ବ୍ରହ୍ମପୁର ୧୩।୦୪ : ବ୍ରହ୍ମପୁର ବଡ଼ଜାର ଥାନା ଅନ୍ତର୍ଗତ ବାଛୁବାରୀ ସାହିରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ପ୍ଲାଷ୍ଟିକ ଗୋଦାମ । ଏହି ଅଗ୍ନିକାଣ୍ଡ ଲାଗି ଗୋଦାମରେ ଥିବା ଅନେକ ପ୍ଲାଷ୍ଟିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ସେହି ରାସ୍ତା ଦେଇ ଯାଉଥିବା ଲୋକ ଘର ଭିତରୁ ଧୂଆଁ ବାହାରୁଥିବାର ଦେଖିଥିଲେ। ଅଳ୍ପ କିଛି ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ହୁତୁ ହୁତୁ ହୋଇ ସବୁ ଜଳିବାରେ ଲାଗିଥିଲା। ସ୍ଥାନୀୟ ଲୋକ ପ୍ରଥମେ ୧୦୧ରେ ଯୋଗାଯୋଗ କରିଥିଲେ। ଦେଶୀବେହେରା ସାହିରେ ଯାତ୍ରା ଦାୟିତ୍ୱରେ ଥିବା ଅଗ୍ନିଶମ କର୍ମଚାରୀଙ୍କୁ ମଧ୍ୟ ଜଣାଇଥିଲେ। ଏହାପରେ ବ୍ରହ୍ମପୁର ଅଗ୍ନିଶମ ବାହିନୀର ୨ଟି ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ ଘର ବାହାରୁ ତାଲା ପଡିଥିଲା। ଶେଷରେ ତାଲା ଭାଙ୍ଗି ଘରେ ପଶିବା ସହ ପ୍ରାୟ ଦେଢ ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଆଁ ଲିଭାଇଥିଲେ। ନିଆଁରେ ପୋଡି ହୋଇ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।