ଶୀତ ଲହରୀରେ ଥରହର ସାରା ଓଡ଼ିଶା, ଆଗାମୀ ୬ ଦିନ ପାଗରେ ନାହିଁ କୌଣସି ପରିବର୍ତ୍ତନ

NEWS7
fire-mishap-in-bhubaneswar-patia-area

ଭୁବନେଶ୍ୱର ୧୪।୧୨ : ପ୍ରବଳ ଥରାଇଲାଣି ଥଣ୍ଡା । ଏମିତି ଲମ୍ବା ସମୟ ଶୀତ ପ୍ରକୋପ କେତେ ବର୍ଷ ହେଲା ଅନୁଭୂତ ହୋଇନଥିଲା। ଡିସେମ୍ବର ମାସରେ ଏଯାବତ୍ ଲଗାତାର ୮ ଦିନ ଶୀତ ଲହରି ଅନୁଭୂତ ହେଲାଣି। ନଭେମ୍ବରରେ ବି ୩ ଦିନ ଥରାଇଥିଲା ଶୀତ। ପାଣିପାଗ ପୂର୍ବାନୁମାନ ଯାହା, ଏବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ। ଥଣ୍ଡା ପ୍ରକୋପ ଜାରି ରହିବ।

ପାଣିପାଗ କେନ୍ଦ୍ରର ତଥ୍ୟ କହୁଛି, ଶୁକ୍ରବାର ରାତିରେ ୧୬ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ୍ ଥିଲା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ, ସେମିଳିଗୁଡ଼ା ୪.୬, ଫୁଲବାଣୀ ୫.୫, ଦାରିଙ୍ଗବାଡ଼ି ୬, କୋରାପୁଟ ୬.୫, ଚିପିଲିମା ୭.୮, ନବରଙ୍ଗପୁର ଓ ରାଉରକେଲା ୮, ଝାରସୁଗୁଡ଼ା ୮.୨, ଭବାନୀପାଟଣା ୮.୫, ଅନୁଗୁଳ ୯, କିରେଇ ୯.୨, ଢେଙ୍କାନାଳ, ରାୟଗଡ଼ା, ବୌଦ୍ଧ ଓ ସୁନ୍ଦରଗଡ଼ ୧୦ ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି କେନ୍ଦୁଝରେ ୧୦.୨, ସମ୍ବଲପୁର ୧୧.୪, ହୀରାକୁଦ ୧୨.୨, ଭୁବନେଶ୍ୱର ୧୨.୬, ବାଲେଶ୍ୱର ୧୪.୨, ଗୋପାଳପୁର ୧୪.୩, ଚାନ୍ଦବାଲି ୧୪.୫, ପାରାଦୀପ ୧୪.୯ ଡିଗ୍ରୀ ଥିଲା । ରବିବାରଠାରୁ ଶୀତ ଲହରି ପ୍ରକୋପ ରହିବନି। ମାତ୍ର ଆସନ୍ତା ୬ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ଚଳିତ ବର୍ଷ ଶୀତର ଧାରା ପୂର୍ବ ବର୍ଷମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଏଥର ଉତ୍ତର-ପଶ୍ଚିମ ଭାରତ ଅପେକ୍ଷା ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ଅଧିକ ରହିଛି ଶୀତ ଲହରି। ଗତ ବର୍ଷମାନଙ୍କର ରେକର୍ଡ ଅନୁଧ୍ୟାନ କଲେ ଜଣାପଡ଼ୁଛି, ଓଡ଼ିଶାରେ ଗୋଟିଏ ଶୀତ ଋତୁରେ ଅତି ବେଶିରେ ୬/୭ ଦିନ ହିଁ ଶୀତ ଲହରି ଅନୁଭୂତ ହୋଇଥାଏ। ମାତ୍ର ଏଥର ଓଡ଼ିଶାରେ ଏଯାବତ୍ ୧୧ଦିନ ଶୀତ ପ୍ରକୋପରେ ଥରିଲେଣି ରାଜ୍ୟବାସୀ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବର୍ଷ ଶୀତ ଧାରା ପୂର୍ବ ବର୍ଷମାନଙ୍କଠାରୁ ଭିନ୍ନ ରହିଛି। ଏହା ଉପରେ ଅଧିକ ଅନୁଧ୍ୟାନ ଓ ଗବେଷଣାର ଆବଶ୍ୟକତା ରହିଛି। ଆସନ୍ତା ଦୁଇଦିନ ଶୀତ ପ୍ରକୋପ ସାମାନ୍ୟ କମିପାରେ। ୧୬ରୁ ୧୮ ଯାଏ ପୁଣି ଶୀତ ବଢ଼ିବ। ୧୯/୨୦ ତାରିଖ ବେଳକୁ ଶୀତ ସାମାନ୍ୟ କମିପାରେ ବୋଲି ଡକ୍ଟର ସାହୁ କହିଛନ୍ତି।