ସିପି ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ଜେପି ନଡ୍ଡା

Published By : Prameya-News7 Bureau | August 17, 2025 IST

ନୂଆଦିଲ୍ଲୀ: ବହୁ  କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବହୁ ଆଲୋଚନା, ବିଚାର ବିମର୍ଶ ଏବଂ ମାରାଥନ ବୈଠକ ପରେ ଶେଷରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସିପି ରାଧାକୃଷ୍ଣନ ହେବେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ।   ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ସନ୍ଧ୍ୟାରେ ଏହାର ଘୋଷଣା କରିଛନ୍ତି। ରାଧାକୃଷ୍ଣନ ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି। ଜେଡି ନଡ୍ଡା କହିଛନ୍ତି ସଂସଦୀୟ ବୋର୍ଡର ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସିପି ରାଧାକୃଷ୍ଣନଙ୍କ ନାଁରେ ମୋହର ବାଜିଛି।

ବିଜେପି ସଂସଦୀୟ ବୋର୍ଡ ବୈଠକ ପରେ ଜେପି ନଡ୍ଡା କହିଛନ୍ତି, ସଭିଙ୍କ ସହ ଆଲୋଚନା କରାଯିବା ସହ ପ୍ରସ୍ତାବ ମଗାଯାଇଥିଲା। ଏହା ପରେ ସର୍ବସମ୍ମତି କ୍ରମେ ସିପି ରାଧାକୃଷ୍ଣନଙ୍କ  ନାଁରେ ମୋହର ବାଜିଛି। ବିଜେପି ସଂସଦୀୟ ବୈଠକରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ବ୍ୟତୀତ ବିଜେପି ଅଧ୍ୟକ୍ଷ ଜେଡି ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ପାର୍ଟିର ବରିଷ୍ଠ ନେତା ବୈଠକରେ ଉପସ୍ଥିତ ଥିଲେ। 

କିଏ ଏହି ସିପି ରାଧାକୃଷ୍ଣନ ?

ତାମିଲନାଡୁ ନିବାସୀ ରାଧାକୃଷ୍ଣନ ପୂର୍ବରୁ ଝାଡ଼ଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ପରି ରାଜ୍ୟର ରାଜ୍ୟପାଳ ରହିଥିଲେ। ରାଧାକୃଷ୍ଣନ ତାମିଲନାଡୁର ତିରୁପ୍ପୁରରେ ୧୯୫୭ ଅକ୍ଟୋବର ୨୦ରେ ଜନ୍ମଗ୍ରହଣ କରିଥିଲେ। ରାଧାକୃଷ୍ଣନ ବିଜେପିର ଜଣେ ବରିଷ୍ଠ ନେତା। ସେ ନିଜର ରାଜନୈତିକ ଜୀବନ ଆରଏସଏସ ଏବଂ ଜନସଂଘରୁ ଆରମ୍ଭ କରିଥିଲେ। ସେ ୧୯୯୮ ଏବଂ ୧୯୯୯ରେ କୋଏମ୍ବାଟୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡ଼ୁ ରାଜ୍ୟ ବିଜେପି ସଭାପତି ଥିଲେ। 

ସିପି ରାଧାକୃଷ୍ଣନ ୨୦୨୩ ଫେବୃଆରୀରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ଉପରାଜ୍ୟପାଳ ଥିଲେ। ସେହିପରି ୨୦୨୪ ମାର୍ଚ୍ଚରୁ ଜୁଲାଇ ଯାଏ ତେଲେଙ୍ଗାନାର ଅତିରିକ୍ତ ପ୍ରଭାର ଏବଂ ୨୦୨୪ ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ପୁଡୁଚେରୀର ଉପରାଜ୍ୟପାଳର ଅତିରିକ୍ତ କାର୍ଯ୍ୟଭାର ସମ୍ଭାଳିଥିଲେ। ୨୦୨୪ ଜୁଲାଇ ୩୧ରୁ ମହାରାଷ୍ଟ୍ରର ରାଜ୍ୟପାଳ ପଦରେ ସେ ଆସୀନ ଅଛନ୍ତି। 

ପୂର୍ବତନ ସାଂସଦ ଏବଂ ଆରଏସଏସ ସଦସ୍ୟ

ସିପି ରାଧାକୃଷ୍ଣନ ଦୁଇ ଥର ପୂର୍ବତନ ଲୋକସଭା ସାଂସଦ। ସେ ଆରଏସଏସର ସଦସ୍ୟ ମଧ୍ୟ। ରାଧାକୃଷ୍ଣନ ୧୯୯୮ ଏବଂ ୧୯୯୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟ୍ ମଇଦାନକୁ ଓହ୍ଲାଇଥିଲେ। ୧୯୯୮ ନିର୍ବାଚନରେ ଦେଢ ଲକ୍ଷରୁ ଅଧିକ ଏବଂ ୧୯୯୯ ନିର୍ବାଚନରେ ୫୫ ହଜାରରୁ ଅଧିକ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ଏହା ବ୍ୟତୀତ ସେ ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ ବି ରହି ସାରିଛନ୍ତି। ୨୦୨୦-୨୦୨୨ ପର୍ଯ୍ୟନ୍ତ କେରଳରେ ବିଜେପିର ପ୍ରଭାରୀ ଭାବେ କାମ କରିଥିଲେ। 

ଉପରାଷ୍ଟ୍ରପତି ନିର୍ବାଚନ କେବେ ହେବ ?

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ  ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବ ଏବଂ ଭୋଟ୍ ଗଣତି ସେହି ଦିନ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଅଗଷ୍ଟ ୨୫ ପର୍ଯ୍ୟନ୍ତ ରହିଛି। ଉଲ୍ଲେଖନୀୟ ଜଗଦୀପ ଧନଖଡ଼ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠୁ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଛି। ତାଙ୍କ ଅଚାନକ ଇସ୍ତଫାକୁ ନେଇ ଜାତୀୟ ରାଜନୀତି ବେଶ ସରଗରମ ରହିଥିଲା। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.