ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ପ୍ରଥମ ଦିନରେ ରଥା ଟଣା ସରିଛି। ଶୁକ୍ରବାର ଅପରାହ୍ନ ସାଢ଼େ ୪ରେ ରଥଟଣା ଆରମ୍ଭ ହୋଇଥିଲା। ବଡ଼ ଠାକୁର ବଳଭଦ୍ରଙ୍କ ରଥକୁ ପ୍ରଥମେ ଭିଡ଼ି ନେଇଥିଲେ ଭକ୍ତ। ଏହା ପରେ ମା’ ସୁଭଦ୍ରାଙ୍କ ରଥକୁ ଟାଣିଥିଲେ ଭକ୍ତ। ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇଥିଲା।
ତେବେ ପ୍ରଥମ ଦିନର ରଥ ଟଣା ପରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ମାଉସୀମା ଛକରେ ଅଟକିଛି। ସେହିଭଳି ମରିଚିକୋଟ ଟାଉନ ଥାନା ନିକଟରେ ଅଟକିଲା ମା’ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଅଳ୍ପ ବାଟ ଟଣା ଗଡ଼ି ସିଂହଦ୍ବାର ନିକଟରେ ହିଁ ଅଟକିଛି ନନ୍ଦିଘୋଷ ରଥ। ଶନିବାର ସକାଳ ସାଢ଼େ ୯ଟାରୁ ପୁଣି ରଥ ଟଣା ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ପହଣ୍ଡି ଆରମ୍ଭ ସକାଳ ୯ଟା ୩୦ରୁ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜମାନ କରିଥିଲେ। ଏହା ପରେ ଟାହିଆ ସୁଶୋଭିତ ହୋଇ ଘଣ୍ଟ ବାଦ୍ୟ ତାଳେ ତାଳେ ହୁଳ ହୁଳିରେ ଧାଡ଼ି ପହଣ୍ଡିରେ ଆସିଥିଲେ ବଡ଼ ଭାଇ ବଳଭଦ୍ର। ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବା ମାତ୍ରେ ବଡ଼ଦାଣ୍ଡ ହରିବୋଲ ହୁଳହୁଳିରେ ଉଛୁଳି ପଡ଼ିଥିଲା ବଡ଼ଦାଣ୍ଡ। ତାଳଧ୍ଵଜରେ ବିରାଜମାନ କରିଥିଲେ ବଡ଼ ଭାଇ। ତାଙ୍କ ପଛେ ପଛେ ପହଣ୍ଡିରେ ଦର୍ପଦଳନ ରଥରେ ବିରାଜମାନ କରିଥିଲେ ଦେବୀ ସୁଭଦ୍ରା।
ଏହା ପରେ ଆସିଥିଲେ ଚକ୍ରରାଜ, ଓଡ଼ିଆଙ୍କ ମଉଡ଼ମଣି, କୋଟି ଆରାଧ୍ୟ ଦେବତା, ଜଗତର ନାଥ ଜଗନ୍ନାଥ। ଟାହିଆ ଲଗାଇ ସେବାୟତଙ୍କ ଘଣ୍ଟାବାଦ୍ୟ ତାଳେ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ ଚକାଆଖି। ତାଙ୍କର ଚୋକାଆଖି ଦେଖି ଆହ୍ଲାଦିତ ହୋଇ ଉଠିଥିଲେ ଶ୍ରଦ୍ଧାଳୁ। ଢଳି ଢଳି ଝୁଲି ଝୁଲି ଆସି ନନ୍ଦିଘୋଷ ରଥରେ ବିରାଜମାନ କରିଥିଲେ ମହାବାହୁ। ପାଖାପାଖି ୧ଟାରେ ପହଣ୍ଡି ବିଜେ ନୀତି ସଂପନ୍ନ ହୋଇଥିଲା।
ଏହା ପରେ ତିନି ରଥରେ ଶ୍ରୀ ମଦନ ମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବିଜେ ନୀତି ସଂପନ୍ନ ହୋଇଥିଲା। ତିନି ବିଗ୍ରହଙ୍କ ଚିତା ଲାଗି- ଅପରାହ୍ଣ ୧ଟା ୩୦ରୁ ୨ଟା ଭିତେ ସଂପନ୍ନ ହୋଇଥିଲା। ଅପରାହ୍ଣ ୧ଟା ୩୦ରୁ ୨ଟା ୩୦ ଭିତରେ ବେଶ ଶେଷ ହୋଇଥିଲା। ପ୍ରାୟ ୨ଟା ୩୦ରୁ ଛେରା ପହଁରା ନୀତି ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ତମଜାନରେ ଆସିଥିଲେ। ପ୍ରଥମେ ତାଳଧ୍ଵଜ ରଥରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ଗଜପତି ଦର୍ପଦଳନ ଏବଂ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସଂପନ୍ନ କରିଥିଲେ। ଏହି ନୀତି ପରେ ତିନି ରଥରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଯୋଚା ଯାଇଥିଲା। ଆଉ ଶେଷରେ ନିର୍ଦ୍ଧାରିତ ସମୟ ପ୍ରାୟ ୪ଟାରେ ରଥଟଣା ଆରମ୍ଭ ହୋଇଛି।
ଏହା ପୂର୍ବରୁ ସକାଳ ୬ଟାରେ ମଙ୍ଗଳ ଆଳତିରୁ ରଥଯାତ୍ରା ପାଇଁ ଚତୁର୍ଦ୍ଧା ମୂରତିଙ୍କ ରୀତିନୀତି ଆରମ୍ଭ ହୋଇଥିଲା। ଏହା ପରେ ସକାଳ ୬ଟା ୧୦ରେ ମଇଲମ, ସକାଳ ୬ଟା ୩୦ରେ ତଡ଼ପଲାଗି, ରୋଷହୋମ ସକାଳ ୬ଟା ୩୦, ଅବକାଶ ନୀତି ସକାଳ ୭ଟାରେ ସଂପନ୍ନ ହୋଇଥିଲା। ଏହା ପରେ ସୂର୍ଯ୍ୟ ପୂଜା ସକାଳ ୭ଟା ୧୦, ଦ୍ଵାରପାଳ ପୂଜା ସକାଳ ୭ଟା ୩୦, ବେଶ ଶେଷ ନୀତି ସକାଳ ୭ଟା ୩୦ରେ ଅନୁଷ୍ଠିତ ହୋଇଥିଲା। ଗୋପାଲ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗ)- ସକାଳ ୮ଟାରୁ ୯ ପର୍ଯ୍ୟନ୍ତ ଚାଲିଥିଲା। ରଥ ପ୍ରତିଷ୍ଠା ସକାଳ ୯ଟା ଓ ମଙ୍ଗଳାର୍ପଣ ସକାଳ ୯ଟା ୧୫ରେ ଶେଷ ହୋଇଥିଲା।