ଜମିବାଡ଼ି ବିବାଦରୁ ଘର ପୋଡ଼ି, ଜଳିଗଲା ଅନେକ କାଗଜପତ୍ର ଏବଂ ଦାମୀ ସାମଗ୍ରୀ

Published By : Prameya-News7 Bureau | May 03, 2025 IST

ଭଦ୍ରକ ୦୩।୦୫: ଜମିବାଡ଼ି ବିବାଦରୁ ଘରପୋଡ଼ି ଅଭିଯୋଗ ।ଯେଉଁଥିରେ ନଗଦ ଟଙ୍କା ସହ ଅନେକ ଅଳଙ୍କାର ଓ କାଗଜପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି ।  ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସୟା ପଞ୍ଚାୟତ ବାଂଶବାଗ ଗାଁରୁ ଆସିଛି ଏମିତି ଘଟଣା । 

ଖବର ଅନୁଯାୟୀ, ବାଂଶବାଗ ଗାଁରେ ନିଶାକର ଦାସଙ୍କ ତିନି ପୁଅ । ଘର ବାଡ଼ି ଭାଗବଣ୍ଟାକୁ ନେଇ ଦୀର୍ଘ ବର୍ଷ ହେବ ବିବାଦ ଲାଗି ରହିଥିଲା । ସାନ ଓ ମଝିଆ ଭାଇଙ୍କ ସହିତ ବଡ଼ଭାଇଙ୍କ ମଝିରେ ମଝିରେ ବିବାଦ ଲାଗି ରହୁଥିଲା । ଗତ ଦୁଇ ଦିନ ତଳେ ଗାଳିଗୁଲଜ ଓ ମାରପିଟ୍‌କୁ ନେଇ ଥାନାରେ ଉଭୟ ପକ୍ଷରୁ ଦୁଇଟି ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଶୁକ୍ରବାର ରାତିରେ ଶୋଇଥିବା ବେଳେ ସାନ ଭାଇ ମନୋରଞ୍ଜନ ଦାସଙ୍କର ଘରକୁ କେହି ନିଆଁ ଲଗାଇ ଦେଇଥିବାର ଅଭିଯାଗ ହୋଇଛି । ଯେଉଁଥିରେ ନଗଦ ଟଙ୍କା, ଅଳଙ୍କାର, ମୂଲ୍ୟବାନ କାଜଗପତ୍ର ସମେତ ଘରର ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଥିବାର ଅଭିଯୋଗ ହୋଇଛି । ତେବେ କେହି ସଂପର୍କୀୟ ଘରେ ନିଆଁ ଲଗାଇଥିବା ଥାନାରେ ଅଭିଯୋଗ କରିଛନ୍ତି ମନୋରଞ୍ଜନ । ସେପଟେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.