ଲଣ୍ଡନ ୧୭।୮: ବ୍ରିଟିଶ ଅଭିନେତା ଟେରେଂସ ଷ୍ଟାମ୍ପଙ୍କ ରବିବାର ୮୭ ବର୍ଷ ବୟସରେ ପରଲୋକ ହୋଇଛି। ସୁପରହିଟ୍ ହଲିଉଡ ଫିଲ୍ମ ‘ସୁପରମ୍ୟାନ’ ଓ ‘ସୁପରମ୍ୟାନ-୨’ରେ ଖଳନାୟକ ଜେନେରାଲ ଜଡ ଭୂମିକାରେ ଅଭିନୟ କରି ସେ ବେଶ୍ ପ୍ରସିଦ୍ଧି ପାଇଥିଲେ। ଷ୍ଟାମ୍ପଙ୍କ ପରଲୋକ ହୋଇଥିବା ତାଙ୍କ ପରିବାର ଲୋକେ ସୂଚିତ କରିଛନ୍ତି। ପରିବାର ପକ୍ଷରୁ କୁହାଯାଇଛି ଯେ ସେ ଏକ ଅସାଧାରଣ ରଚନାତ୍ମକ ଐତିହ୍ୟ ଛାଡି ଯାଇଛନ୍ତି ଯାହା ଆଗାମୀ ଦିନମାନଙ୍କରେ ଲୋକଙ୍କୁ ପ୍ରେରିତ କରିବ।
୧୯୩୮ ମସିହାରେ ଲଣ୍ଡନର ଇଷ୍ଟ ଏଣ୍ଡରେ ଜନ୍ମିତ ଟେରେଂସ ଜଣେ ଟଗବୋଟ ଚାଳକଙ୍କ ପୁଅ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଲଣ୍ଡନ ଉପରେ ହୋଇଥିବା ବୋମା ବର୍ଷା ସେ ଦେଖିଛନ୍ତି। ପାଠ ପଢା ଛାଡିବା ପରେ ସେ ବିଜ୍ଞାପନ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ପରେ ସେ ନାଟ୍ୟ ବିଦ୍ୟାଳୟରେ ଆଡମିସନ ପାଇବା ସହିତ ଅଭିନୟ ଜଗତରେ ପାଦ ଥାପିଥିଲେ। ୧୯୬୦ ଦଶକରେ ତାଙ୍କର ଅଭିନୟ ଓ ଆକର୍ଷକ ବ୍ୟକ୍ତିତ୍ୱ କାରଣରୁ ବ୍ରିଟେନର ଚର୍ଚ୍ଚିତ ଷ୍ଟାର ପାଲଟିଥିଲେ।
ଅଭିନେତ୍ରୀ ଜୁଲି କ୍ରିଷ୍ଟିଙ୍କ ସହିତ ତାଙ୍କ ଯୋଡିକୁ ସେ ସମୟର ସବୁଠୁ ଗ୍ଲାମରସ ଯୋଡି ଭାବେ ଦେଖାଯାଉଥିଲା। ଟେରେଂସ ଇଟାଲୀର ଦିଗ୍ଗଜ ନିର୍ଦ୍ଦେଶକଙ୍କ ସହିତ ମଧ୍ୟ କାମ କରିଥିଲେ। ୧୯୬୮ରେ ‘ଥିୟୋରମ’ ଓ ୧୯୭୧ରେ ‘ଏ ସିଜିନ ଇନ ହେଲ’ ଫିଲ୍ମରେ ତାଙ୍କର ଅଭିନୟ ପାଇଁ ଲୋକେ ବେଶ୍ ପସନ୍ଦ କରିଥିଲେ। ତେବେ ୧୯୭୮ ଓ ୧୯୮୦ରେ ସୁପରମ୍ୟାନ ସିରିଜରେ କାମ କରି ସେ ଅସଲ ବୈଶ୍ୱିକ ପରିଚୟ ପାଇଥିଲେ।
ପରେ ସେ ‘ଦି ଆଡଭେଞ୍ଚର ଅଫ ପ୍ରିସିଲା’, ୧୯୯୪ରେ ‘କ୍ୱିନ ଅଫ ଦି ଡେଜର୍ଟ’ରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଣ୍ଟି ଥିଲେ। ୨୦୦୮ ମସିହାରେ ତାଙ୍କୁ ଟମ କ୍ରୁଜଙ୍କ ଫିଲ୍ମ ‘ଭେଲ୍କରୀ’ ଓ ୨୦୧୧ ରେ ମ୍ୟାଟ ଡେମନଙ୍କ ସହିତ ‘ଦି ଆଡଜଷ୍ଟମେଣ୍ଟ ବ୍ୟୁରୋ’ ଫିଲ୍ମରେ ତାଙ୍କୁ ଦେଖାଯାଇଥିଲା। ସେ ତାଙ୍କ ଅଭିନୟ କାଳରେ ଟିମ୍ ବର୍ଟନଙ୍କ ସମେତ ଅନେକ ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ସାଙ୍ଗରେ କାମ କରିଛନ୍ତି। କ୍ୟାରିୟରରେ ଅସ୍କାର ନୋମିନେଟ ହୋଇଥିବା ଅଭିନେତା ଅଭିନୟ ସାଙ୍ଗକୁ ଲେଖନରେ ମଧ୍ୟ ବେଶ୍ ଯୋଗଦାନ ଦେଇଥିଲେ। ସେ ତାଙ୍କ ଅଭିନୟ କୌଶଳ ଓ ବିଶିଷ୍ଟ ବ୍ୟକ୍ତିତ୍ୱ କାରଣରୁ ଇଂରାଜୀ ସିନେମା ଜଗତରେ ଏକ ଅଭୁଲା ଛାପ ଛାଡି ଯାଇଛନ୍ତି।