଗସ୍ତ କରିଥିଲେ । ଜନତା ଓ ପ୍ରଶାସନ ସହ ସିଧା ଆଲୋଚନା କରିଥିଲେ । ୨୦୨୪ ଜୁଲାଇ ୩୧ରେ ତାଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା । ରାଧାକ୍ରଷ୍ଣନ ନିଜ ଯୁବାବସ୍ତାରେ ଜଣେ ଭଲ ଖେଳାଳି ଥିଲେ । କଲେଜ ସ୍ତରରେ ସେ ଟେବୁଲ୍ ଟେନିସ୍ ଚାମ୍ପିଅନ ଓ ଧାବକ ଥିଲେ । ଏହା ଛଡ଼ା ସେ କ୍ରିକେଟ୍ ଓ ଭଲିବଲ୍ ମଧ୍ୟ ଖେଳୁଥିଲେ ।
Also Read: ସିପି ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ଜେପି ନଡ୍ଡା