ପାଟନା ଜଙ୍କସନ ନିକଟରେ ଦୁଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଜଣକ ମୃତ୍ୟୁ ସୂଚନା

Published By : Prameya-News7 Bureau | April 25, 2024 IST

ପାଟନା: ବିହାର ପାଟନା ଜଙ୍କସନ ନିକଟରେ ଥିବା ଦୁଇ ବଡ଼ ହୋଟେଲ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ଛଅ ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା। ଘଟଣା ଗୁରୁବାର ସକାଳ ସାଢ଼େ ୧୦ଟା ସମୟରେ ହୋଇଛି। ଘଟଣା ପରେ ଷ୍ଟେସନ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଦୁଇ ବିଲ୍ଡିଂ ମଧ୍ୟରେ ଗୋଟିଏ ହୋଟେଲ। ଆଉ ଏହି ହୋଟେଲରୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀ ଷ୍ଟାଫ୍‌ଙ୍କ କହିବା ଅନୁଯାୟୀ, ଫାଷ୍ଟ ଫୁଡ୍‌ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଗ୍ୟାସ୍‌ ସିଲିଣ୍ଡରରୁ ନିଆଁ ଲାଗିଥିଲା। ଷ୍ଟାଫ୍‌ଙ୍କ କହିବା ଅନୁଯାୟୀ, ଗୋଟିଏ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ଥିଲା। ଆଉ ଗ୍ୟାସ୍‌ ବଦଳାଇବା ସମୟରେ ପୂର୍ବରୁ ଲାଗିଥିବା ଗ୍ୟାସ୍‌ରୁ ନିଆଁ ଧରିନେଇଥିଲା। ଫଳରେ ଅଗ୍ନିକାଣ୍ଡ ହୋଇଥିଲା। ଏମିତିକି ଗୋଟିଏ ଗ୍ୟାସ୍‌ ଟାଙ୍କିରେ ବିସ୍ଫୋରଣ ହୋଇଥିଲା। ଆଉ ଦେଖୁ ଦେଖୁ ନିଆଁ ପାଖ ବିଲ୍ଡିଂକୁ ବ୍ୟାପିଯାଇଥିଲା।  

ଷ୍ଟାଫ୍‌ ତିନି କାର୍ବନ ଡାଇଅକ୍ସାଇଡ ସିଲିଣ୍ଡର ବ୍ୟବହାର କରିଥିଲେ। ଏହା ପରେ ବି ନିଆଁକୁ ଆୟତ୍ତ କରିପାରିନଥିଲେ। ପ୍ରଚଣ୍ଡ ଶବ୍ଦରେ ଲୋକେ ବାହାରକୁ ବାହରିଆସିଥିଲେ ‌। ଏବେବି ଭିତରେ ୧୦ରୁ ୧୨ ଗ୍ୟାସ ସିଲିଣ୍ଡର ରହିଛି। ଏହାରି ମଧ୍ୟରେ ଦମକଳ ୫ରୁ ଅଧିକ ଦମକଳ ବାହିନୀ ଗାଡ଼ି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। 

ଡଜନରୁ ଅଧିକ ଆହତଙ୍କୁ ପାଟନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ବିଲ୍ଡିଂ ଆଖ ପାଖରେ ଥିବା ଗାଡ଼ି ମଧ୍ୟ ନିଆଁରେ ପୋଡ଼ିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ହୋଟେଲରେ ଥିବା ପ୍ରାୟ ୪୫ରୁ ଅଧିକ ଲୋକେ ଜୀବନ ବଞ୍ଚାଇବାକୁ ଛାତ ଉପରକୁ ଚାଲିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.